ନ୍ୟୁୟର୍କ, ୧୫|୧୧: ମାଲିକକୁ ଗୁଳି କରିଦେଲା କୁକୁର । ସୌଭାଗ୍ୟବଶତଃ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ମାଲିକ । ଏପରି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ଆମେରିକାର ପେନସିଲଭାନିଆରେ । ଗୁରୁତର ଆହତ ହୋଇ ବ୍ୟକ୍ତିଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏବେବି ସେ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ପେନସିଲଭାନିଆର ସିଲିଙ୍ଗଟନରେ ଜଣେ ବ୍ୟକ୍ତି ସବୁଦିନ ନିଜ ବନ୍ଧୁକକୁ ସଫା କରନ୍ତି । ଗୁରୁବାର ସେ ନିଜ ବନ୍ଧୁକକୁ ସଫା କରି ଖଟ ଉପରେ ରଖି ଦେଇଥିଲେ । ଏହି ସମୟରେ ତାଙ୍କ ପୋଷା କୁକୁର ଆସି ବନ୍ଧୁକ ଉପରେ ବସି ପଡିଥିଲା । ଏତିକିବେଳେ ଗନର ଟ୍ରିଗର୍ ଦାବି ହୋଇଯାଇଥିଲା । ଗୁଳି ସିଧାଯାଇ ବାଜିଥିଲା ବ୍ୟକ୍ତିଙ୍କ ଅଣ୍ଟାରେ । ଫଳରେ ବ୍ୟକ୍ତିଜଣଙ୍କ ଚିତ୍କାର କରି ଛଟପଟ ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଅଧିକାରୀ ମାଇକେଲ କହିଛନ୍ତି ଯେ, ଏବେସୁଦ୍ଧା କିପରି ଗୁଳିଚାଳନା ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ତଦନ୍ତ ଜାରି ରହିଛି । କୁକୁରର ଏଥିରେ ସମ୍ପୃକ୍ତି ନେଇ ମାଲିକ କହୁଛନ୍ତି । କିନ୍ତୁ ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

ଗୁଳିମାଡ ପରେ ପ୍ରଥମେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏବେ ସେ ସାମାନ୍ୟ ସୁସ୍ଥ ଅଛନ୍ତି । କିନ୍ତୁ ସବୁ ଦୋଷ କୁକୁରକୁ ଦେଇଛନ୍ତି । ଖଟରେ ବନ୍ଧୁକ ଥିବା ବେଳେ କୁକୁରଟି ଡେଇଁ ପଡିଥିଲା । ଯାହା ଫଳରେ ଗୁଳି ବାହାରି ଅଣ୍ଟାରେ ବାଜିଥିବା ସେ ପ୍ରକାଶ କରିଛନ୍ତି ।