LIVE TV

ମତଦାନ ବୟସ ହ୍ରାସ କଲେ ନେପାଳ ସରକାର, ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଥମ ସମ୍ୱୋଧନରେ ସୁଶୀଳା କାର୍କିଙ୍କ ଘୋଷଣା

NEWS7
karki

ନୂଆଦିଲ୍ଲୀ: ନେପାଳର ଅନ୍ତୀରଣ ସରକାରରେ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଗୁରୁବାର ପ୍ରଥମ ଥର ଦେଶକୁ ସମ୍ୱୋଧନ କରିଛନ୍ତି । ନିଜ ସମ୍ୱୋଧନରେ ସେ ସଠିକ୍ ସମୟରେ ନିର୍ବାଚନ କରାଇବା ନେଇ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏହାସହ ନେପାଳରେ ମତଦାନ କରିବାର ସର୍ବନିମ୍ନ ବୟସକୁ ୧୮ରୁ ହ୍ରାସ କରି ୧୬ ବର୍ଷ କରାଯାଇଛି । ଜେନ୍-ଜି ଆନ୍ଦୋଳନ ପରେ ସରକାର ଅଧିକରୁ ଅଧିକ ଯୁବକ-ଯୁବତୀଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ କରାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଦେଶକୁ ସମ୍ୱୋଧନ କରି ସୁଶୀଳା କାର୍କି ନିର୍ବାଚନ ପାଇଁ ମତଦାତା ନିୟମବାଳୀ ସଂଶୋଧନ ଅଧ୍ୟାଦେଶ ଜରି କରାଯାଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜେନ୍-ଜି ଗ୍ରୁପଙ୍କ ଦାବି ପରେ ମତଦାତା ନିୟମାବାଳୀ ସଂକଳନ ସମୟ ସୀମାକୁ ଏକ ମାସ ଯାଏ ବଢାଇ ଦିଆଯାଇଛି । ସୁଶୀଳା କାର୍କି କହିଛନ୍ତି ଯେ ବିଦେଶରେ ରହୁଥିବା ନେପାଳୀ ନାଗରିକଙ୍କୁ ଭୋଟ ଦେବାର ଅଧିକାର ଦେବା ପାଇଁ ଆଇନରେ ସଂଶୋଧନ କାମ ଆରମ୍ଭ ହୋଇଛି । ଆଗାମୀ ସମୟରେ ବିଦେଶରେ ରହୁଥିବା ନେପାଳୀ ନାଗରିକଙ୍କୁ ଭୋଟିଂର ଅଧିକାର ଦେବା ପାଇଁ ସରକାର ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି ବୋଲି ସେ ଭରସା ଦେଇଛନ୍ତି ।

ସୁଶୀଳା କାର୍କି କହିଛନ୍ତି, ଜେନ୍-ଜି ଆନ୍ଦୋଳନ ସମୟରେ ନେତାଙ୍କ ଘରୁ ମିଳିଥିବା ଅର୍ଥ ରାଶିର ତଦନ୍ତ ପାଇଁ ଡିପାର୍ଟିମେଣ୍ଟ ଅଫ୍ ମନି ଲଣ୍ଡ୍ରିଂ ଇନଭେଷ୍ଟିଗେସନକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ ପରେ ନେପାଳର ନିର୍ବାଚନ ଆୟୋଗ ମତଦାନ ବୟସକୁ ୧୮ରୁ ହ୍ରାସ କରି ୧୬ ବର୍ଷ କରାଯାଇଥିବା ବିଜ୍ଞପ୍ତି ଜାରି କରିଛନ୍ତି । ନେପାଳ ନିର୍ବାଚନ କମିଶନ କହିଛନ୍ତି ଯେ ୧୬ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ନେପାଳୀ ନାଗରିକତା ଥିବା ଯୁବକ ଯୁବତୀମାନେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟରେ ଭୋଟର ଭାବରେ ପଞ୍ଜୀକରଣ କରିପାରିବେ ।