କାଠମାଣ୍ଡୁ ୮।୯: ନେପାଳରେ ୮ ସେପ୍ଟେମ୍ବର ଦିନ ତମାମ ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ଗୃହମନ୍ତ୍ରୀ ରମେଶ ଲେଖକ ବିଳମ୍ବିତ ସଂଧ୍ୟାରେ ଇସ୍ତଫା ଦେଇଛନ୍ତି। ଗୃହମନ୍ତ୍ରୀ ଏହି ପ୍ରଦର୍ଶନ ଲାଗି ନିଜକୁ ନୈତିକ ଦାୟି କରି ଇସ୍ତଫା ଦେଇଥିବା ଜଣାପଡିଛି। ଗତ ସେପ୍ଟେମ୍ବର ୨ ତାରିଖ ଦିନ ନେପାଳ ସରକାର ଫେସବୁକ୍, ହ୍ୱାଟସଆପ, ଇଂଷ୍ଟା, ଟ୍ୱିଟର ସମେତ କେତେକ ସୋସିଆଲ ମିଡିଆ ସାଇଟ୍ କୁ ଦେଶରେ ବ୍ୟାନ କରିଥିଲେ। ଏହାକୁ ବିରୋଧ କରି ନେପାଳ ଯୁବ ବର୍ଗ ସୋମବାର ଦିନ ତମାମ ପ୍ରଦର୍ଶନ କରିଛନ୍ତି।

ନେପାଳରେ ଦିନ ତମାମ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ‘ଜେନ୍-ଜେଡ୍ ପ୍ରୋଟେଷ୍ଟ’ ନାମ ଦିଆଯାଇଛି। ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସନ୍ଧ୍ୟାରେ ବଲୁଭାଟରସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜରୁରି କ୍ୟାବିନେଟ୍ ବୈଠକ ଆୟୋଜନ କରିଥିଲେ। ଏହି ବୈଠକରେ ଗୃହମନ୍ତ୍ରୀ ରମେଶ ଲେଖକ ମଧ୍ୟ ଯୋଗ ଦେଇଥିଲେ। କିଛିଘଣ୍ଟା ଧରି ବୈଠକ ଚାଲିବା ପରେ ଲେଖକ ଗୃହମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ତେବେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରୁଥିଲେ।

​​​​​​​ଜେନ-ଜେଡ୍ ପ୍ରୋଟେଷ୍ଟ ନେପାଳ ରାଜଧାନୀ କାଠମାଣ୍ଡୁର ପରିସ୍ଥିତିକୁ ସୋଚନୀୟ କରିଛି। ଏହି ବିକ୍ଷୋଭ ପ୍ରଦର୍ଶନ କାଳରେ ସୋମବାର ଅନୁନ୍ୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ରାଜଧାନୀ କାଠମାଣ୍ଡୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଶେଷରେ ସେନା ମୁତୟନ କରାଯାଇଛି।