LIVE TV

ଚୀନ୍ ରେ ଜିଓନ ଚର୍ଚ୍ଚ ଓ ଏହାର ପାଷ୍ଟରମାନଙ୍କ ବିରୋଧରେ ଦେଶବ୍ୟାପୀ କଡ଼ା କାର୍ଯ୍ୟାନୁଷ୍ଠାନ

NEWS7
Zion Church

ବେଜିଂ ୧୩।୧୦: ଚୀନ୍‌ ର କମ୍ୟୁନିଷ୍ଟ ଅଧିକାରୀମାନେ ଦେଶର ସର୍ବ ବୃହତ୍ତ ଅଣପଞ୍ଜିକୃତ ଖ୍ରୀଷ୍ଟ ଧର୍ମସଭା ମଧ୍ୟରେ ଅନ୍ୟତମ ଜିଓନ ଚର୍ଚ୍ଚ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏଥିରେ ବିଭିନ୍ନ ପ୍ରାନ୍ତରେ ୩୦ରୁ ଅଧିକ ପାଷ୍ଟର ଓ ସଦସ୍ୟଙ୍କୁ ଗିରଫ କରାଯାଇଛି। ‘ଦି ଏପୋଚ ଟାଇମ୍ସ’ ରିପୋର୍ଟ ଅନୁସାରେ ଚୀନ୍‌ ର ଏପରି କାର୍ଯ୍ୟାନୁଷ୍ଠାନ ଯୋଗୁ ଅନ୍ତର୍ଜାତୀୟ ମାନବାଧିକାର ଅଧିବକ୍ତା ଓ ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଜିଓନ ଚର୍ଚ୍ଚ ଦ୍ୱାରା ଜାରି ତଥା ଟେକ୍ସାସସ୍ଥିତ ମାନବାଧିକାର ସମୂହ ଚାଇନା ଏଡ ଦ୍ୱାରା ସେୟାର କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ ଚୀନ୍ ଅଧିକାରୀମାନେ ୫ ପ୍ରାନ୍ତ ସମେତ ବେଜିଂ ଓ ସଂଘାଇରେ ମଧ୍ୟ ଏକ ସଙ୍ଗରେ ଚଢଉ କରିଛନ୍ତି। ଚର୍ଚ୍ଚ କହିଛି ଯେ ଗିର୍ଜାଘରମାନଙ୍କର ପ୍ରାର୍ଥନା କକ୍ଷକୁ ସିଲ କରିଦିଆଯିବା ସହ ସମ୍ପତ୍ତି ଜବତ କରାଯାଇଛି ଓ ସଦସ୍ୟଙ୍କ ପରିବାରଙ୍କୁ ହଇରାଣ କରାଯାଉଛି।

ଚର୍ଚ୍ଚ ବୟାନରେ କହିଛି ଯେ ଅଟକ କରାଯାଇଥିବା ଆମର ପାଷ୍ଟର ବିଶ୍ୱାସୀ ଓ ନିର୍ଦ୍ଦୋଷ ଖ୍ରୀଷ୍ଟିଆନ ଅଟନ୍ତି। ସେମାନଙ୍କ ଏକମାତ୍ର କାମ ଈଶ୍ୱରଙ୍କ ଆରାଧନା, ସୁସମାଚାରର ପ୍ରସାର ଓ ନିଜ ସମୂଦାୟର ସେବା କରିବା। ସମୂହ ଏହି ଗିରଫଦାରୀକୁ ନିନ୍ଦା କରିବା ସହିତ ଚୀନ ସମ୍ବିଧାନ ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନର ଘୋର ଉଲ୍ଲଂଘନ ବୋଲି କହିଛି। ଗିରଫ ଲୋକଙ୍କ ମଧ୍ୟରେ ଜିଓନର ମୁଖ୍ୟ ପାଦ୍ରୀ ଏଜ୍ରା ଜିନ ମିଙ୍ଗରୀ ମଧ୍ୟ ଅଛନ୍ତି। ତାଙ୍କୁ ଅକ୍ଟୋବର ୧୦ ତାରିଖ ଦିନ ଗୁଆଙ୍ଗସୀ ପ୍ରାନ୍ତର ବେଇହାଇସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା।

ଆମେରିକାରେ ରହୁଥିବା ତାଙ୍କ ଝିଅ ଗ୍ରେସ ଜିନ କହିଛନ୍ତି ଯେ ସମ୍ଭବତଃ କୋଭିଡ-୧୯ କଟକଣା ପରେ ଚୀନ୍‌ରେ ଚର୍ଚ୍ଚର ଦ୍ରୁତ ପ୍ରସାର ଯୋଗୁ ତାଙ୍କ ପିତାଙ୍କୁ ଗିରଫ କରାଯାଇଛି। ସେକହିଛନ୍ତି ଯେ ମହାମାରୀ ପରେ ଜିଓନର ଦ୍ରୁତ ବିସ୍ତାର ହୋଇଛି ଓ ଏଥି ଯୋଗୁ ଅଧିକାରୀ ବିବ୍ରତ ହୋଇପଡିଛନ୍ତି। ଏପରି ହେବ ବୋଲି ଆଗରୁ ଜଣାଥିଲା, ତେବେ ସେ ତାଙ୍କ ଅନୁଗାମୀଙ୍କ ସହ ରହିବା ତାଙ୍କର କର୍ତ୍ତବ୍ୟ ହୋଇଥିବାରୁ ତାଙ୍କୁ ସେଠାରୁ ଆଣିବାକୁ ଆମେ ଇଛା କରୁନଥିଲୁ। ଆମେରିକା ବିଦେଶମନ୍ତ୍ରୀ ମାର୍କୋ ରୁବିୟୋ, ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନସ୍ ଓ ପୂର୍ବତନ ବିଦେଶମନ୍ତ୍ରୀ ମାଇକ୍ ପୋମ୍ପିୟୋଙ୍କ ସମେତ ଆମେରିକୀୟ ଅଧିକାରୀମାନେ ଚର୍ଚ୍ଚ ଉପରେ ସିସିପିର ଦମନକୁ ନିନ୍ଦା କରିଛନ୍ତି।