ଭୁବନେଶ୍ବର: ସୋମବାର ରାଜ୍ୟ କ୍ୟାବିନେଟର ବସିଥିବା ୨୪ ତମ ବୈଠକରେ ୪ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ବୈଠକରେ ମୋଟ ୩ଟି ବିଭାଗର ୪ ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl। ଯେଉଁଥିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।
୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନସଭାର ୪ର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଉପରେ ରହିଥିଲା l ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ତେବେ ଯେଉଁ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁରୀ ମିଳିଛି ସେଗୁଡ଼ିକ ହେଲା, ପ୍ରଥମତଃ ନୂଆ IT ପଲିସିକୁ କ୍ୟାବିନେଟ ଅନୁମୋଦନ ୨୦୨୨ରେ IT ପଲିସି ଆସିଥିବାବେଳେ ୨୦୨୫ରେ ନୂଆ ପଲିସିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହା ଅନୁଯାୟୀ ନୂଆ ଆଇଟି ପାର୍କ ପାଇଁ ସରକାର ପ୍ରୋତ୍ସାହନ ଦେବେ। ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ସରକାରଙ୍କ ପକ୍ଷରୁ ୩୦ ପ୍ରତିଶତ କ୍ୟାପିଟାଲ ସବସିଡି ମିଳିବ। ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ସବସିଡି ମିଳିବ। ଯାହାଦ୍ବାରା ଅଧିକ ନିବେଶ ଆସିବା ସହ ନିଯୁକ୍ତି ସୃଷ୍ଟି ହେବ।
ଏହା ପରେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ନୀତି-୨୦୨୫କୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶାକୁ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା, ଉଚ୍ଚ-କୁଶଳୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଆମଦାନୀ ହେଉଥିବା ଯନ୍ତ୍ରାଂଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହା ସହାୟକ ହେବ। କେନ୍ଦ୍ର ସରକାରଙ୍କ ପଲିସି ଢାଞ୍ଚାରେ ରାଜ୍ୟ ସରକାର ନୂଆ ପଲିସି ଆଣିଛନ୍ତି। ନିବେଶକମାନେ ପ୍ରଥମ ୧୦ ଟି ମେଗା ପ୍ରକଳ୍ପ ପାଇଁ ୫୦% ପୁଞ୍ଜି ସବସିଡି ମିଳିବ । କେନ୍ଦ୍ର ସରକାରଙ୍କ ଇନ୍ସେନ୍ଟିଭ୍ ସହ ଜମି ଆବଣ୍ଟନ, ଭଡ଼ା ସହାୟତା, ବିଦ୍ୟୁତ୍ ଶୁଳ୍କରେ ଦଶ ବର୍ଷର ଛାଡ଼ ସହ ପ୍ରକଳ୍ପ ନିବେଶର ୭୫% ପର୍ଯ୍ୟନ୍ତ ସରକାର ଇନ୍ସେନ୍ଟିଭ୍ ପ୍ରଦାନ କରିବେ।
ତୃତୀୟରେ ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ୧,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମେଗା ପ୍ରକଳ୍ପଗୁଡ଼ିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଚତୁର୍ଥରେ ସେପ୍ଟେମ୍ୱର ୧୮ରୁ ବିଧାନସଭା ଆରମ୍ଭକୁ କ୍ୟାବିନେଟ ମୋହର ଏବଂ ଲୋକସେବା ଆୟୋଗରେ ୩ ଜଣ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନିଯୁକ୍ତିକୁ ମିଳିଛି ଅନୁମୋଦନ।