ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା ବାହାରିଲେ ନେତନ୍ୟାହୁ, ହମାସ, ଇରାନ ଓ ମଧ୍ୟପ୍ରାଚ୍ୟ ଶାନ୍ତି ନେଇ ହେବ ଆଲୋଚନା

Published By : Prameya-News7 Bureau | February 02, 2025 IST

ନୂଆଦିଲ୍ଲୀ ୨।୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି। ମଙ୍ଗଳବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହେବ। ନେତନ୍ୟାହୁ ଏପରି ପ୍ରଥମ ବିଦେଶୀ ନେତା ଯାହାଙ୍କ ସହ ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ସାକ୍ଷାତ କରିବାକୁ ଯାଉଛନ୍ତି। ଆମେରିକା ଗସ୍ତରେ ଯିବା ପୂର୍ବରୁ ନେତନ୍ୟାହୁ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସହ ହମାସ ଉପରେ ବିଜୟ, ଇରାନର ମୁକାବିଲା ନିମନ୍ତେ ରଣନୀତି ଓ ଆରବ ଦେଶମାନଙ୍କରେ ଉଭୟ ଦେଶଙ୍କ ମିଳିତ ରଣନୀତି ଉପରେ ଆଲୋଚନା କରିବେ। 

ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥଗ୍ରହଣ କରିବା ପୂର୍ବରୁ ହମାସ ସହିତ ବନ୍ଧକଙ୍କ ମୁକ୍ତି ନିମନ୍ତେ ନେତନ୍ୟାହୁ ଯୁଦ୍ଧବିରତୀ ବୁଝାମଣା କରିଥିଲେ। ଏବେ ନେତନ୍ୟାହୁ ୱାସିଂଟନ ଅଭିମୁଖେ ବାହାରିସାରିଥିବା ବେଳେ ଏପର୍ଯ୍ୟନ୍ତ ୧୮ଜଣ ବନ୍ଧକ ମୁକ୍ତ ହୋଇଛନ୍ତି। ଏହା ବଦଳେ ଇସ୍ରାଏଲ ମଧ୍ୟ ୧୦୦ ପାଲେଷ୍ଟେନୀୟ କୈଦୀଙ୍କୁ ମୁକ୍ତ କରିଦେଇଛି।  ୱାସିଂଟନ ଅଭିମୁଖେ ବାହାରିବା ପୂର୍ବରୁ ନେତନ୍ୟାହୁ ରବିବାର ଏକ ବୟାନରେ କହିଛନ୍ତି ଯେ ହମାସ ଉପରେ ବିଜୟ , ଆମର ସବୁ ବନ୍ଧକଙ୍କ ମୁକ୍ତି ଓ ଇରାନୀ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ମୁକାବିଲା ନେଇ ଟ୍ରମ୍ପଙ୍କ ସହ ଆଲୋଚନା କରିବେ। 

ସେ ହମାସ ସହିତ ପୁରା କ୍ଷେତ୍ରରେ ଇରାନର ରେସିଷ୍ଟାନ୍ସ ଫୋର୍ସ ଗଠନର ଉଲ୍ଲେଖ କରିଛନ୍ତି, ଯାହା ଇସ୍ରାଏଲ ନିମନ୍ତେ ସମସ୍ୟା ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଇସ୍ରାଏଲ ଓ ଆମେରିକା ଏକାଠି କାମ କରି ସେମାନେ ସୁରକ୍ଷାକୁ ମଜଭୁତ କରିପାରିବେ ଓ ତାକତ ବଳରେ ଶାନ୍ତିର ଯୁଗ ହାସଲ କରିପାରିବେ। ଇସ୍ରାଏଲ-ହମାସ ଯୁଦ୍ଧରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତାର କାମ କରିଛନ୍ତି, ଏଥିରେ ଟ୍ରମ୍ପ କତାର ସହ ମିସି ଯୁଦ୍ଧବୀରତି ନେଇ ଇସ୍ରାଏଲ ଓ ହମାସକୁ ରାଜି କରାଇଛନ୍ତି ଏବଂ ବନ୍ଧକକଙ୍କ ମୁକ୍ତି ସୁନିଶ୍ଚିତ କରିଛନ୍ତି। 

ଦୀର୍ଘ ୧୫ ମାସର ଯୁଦ୍ଧ ପରେ ବି ହମାସର ସଫେଇ ହାଇ ପାରି ନାହିଁ ଓ ନେତନ୍ୟାହୁଙ୍କ ଉପରେ ହମାସ ଆଗରେ ମୁଣ୍ଡ ନୁଆଁଇଥିବାର ଅଭିଯୋଗ ଉଠୁଛି। ତେବେ ନେତନ୍ୟାହୁ ଯୁଦ୍ଧବୀରତି ପରେ ଯୁଦ୍ଧରେ ଇସ୍ରାଏଲର ବିଜୟ ଦାବି କରୁଛନ୍ତି। ବେଞ୍ଜାମିନ ନେତନ୍ୟାହୁଙ୍କୁ ଫାର-ରାଇଟ ୱିଙ୍ଗ ସହଯୋଗୀଙ୍କ ପକ୍ଷରୁ ଏବେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ସେମାନେ ମାର୍ଚ୍ଚ ମାସରେ ସିଜଫାୟାର ସମାପ୍ତ ହେବା ମାତ୍ରେ ପୁଣି ଯୁଦ୍ଧ ଆରମ୍ଭ କରିବାକୁ ନେତନ୍ୟାହୁଙ୍କ ଉପରେ ଚାପ ପକାଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.