LIVE TV

ଡିସେମ୍ବରରେ ଭାରତ ଆସିବେ ଆଉ ୮-୧୦ ନୂଆ ଚିତା ବାଘ, ଜାଣନ୍ତୁ ଆସୁଛନ୍ତି କେଉଁଠୁ, ରହିବେ କେଉଁଠି?

NEWS7
gfx

ନୂଆଦିଲ୍ଲୀ ୨୫।୯:  ଦେଶକୁ ଖୁବ୍ ଶୀଘ୍ର ନୂଆ ଚିତାବାଘ ଡେଲିଭରୀ ମିଳିବ। ପରିବେଶ ମନ୍ତ୍ରାଳୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଡିସେମ୍ବରରେ ବୋଟସୱାନା ଅଥବା ନାମିବ୍ୟାରୁ ୮-୧୦ ନୂଆ ଚିତା ବାଘ ଭାରତ ଆସି ପାରନ୍ତି। ଏହା ଛଡା ଆଗାମୀ ବର୍ଷ କେନ୍ୟାରୁ ବି ଏତିକି ସଂଖ୍ୟକ ଚିତା ବାଘଙ୍କୁ ଭାରତ ଅଣାଯାଇ ପାରେ। ମନ୍ତ୍ରାଳୟଙ୍କ ଅନୁସାରେ ଚିତା ବାଘ ଆମଦାନୀ ପାଇଁ ସରକାର ୩ଟି ଦେଶଙ୍କ ସହ ଆଲୋଚନା କରୁଛନ୍ତି।

ପରିବେଶ ମନ୍ତ୍ରାଳୟଙ୍କ ଅନୁସାରେ ଏହା ପୂର୍ବରୁ ଭାରତ ମହାଦ୍ୱୀପର ଦକ୍ଷିଣ ଭାଗରୁ ସମାନ ଇକୋଲଜିକାଲ ସିଷ୍ଟମରୁ ଦୁଇଟି ଦଳରେ ଚିତା ବାଘଙ୍କୁ ସଫଳତା ପୂର୍ବକ ସ୍ଥାନାନ୍ତରିତ କରାଯାଇଛି। ଇତି ମଧ୍ୟରେ ଭାରତ ଚିତା ବାଘଙ୍କ ଥଇଥାନ ନିମନ୍ତେ ଆଉ ଦୁଇଟି ଲ୍ୟାଣ୍ଡ ସ୍କେପ୍ ପ୍ରସ୍ତୁତି କରୁଛି। ଏହି ଦୁଇଟି ଲ୍ୟାଣ୍ଡ ସ୍କେପରୁ ଗୋଟିଏ ହେଉଛି ମଧ୍ୟପ୍ରଦେଶର ନୌରାଦେହୀ ବନ୍ୟଜୀବ ଅଭୟାରଣ୍ୟ ଓ ଅନ୍ୟଟି ହେଉଛି ଗୁଜରାଟର ବନ୍ନି ଚାରଣ ଭୂମି। ଫଳରେ ଦେଶରେ ଚିତା ଲ୍ୟାଣ୍ଡ ସ୍କେପ୍ ସଂଖ୍ୟା ୪କୁ ପହଞ୍ଚିଛି।

ବର୍ତ୍ତମାନ ମଧ୍ୟପ୍ରଦେଶର କୁନ୍ନୋ  ଜାତୀୟ ଉଦ୍ୟାନ ଓ ଗାନ୍ଧି ସାଗର ବନ୍ୟଜନ୍ତୁ ଅଭୟାରଣ୍ୟ ଭାରତର ଦୁଇଟି ଚିତା ଲ୍ୟାଣ୍ଡସ୍କେପ ରହିଛି। ତେବେ ନୂଆ ଚିତା ଆସିଲେ ସେମାନଙ୍କୁ ହୁଏତ କେଏନପି ଅଥବା ଗାନ୍ଧିସାଗର କିମ୍ବା ଉଭୟ ସ୍ଥାନରେ ରହିବେ ବୋଲି ଅଧିକାରୀ କହିଛନ୍ତି। ଅନ୍ୟପଟେ ବନ୍ନୀ ଚାରଣ ଭୂମିକୁ ଆଗାମୀ ବର୍ଷ କେନ୍ୟାରୁ ଆସିବାକୁ ଥିବା ଚିତାଙ୍କ ସ୍ୱାଗତ ନିମନ୍ତେ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ଭାରତରେ ମୋଟ ୨୭ଟି ଚିତା ବାଘ କୁନ୍ନୋ ଜାତୀୟ ଉଦ୍ୟାନ (୨୪) ଓ ଗାନ୍ଧି ସାଗର(୩) ରେ ରହୁଛନ୍ତି।  

ଏମାନଙ୍କ ମଧ୍ୟରୁ ୧୧ଟି (୬ ମାଇ ଓ ୫ ଅଣ୍ଡିରା ଚିତା) ୨୦୨୨-୨୩ ମଧ୍ୟରେ ଭାରତ ଆସିଥିଲେ। ପରେ ଭାରତରେ ୧୬ଟି ଜନ୍ମ ହୋଇଛନ୍ତି। କୁନ୍ନୋରେ ୨୭ଟି ଚିତାଙ୍କ ମଧ୍ୟରୁ ୧୫ଟି ସ୍ୱାଧୀନ ଭାବେ ଜଙ୍ଗଲରେ ବିଚରଣ କରୁଛନ୍ତି। ସ୍ୱାଧୀନ ଭାବେ ବୁଲୁଥିବା ଚିତାଙ୍କ ମଧ୍ୟରେ ବିଦେଶରୁ ଆସିଥିବା ବୟଷ୍କ ଓ ଭାରତରେ ଜନ୍ମିତ ଚିତା ଅଛନ୍ତି।