ପାଟନା – ବିହାର ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ କମିଶନ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ( ଏସଆଇଆର) ପ୍ରକ୍ରିୟା ପରେ, ଆଜି ସଂଶୋଧିତ ଭୋଟର ତାଲିକାର ଡ୍ରାଫ୍ଟ ଜାରି କରିଛନ୍ତି। ଶୁକ୍ରବାର ଦ୍ୱିପ୍ରହରରେ ଡ୍ରାଫ୍ଟ ଭୋଟର ତାଲିକାକୁ ଜିଲ୍ଲାୱାରୀ ନିର୍ବାଚନ କମିଶନଙ୍କର ଅଫିସିଆଲି ୱେବସାଇଟ୍ http://voters.eci.gov.in ରେ ମଧ୍ୟ ଡ୍ରାଫ୍ଟ ଭୋଟର ତାଲିକା ଅପଲୋଡ କରିଦିଆ ଯାଇଛି। ଯେଉଁଥିରେ ୬୫.୨ ଲକ୍ଷ ମତଦାତାଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଏହି ସବୁ ନାଁର ତାଲିକା ଜିଲ୍ଲାୱାରୀ ରାଜନୀତିକ ଦଳ ଗୁଡ଼ିକର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଛି। ଏହାସହ ଡ୍ରାଫ୍ଟ ଭୋଟର ତାଲିକାର ହାର୍ଡକପି ଓ ସଫ୍ଟ କପି ମଧ୍ୟ ଦିଆ ଯାଇଛି। ତଥ୍ୟ ଅନୁସାରେ , କିଶନଗଞ୍ଜରେ ୧ ଲକ୍ଷ ୪୫ ହଜାର ୯୧୩ ଲୋକଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି। ସହରସାରେ ୧ ଲକ୍ଷ ୩୧ ହଜାର ୫୯୬ ଭୋଟରଙ୍କ ନାମକୁ ବାଦ ଦିଆଯାଇଛି।
ରାଜ୍ୟସ୍ତରୀୟ ବୈଠକରେ ବିହାରର ସିଇଓ ଏହାର ସୂଚନା ଶୁକ୍ରବାର ସ୍ୱୀକୃତି ପ୍ରାପ୍ତ ଦଳ ଗୁଡ଼ିକର ପ୍ରତିନିଧିଙ୍କୁ ଦେଇଛନ୍ତି। ଏହି ବୈଠକରେ ଆମ୍ ଆଦମୀ ପାର୍ଟି , ନ୍ୟାସନାଲ ପିପୁଲ୍ସ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ବ୍ୟତୀତ ଅବିଶିଷ୍ଟ ୯ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ହୋଇଥିଲା। ନିର୍ବାଚନ ବିଭାଗର ସଭାଗୃହରେ ଆୟୋଜିତ ଏହି ବୈଠକରେ ଦଳ ଗୁଡ଼ିକର ପ୍ରତିନିଧିଙ୍କୁ ଡ୍ରାଫ୍ଟ ଭୋଟର ତାଲିକାର କପି ଦିଆଯାଇଛି।
ବୈଠକରେ ବିହାରର ସିଇଓ ବିନୋଦ ସିଂହ ଗୁଞ୍ଜିୟାଲ ଭୋଟର ତାଲିକାକୁ ଅପଡେଟ୍ କରିବା ପାଇଁ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିଙ୍କ ଠାରୁ ସହଯୋଗ ମାଗିଛନ୍ତି। ଭୋଟର ବା ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳ ଠାରୁ ୧ ଅଗଷ୍ଟରୁ ୧ ସେପ୍ଟେମ୍ୱର ପର୍ଯ୍ୟନ୍ତ ଦାବି ଓ ଅଭିଯୋଗ ନିଆଯିବ। ଏହି ସମୟରେ କେହି ବି ଯୋଗ୍ୟ ଭୋଟର, ଯିଏ ତାଲିକାରେ ସାମିଲ ହୋଇ ପାରି ନାହାନ୍ତି , ନିଜର ନାଁ ଯୋଡ଼ିବା , କୌଣସି ଅଯୋଗ୍ୟ ନାମକୁ ହଟାଇବା ବା ସଂଶୋଧନ ପାଇଁ ଆବେଦନ କରି ପାରିବେ।