LIVE TV

ଗାଜାରେ ହମାସକୁ ନିପାତ କରାଯିବ, ଜାତିସଂଘରେ ନେତାନ୍ୟାହୁଙ୍କ ରଣହୁଙ୍କାର

NEWS7
netanyahu

ୱାଶିଂଟନ ଡିସି, ୨୭/୦୯: ଗାଜା କାମ ତମାମ କରାଯିବ । ସେଠାରେ ହମାସ ଆତଙ୍କୀଙ୍କୁ ନିପାତ କରାଯିବ ଏବଂ  ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯିବ । ଏହି  କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଇସ୍ରାଏଲ  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଜି  ଜାତିସଂଘରେ ଏଭଳି ହୁଙ୍କାର ଦେଇଛନ୍ତି ।  ଜାତିସଂଘ ସାଧାରଣ ପରିଷଦ  ଅଧିବେଶନକୁ ସମ୍ବୋଧନ କରି ନେତନ୍ୟାହୁ  କହିଛନ୍ତି ଯେ, ପଣବନ୍ଦୀଙ୍କୁ ମୁକ୍ତ କରିବାକୁ  ହମାସକୁ କହିଲୁ । ସେମାନେ ଶୁଣିଲେ  ନାହିଁ । ଆମ ସେନା ସେଠାରେ ପ୍ରବେଶ  କରିବେ ଓ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ  କରିବେ । ଗତ ୧ ବର୍ଷ ଭିତରେ ସ୍ଥିତି ବଦଳିଯାଇଛି । ଇସ୍ରାଏଲ ତାର ସବୁ ଶତ୍ରୁଙ୍କୁ  ନିପାତ କରିଛି ।

ୟେମେନରେ ହୁତି,  ଗାଜାରେ ହମାସ, ଲେବାନନରେ ହିଜବୁଲ୍ଲା,  ସିରିୟାରେ ଅସଦ ଏବଂ ସବୁଠାରୁ ବଡକଥା  ହେଉଛି ଇରାନର ଆଣବିକ କାର୍ଯ୍ୟକ୍ରମକୁ  ଧ୍ୱଂସ କରିଦିଆଯାଇଛି । ଏହି ଅବସରରେ  ସେ ପାଲେଷ୍ଟାଇନକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା  ଦେଇଥିବା ଦେଶମାନଙ୍କୁ ସମାଲୋଚନା  କରିଥିଲେ । କହିଥିଲେ ୯/୧୧ ଆକ୍ରମଣ  ପରେ ନ୍ୟୁୟର୍କ ସିଟି ଠାରୁ ୧ ମାଇଲ  ଦୂରରେ ଅଲ୍‌କାଏଦାକୁ ଏକ ରାଷ୍ଟ୍ର ଗଠନ  କରିବାକୁ ଅନୁମତି ଦେବା ଯାହା ଅକ୍ଟୋବର ୭ ଗଣହତ୍ୟା ପରେ ହମାସକୁ ଇସ୍ରାଏଲ  ସୀମା ଠାରୁ ୧ ମାଇଲ ଦୂରରେ ସ୍ୱତନ୍ତ୍ର ରାଷ୍ଟ୍ର  ବନାଇବାକୁ ସ୍ୱୀକୃତି ଦେବା ସହ ସମାନ ।  ଅନ୍ୟପକ୍ଷରେ ନେତନ୍ୟାହୁଙ୍କୁ ଜାତିସଂଘରେ  ବିରୋଧର ସାମ୍‌ନା କରିବାକୁ ପଡିଛି । ସେ  ଭାଷଣ ଦେଉଥିବା ବେଳେ କିଛି ରାଷ୍ଟ୍ରର  ପ୍ରତିନିଧି ନିଜ ଚୌକିରୁ ଉଠି ପଳାଇବା ଦେଖିବାକୁ ମିଳିଥିଲା । ଆଉ କିଛି ପ୍ରତିନିଧି ତାଙ୍କ ଭାଷଣକୁ ପ୍ରଶଂସା ମଧ୍ୟ କରିଥିଲେ ।

ଏହା ପୂର୍ବରୁ ନେତନ୍ୟାହୁ ରାସ୍ତା  ବଦଳାଇ ୬୦୦ କି.ମି. ଅତିରିକ୍ତ ବାଟ  ଅତିକ୍ରମ କରି ଜାତିସଂଘ ସାଧାରଣ  ପରିଷଦ ଅଧିବେଶନରେ ଯୋଗଦେବାକୁ  ନ୍ୟୁୟର୍କରେ ପହଞ୍ଚିଥିଲେ । ଆନ୍ତର୍ଜାତିକ  ଅପରାଧିକ ନ୍ୟାୟାଳୟ (ଆଇସିସି)  ପକ୍ଷରୁ ତାଙ୍କ ବିରୋଧରେ ଜାରି ଗିରଫ  ପରୱାନାରୁ ବର୍ତ୍ତିବାକୁ ସେ ଏଭଳି  କରିଛନ୍ତି । ତେଲ୍‌ ଆଭିଭରୁ ନ୍ୟୁୟର୍କ ଯିବା  ଲାଗି ନେତନ୍ୟାହୁଙ୍କୁ ଅଧିକ ୨ ଘଣ୍ଟା ସମୟ  ଲାଗିଥିଲା । ଫ୍ଲାଇଟ୍‌ ଟ୍ରାକିଂ ଡାଟା ଅନୁସାରେ  ନେତନ୍ୟାହୁଙ୍କ ବିମାନ ଗ୍ରୀସ୍‌ ଓ ଇଟାଲୀ  ବାୟୁସୀମା ଦେଇ ଅତିକ୍ରମ କରିଥିଲା ।  କିନ୍ତୁ ୟୁରୋପର ଅନ୍ୟ କୌଣସି ଦେଶ  ଯେପରି ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ,  ଆୟର୍ଲାଣ୍ଡ ଓ ବ୍ରିଟେନର ବାୟୁସୀମାକୁ  ଯାଇନଥିଲା ।

ସାଧାରଣତଃ ତେଲ୍‌  ଆଭିଭରୁ ନ୍ୟୁୟର୍କ ଯିବା ଲାଗି ୧୦-୧୧  ଘଣ୍ଟା ସମୟ ଲାଗେ । କିନ୍ତୁ ନେତନ୍ୟାହୁଙ୍କୁ  ୧୩ ଘଣ୍ଟା ଲାଗିଥିଲା । ନେତନ୍ୟାହୁଙ୍କ  ବିରୋଧରେ ଆଇସିସି ୨୦୨୪ରେ  ଗିରଫ ପରୱାନା ଜାରି କରିଥିଲା । ଗାଜା  ଆକ୍ରମଣ ଏବଂ ସେଠାରେ ଅନାହାରକୁ  ଅସ୍ତ୍ର ଭାବେ ବ୍ୟବହାର କରିବା ନେଇ  ଅଭିଯୋଗ ହୋଇଥିଲା । ନେତନ୍ୟାହୁ  କୌଣସି ୟୁରୋପୀୟ ଦେଶର ବାୟୁସୀମା  ଦେଇ ଯାଇଥିଲେ ସେଠାରେ ଅବତରଣ  କରିବାକୁ ପଡିଥାନ୍ତା । ଆଇସିସି ନିୟମ  ଅନୁସାରେ ସମ୍ପୃକ୍ତ ଦେଶ ତାଙ୍କୁ ଗିରଫ  କରି ଆଇସିସିକୁ ହସ୍ତାନ୍ତର କରିଥାନ୍ତେ ।