ମାଆ-ବାପାଙ୍କ ଅବହେଳା ନା ସିଷ୍ଟମ୍‌ର ଦୋଷ ? ସଡ଼କ ଦୁର୍ଘଟଣାରେ ବଢୁଛି କିଶୋରଙ୍କ ଭୂମିକା

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ଭାରତରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇବା ଅପରାଧ ଅଟେ । ଲୋକଙ୍କ ସୁରକ୍ଷା ପାଇଁ ସରକାର ପୂର୍ବ ଅପେକ୍ଷା ଏବେ ନିୟମକୁ ଅଧିକ କଠୋର କରିଛନ୍ତି । କିନ୍ତୁ କଡ଼ାକଡ଼ି ପାଳନ ହେଉ ନଥିବାରୁ ଲୋକ ନିୟମକୁ ଭାଙ୍ଗୁଛନ୍ତି । ଏଥିରେ ସବୁଠୁ ଅଧିକ କ୍ଷତି ସେତେବେଳେ ହୁଏ, ଯେତେବେଳେ କୌଣସି ନାବାଳକ ଗାଡ଼ି ଧରି ରାସ୍ତାକୁ ଓହ୍ଲାନ୍ତି । ପୁଣେ ପୋର୍ସ କାଣ୍ଡ ଏହାର ବଡ଼ ଉଦାହରଣ ଅଟେ । ଏହି ଘଟଣା ଏହା ମଧ୍ୟ ଦର୍ଶାଉଛି ଯେ ଦୁର୍ଘଟଣାରେ ନାବାଳକଙ୍କ ଭୂମିକା ଅଧିକ ବଢୁଛି । ଏହା ସେବେଠୁ ଯେତେବେଳେ ନୂଆ ଆଇନ କହୁଛି ଯେ ଯଦି ନାବାଳକ ଦ୍ୱାରା କୌଣସି ଦୁର୍ଘଟଣା ଘଟେ ତେବେ ମାଆ-ବାପାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ଏବଂ ତାଙ୍କୁ ଦଣ୍ଡିତ ମଧ୍ୟ କରାଯିବ ।

ଏନସିଆରବି ରିପୋର୍ଟରେ କୁହାଯାଇଛି ଯେ ଯାତାୟାତ ଦୁର୍ଘଟଣା ୨୦୨୦ରେ ୩,୬୮,୮୨୮ରୁ ବଢି ୨୦୨୧ରେ ୪,୨୨,୬୫୯ ହୋଇଛି । ଏବଂ ୧୮ ବର୍ଷରୁ କମ୍ ପିଲାଙ୍କ ଯୋଗୁଁ ପ୍ରାୟ ୯.୬ ପ୍ରତିଶତ ମୃତ୍ୟୁ ହେଉଛି । ଦେଶର ରାଜଧାନୀରେ କମ ବୟସରେ ଗାଡ଼ି ଚଲାଇବା ମାମଲା ଗତ କିଛି ବର୍ଷରେ ଲଗାତାର ବଢୁଛି । ୨୦୧୯ରେ ପୂର୍ବରୁ ୧୫ ଦିନରେ କମ ବୟସରେ ଗାଡ଼ି ଚଲାଇବା ପାଇଁ ୬୧ ପିଲାଙ୍କ ଚାଲାଣ କଟାଯାଇଥିଲା ।

ଟ୍ରାଫିକ୍ ପୋଲିସର ରେକର୍ଡ ଅନୁସାରେ ୨୦୧୩ରେ କମ ବୟସର ଡ୍ରାଇଭରଙ୍କ ହାରାହାରି ବୟସ ୧୫ରୁ ୧୬ ବର୍ଷ ମଧ୍ୟରେ ଥିଲା । ତେବେ ଗତ ୫ ବର୍ଷରେ ହାରାହାରି ବୟସ ୧୩ରୁ ୧୪ ବର୍ଷ ମଧ୍ୟରେ ରହିଛି । କିଛି ମାମଲାରେ ୧୧ ବର୍ଷରୁ ବି କମ ବର୍ଷର ପିଲା ଗାଡ଼ି ଚଲାଇବା ବେଳେ ଧାରପଡ଼ିଛନ୍ତି ।

୨୦୧୩ରୁ ୨୦୧୮ ମଧ୍ୟରେ କମ ବୟସରେ ଗାଡ଼ି ଚଲାଇବା ମାମଲାରେ ୫୮୯ ପ୍ରତିଶତ ବୃଦ୍ଧି ଦେଖିବାକୁ ଘଟିଛି । ପ୍ରତିବର୍ଷ ଏହି ସଂଖ୍ୟା ବଢି ଚାଲିଛି । ସେହିପରି ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୪୦ରୁ ଅଧିକ ପିଲାଙ୍କ ପ୍ରାଣ ଯାଉଛି । ଏହା ପଛରେ ସବୁଠୁ ଅଧିକ ଦାୟୀ ହେଉଛନ୍ତି କମ ବୟସର ଡ୍ରାଇଭର ।

ସରକାରଙ୍କ ଦ୍ୱାରା କମ ବୟସରେ ଡ୍ରାଇଭିଂ ବିରୋଧରେ କଡ଼ା ଆଇନ ଲାଗୁ କରାଯାଇଛି । ଏହା ସତ୍ତ୍ୱେ ମାଆ-ବାପା ଏବଂ ପିଲା ଏହାର ପରିଣାମକୁ ନେଇ ଚିନ୍ତିତ ନାହାନ୍ତି । ଏକ ରିପୋର୍ଟ ଅନୁସାରେ ୯୦ ପ୍ରତିଶତ ନାବାଳକ ସ୍ୱୀକାର କରିଛନ୍ତି ଯେ ଗାଡ଼ି ଚଲାଇବା କଥାକୁ ସେମାନଙ୍କ ବାପା-ମାଆ ଜାଣିଛନ୍ତି । ଏହା ବ୍ୟତୀତ ପ୍ରାୟ ୭୦ ପ୍ରତିଶତ ନାବାଳକଙ୍କୁ ସେମାନଙ୍କ ବାପା-ମାଆ ନିଜେ ଗାଡ଼ି ଚଲାଇବା ପାଇଁ ଅନୁମତି ଦିଅନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.