ଢେଙ୍କାନାଳ ୨୧/୪: ବୀଭତ୍ସ,ଅମାନୁଷିକ,ବର୍ବର କାଣ୍ଡ । ଯାହା କହିଲେ ବି କମ୍ ହେବ । ଢେଙ୍କାନାଳରେ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ ।ଶୁଣିଲେନି ସ୍ତ୍ରୀର କାକୁତିମୀନତି,ଗୁହାରି । ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ଗୁଳି ମାରିଲେ । ମୃତ୍ୟୁ ନ ହେବାରୁ ଗୋଡାଇ ଗୋଡାଇ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ରବିବାର ବିଳମ୍ବିତ ରାତିରେ କାରିଗର ସାହିରେ ଛାତିଥରା ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ବାଲିଘାଟ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ ।
ରବିବାର ରାତି ପ୍ରାୟ ୧୧ଟା । ସବୁଦିନ ପରି ବାଇକରେ ଘରକୁ ଫେରୁଥିଲେ ସ୍ଥାନୀୟ ଅଞ୍ଚଳର ମହେଶ୍ବର ବେହେରା ଓରଫ ଟିଟନ । ଘର ପାଖାପାଖି ପହଞ୍ଚିଯାଇଥିଲେ । ହଠାତ ତାଙ୍କ ଉପରକୁ କିଛି ଯୁବକ ଗୁଳିକରିଥିଲେ । ଟିଟନଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ବାଇକରୁ ଖସି ପଡିଥିଲେ । ଘର ପାଖରେ ଗୁଳି ଶବ୍ଦ ଶୁଣି ଟିଟନଙ୍କ ସ୍ତ୍ରୀ ପୂଜା ବାହାରକୁ ଦୌଡି ଆସିଥିଲେ । ଟିଟନ ସେଠାରୁ ଜୀବନ ବିକଳରେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡି ନେଇ ପଥରରେ ଛେଚି ଦେଇଥିଲେ । ଟିଟନଙ୍କୁ ଛାଡିଦେବାକୁ ନେହୁରା ହୋଇଥିଲେ ସ୍ତ୍ରୀ ପୂଜା। ହେଲେ ତାଙ୍କର ଅନୁରୋଧ,କାନ୍ଦ ଦୁର୍ବୃତ୍ତଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା । ଟିଟନଙ୍କୁ ବୀଭତ୍ସ ଭାବରେ ହତ୍ୟା କରି ଘଟଣାସ୍ଥଳରୁ ଚଂପଟ ମାରିଥିଲେ ସେମାନେ ।
ରକ୍ତଜୁଡୁବୁଡୁ ଅବସ୍ଥାରେ ଟିଟନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେ଼ଡିକାଲରେ ଭର୍ତ୍ତି କରିଥିଲେ ପୂଜା । ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଟିଟନଙ୍କୁ ମୃତ ଘୋଷଣା କରିଦେଇଥିଲେ ଡାକ୍ତର । ପ୍ରାୟ ୧୦ ଜଣ ଯୁବକ ହତ୍ୟାରେ ସାମିଲ ଥିବା ପୋଲିସକୁ କହିଛନ୍ତି ଟିଟନଙ୍କ ପତ୍ନୀ ପୂଜା । ଟିଟନଙ୍କ ଉପରେ ଏ ଆକ୍ରମଣ ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଟିଟନଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ହାତ ଭାଙ୍ଗି ଦେଇଥିଲେ । ହତ୍ୟାକାଣ୍ଡ ସ୍ଥଳରୁ ଦୁଇଟି ଫୁଟନ୍ତା ଗୁଳିର ଖୋକା, ରକ୍ତଲଗା ପଥର,ଏକ ଗାମୁଛା ଜବତ କରିଛି ପୁଲିସ। ତେବେ ମୃତ ଟିଟନଙ୍କ ନାଁରେ ମଧ୍ୟ ଥାନାରେ ଅପରାଧିକ ମାମଲା ରହିଥିବା ଜଣାପଡିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇଜଣ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇଛି । ହତ୍ୟାକାଣ୍ଡରେ ୧୦ରୁ ୧୨ଜଣ ସମ୍ପୃକ୍ତ ଥିବା କହିଛନ୍ତି ଢେଙ୍କାନାଳର ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନ ।