LIVE TV

ମହିଳା ସାମ୍ୱାଦିକଙ୍କ ଏଣ୍ଟ୍ରି ବ୍ୟାନ୍‌, ଦିଲ୍ଲୀରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ସାମ୍ୱାଦିକ ସମ୍ମିଳନୀରେ ତାଲିବାନୀ ନିର୍ଦ୍ଦେଶ

NEWS7
taliban

ନୂଆଦିଲ୍ଲୀ: ଆଫଗାନିସ୍ତାନର ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଗୁରୁବାରଠାରୁ ଭାରତ ଗସ୍ତରେ ଆସିଛନ୍ତି । ସେ ସାତ ଦିନିଆ ଗସ୍ତରେ ଅଛନ୍ତି । ଶୁକ୍ରବାର ସେ ଭାରତୀୟ ପ୍ରତିପକ୍ଷ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, କିନ୍ତୁ ମହିଳା ସାମ୍ବାଦିକମାନଙ୍କ ପାଇଁ ପ୍ରବେଶ କଟକଣା ଲଗାଯାଇଥିଲା ।

ଜୟଶଙ୍କରଙ୍କ ସହ ସାକ୍ଷାତରେ ମୁତାକି ଦ୍ୱିପାକ୍ଷିକ ବାଣିଜ୍ୟ, ମାନବୀୟ ସହାୟତା ଏବଂ ସୁରକ୍ଷା ସହଯୋଗ ବିଷୟରେ ଆଲୋଚନା କରିଥିଲେ । ଆଫଗାନ ବୈଦେଶିକ ମନ୍ତ୍ରୀ କହିଥିଲେ, ଆଫଗାନ ମାଟି କେବେ ବି କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରାଯିବ ନାହିଁ । ତେବେ ସାମ୍ବାଦିକ ସମ୍ମିଳନୀରେ ସବୁଠାରୁ ବିବାଦୀୟ ପ୍ରସଙ୍ଗ ଥିଲା ମହିଳା ସାମ୍ବାଦିକଙ୍କ ଅନୁପସ୍ଥିତି । ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ସାମ୍ବାଦିକ ଏବଂ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, କୌଣସି ମହିଳା ସାମ୍ବାଦିକଙ୍କୁ ସାମ୍ବାଦିକ ସମ୍ମିଳନୀକୁ ନିମନ୍ତ୍ରଣ ନ କରିବା ଏକ ଗ୍ରହଣୀୟ ନୁହେଁ । ଅନ୍ୟ ଜଣେ ଲେଖିଛନ୍ତି, "ମୁଁ ଭାବୁଛି ପୁରୁଷ ସାମ୍ବାଦିକମାନେ ପ୍ରତିବାଦ କରି ସାମ୍ବାଦିକ ସମ୍ମିଳନୀ ବୟକଟ୍ କରିବାର ଥିଲା।"

ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ଅନୁପସ୍ଥିତି ଆଫଗାନିସ୍ତାନରେ ମହିଳାଙ୍କ ଭୟଙ୍କର ପରିସ୍ଥିତିକୁ ସ୍ପଷ୍ଟ କରୁଛି । ୨୦୨୧ ଅଗଷ୍ଟରେ ତାଲିବାନ ପୁଣି କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନରେ ମହିଳାଙ୍କ ପରିସ୍ଥିତି ଅତି ଖରାପ ହୋଇଛି । ତାଲିବାନ ମହିଳା ଅଧିକାର ଉପରେ କଟକଣା ଲଗାଇଛି।ଅନ୍ତର୍ଜାତୀୟ ସମୁଦାୟ ଏବଂ ମାନବାଧିକାର ସଂଗଠନଗୁଡ଼ିକ ଏହାକୁ ଲିଙ୍ଗଗତ ବର୍ଣ୍ଣବୈଷମ୍ୟ ବୋଲି କହିଛନ୍ତି ।

ଗତ ମାସରେ, ଆଫଗାନିସ୍ତାନରେ ସପ୍ତାହ ମଧ୍ୟରେ ତୃତୀୟ ଭୂମିକମ୍ପ ହୋଇଥିଲା। ଏଥିରେ ୨,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ । ରିପୋର୍ଟ ଦର୍ଶାଉଛି ଯେ ଏହି ବିପର୍ଯ୍ୟୟରେ ମହିଳାମାନେ ସବୁଠାରୁ ଅଧିକ ପ୍ରଭାବିତ କରିଥିଲେ । ତାଲିବାନର କଠୋର ନିୟମ ପୁରୁଷ ଉଦ୍ଧାରକାରୀମାନଙ୍କୁ ମହିଳାଙ୍କୁ ସ୍ପର୍ଶ କରିବାକୁ ମନା କରିଥିଲା । ଅନେକ ମହିଳା ପୀଡିତାଙ୍କୁ ଉଦ୍ଧାର ପାଇଁ ମହିଳାଙ୍କୁ ଆଗକୁ ଆସିବାକୁ ପଡ଼ିଖିଲା ।

ତାଲିବାନ ୧୨ ବର୍ଷରୁ ଅଧିକ ବୟସର ଝିଅମାନଙ୍କ ପାଇଁ ମାଧ୍ୟମିକ ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସମ୍ପୂର୍ଣ୍ଣ ବ୍ୟାନ କରିଛି । ୨୦୨୫ ଶେଷ ସୁଦ୍ଧା ଲକ୍ଷ ଲକ୍ଷ ଝିଅ ସ୍କୁଲ ଏବଂ କଲେଜରୁ ବଞ୍ଚିତ ହେବେ । କେବଳ ପ୍ରାଥମିକ ଶିକ୍ଷା ପାଇଁ ଅନୁମତି ରହିଛି, ସେଥିରେ ବି ସୀମିତ ଏବଂ କଠୋର ଧାର୍ମିକ ପାଠ୍ୟକ୍ରମ ସହିତ । ତାଲିବାନ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ କାମ କରିବାରୁ ନିଷେଧ କରିଛି । ସରକାରୀ ଚାକିରି, ଏନଜିଓ ଏବଂ ଘରୋଇ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ପ୍ରାୟତଃ ଶେଷ ହୋଇଯାଇଛି ।