କାଠମାଣ୍ଡୁ ୦୯/୦୯: ଜେନ-ଜେଡଙ୍କ ଜିଦ୍‌ ଆଗରେ ହାରିଗଲେ ନେପାଳ ସରକାର । ସୋସିଆଲ ମିଡିଆ ଉପରୁ ହଟିଲା ପ୍ରତିବନ୍ଧକ । ସୋସିଆଲ୍ ମିଡିଆ ବ୍ୟାନ୍ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା । 
ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ ।

ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍‌ କରିଥିଲେ ନେପାଳ ସରକାର । ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ବିଶେଷ କରି ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ଗଭୀର ପ୍ରଭାବିତ ହୋଇଥିଲା । ସୋସିଆଲ ମିଡିଆ ଉପରେ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା। ସୋମବାର ରାତିରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପ୍ରତ୍ୟାହାର ହେଲା ବୋଲି କହିଛନ୍ତି ଯୋଗାଯୋଗ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ ।

ନେପାଳର ଯୋଗାଯୋଗ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ ଏହି ପ୍ରତିବନ୍ଧକ ହଟାଇବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହିଂସା ଏବଂ ପ୍ରତିବାଦକୁ ଦୃଷ୍ଟିରେ ରଖି, ନେପାଳ କ୍ୟାବିନେଟର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଯେଉଁଥିରେ ସର୍ବସମ୍ମତିକ୍ରମେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା।ସେପଟେ ଏହି ଘଟଣାକୁ ନେଇ ଇସ୍ତଫା ଦେଇଛନ୍ତି ନେପାଳ ଗୃହମନ୍ତ୍ରୀ ରମେଶ ଲେଖାକ । ଗତକାଲି ଏହି ଘଟଣାକୁ ନେଇ ୭ଟି ସହରରେ କର୍ଫ୍ୟୁ ଜାରି ହୋଇଥିଲା ।

କାଠମାଣ୍ଡୁସ୍ଥିତ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ କର୍ଫ୍ୟୁ ଜାରି ହୋଇଥିଲା । ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଥିଲା । ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ଏଥିରେ ସାମିଲ ହୋଇଥାନ୍ତି । ଦେଶରେ ଉତ୍ତେଜନା ପରେ ଭାରତ-ନେପାଳ ସୀମାରେ ସୁରକ୍ଷା ବଢାଇ ଦିଆଯାଇଥିଲା । ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ଏବେ ନେପାଳରେ ସମସ୍ତ ସାମାଜିକ ନେଟୱାର୍କିଂ ସାଇଟ୍ ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ଏକ୍ସ (ଟ୍ୱିଟର) ଏବଂ ଅନ୍ୟାନ୍ୟ ୨୬ଟି ପ୍ଲାଟଫର୍ମ ସକ୍ରିୟ ହୋଇଗଲାଣି।