ଧାରା ୩୭୦ ଉଲ୍ଲେଖ, ହଟିଲା ଆଜାଦ୍ ପାକିସ୍ତାନ, ଯୋଡ଼ି ହେଲା ଚୀନ୍ ଅନୁପ୍ରବେଶ ଶବ୍ଦ; ଯୁକ୍ତ ୨ ବହିରେ NCERTର ବଡ଼ ପରିବର୍ତ୍ତନ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: କଲେଜରେ ପାଠପଢ଼ା ପୂର୍ବରୁ NCERT ନିଜ ପାଠ୍ୟ ଖସଡ଼ାରେ ଅନେକ ପରିବର୍ତ୍ତନ କରିଛି । ଯୁକ୍ତ ୨ ରାଜନୀତି ବିଜ୍ଞାନ ବହିରେ କିଛି ବିଷୟକୁ ହଟାଇ ଦେଇଛି । ଦ୍ବାଦଶ ଶ୍ରେଣୀ ବହିରୁ ଆଜାଦ୍ ପାକିସ୍ତାନରୁ ନେଇ ଚୀନର ଅନୁପ୍ରବେଶ ଏବଂ ପିଓକେ ଭଳି ଶବ୍ଦରେ ଅନେକ ପରିବର୍ତ୍ତନ କରିଛି ।

NCERT ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ପାଠ୍ୟ ଖସଡ଼ାରେ ଚୀନ୍ ସହିତ ଭାରତ ସୀମା ସ୍ଥିତି ସହିତ ଜଡ଼ିତ ବିଷୟରେ କିଛି ପରିବର୍ତ୍ତନ କରିଛି । ବହିରେ ‘କଣ୍ଟେମ୍ପୋରାରୀ ଓ୍ବାର୍ଲ୍ଡ ପଲିଟିକ୍ସ’ର ଦ୍ବିତୀୟ ବିଷୟରେ ଭାରତ-ଚୀନ୍ ସମ୍ପର୍କ ଶୀର୍ଷକରେ ପୂରୁଣା ବିଷୟବସ୍ତୁକୁ ସଂଶୋଧନ କରିଛି । ପୂର୍ବରୁ ବହିର ପୃଷ୍ଠା ସଂଖ୍ୟା ୨୫ରେ ଲେଖାଯାଇଥିଲା, ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ହୋଇଥିବା ସୈନ୍ୟ ସଂଘର୍ଷ, ସମସ୍ତ ଆଶାକୁ ଶେଷ କରିଦେଉଛି । ଏହି ବାକ୍ୟକୁ ହଟାଇ ଏହା ବଦଳରେ ଭାରତୀୟ ସୀମାରେ ଚୀନର ଅନୁପ୍ରବେଶ ସମସ୍ତ ଆଶାକୁ ଶେଷ କରି ଦେଇଛି ବୋଲି ଏନସିଆରଟି ଲେଖିଛି । ଅର୍ଥାତ୍ ସୈନ୍ୟ ସଂଘର୍ଷ ଶବ୍ଦ ସ୍ଥାନରେ ଅନୁପ୍ରବେଶ ଶବ୍ଦ ଲେଖାଯାଇଛି ।

 NCERT କେବଳ ଯୁକ୍ତ ୨ ରାଜନୀତି ବିଜ୍ଞାନରେ ଭାରତ-ଚୀନ୍ ସମ୍ପର୍କ ବିଷୟକୁ ପରିବର୍ତ୍ତନ କରିନାହିଁ  ବରଂ ‘ପଲିଟିକ୍ସ ଇନ୍ ଇଣ୍ଡିଆ ସିନସ୍ ଇଣ୍ଡିପେଣ୍ଡେନ୍ସ’  ବହିର  ଆଜାଦ୍ ପାକିସ୍ତାନ ଶବ୍ଦକୁ ହଟାଇ ସେହି ସ୍ଥାନରେ ପାକିସ୍ତାନ କବଜା କରିଥିବା ଜାମ୍ମୁ-କାଶ୍ମୀରର କିଛି ଅଂଶ ବୋଲି ଲେଖିଛି ।

ରାଜନୀତି ବିଜ୍ଞାନ ବହିର ୧୧୯ ତମ ପୃଷ୍ଠାରେ ପ୍ରଥମେ କୁହାଯାଇଥିଲା ଭାରତ ଦାବି କରୁଛି ଯେ, ଏହି ଅଞ୍ଚଳକୁ ବେଆଇନ ଭାବେ କବଜା କରାଯାଇଛି । ମାତ୍ର ପାକିସ୍ତାନ ଏହି ଅଞ୍ଚଳକୁ ଆଜାଦ୍ ପାକିସ୍ତାନ କହୁଥିଲା । ହେଲେ ଏହାକୁ ବଦଳାଇ ଦିଆଯାଇଛି । ଏବେ ବହିରେ ଲେଖା ହୋଇଛି, ଏହା ଭାରତର ଅଞ୍ଚଳ ଅଟେ, ଯାହାକୁ ପାକିସ୍ତାନ ବେଆଇନ ଭାବେ କବଜା କରିଛି । ପାକିସ୍ତାନ ଦ୍ବାରା ଅକ୍ତିଆରରେ ରହିଥିବା ଜାମ୍ମୁ-କାଶ୍ମୀରର ଅଂଶକୁ 'ପିଓକେ' କୁହାଯାଉଛି । 

NCERT ରାଜନୀତି ବିଜ୍ଞାନର ପୃଷ୍ଠା ସଂଖ୍ୟା ୧୩୨ରେ ଧାରା ୩୭୦କୁ ହଟାଇ ଦିଆଯାଇଛି ବୋଲି ଦାବି କରାଯାଇଛି । ଏହା ପୂର୍ବରୁ ବହିରେ ଲେଖାଯାଇଥିଲା, ସର୍ବାଧିକ ରାଜ୍ୟମାନଙ୍କ ପାଖରେ ସମାନ ଶକ୍ତି ରହିଛି । ହେଲେ ଜାମ୍ମୁ-କାଶ୍ମୀର ଭଳି କିଛି ରାଜ୍ୟ ଏବଂ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ଶକ୍ତି ଦିଆଯାଇଛି । ତେବେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ଶକ୍ତି ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦କୁ ୨୦୧୯ ଅଗଷ୍ଟ ମାସରୁ ହଟାଇ ଦିଆଯାଇଛି ବୋଲି ବହିରେ ଉଲ୍ଲେଖ ରହିଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.