ନୂଆଦିଲ୍ଲୀ: ପ୍ରସିଦ୍ଧ ନେପାଳୀ-ବ୍ରିଟିଶ ପର୍ବତାରୋହୀ ନିର୍ମଳ 'ନିମ୍ସଦାଇ' ପୁର୍ଜାଙ୍କର ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସ୍ଥିତ 'ବ୍ରୋଡ୍ ପିକ୍'ରେ ମୃତ୍ୟୁ ଘଟିଛି। ତାଙ୍କ ସହ ଅଭିଯାନରେ ଥିବା ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ଏହି ଦୁର୍ଘଟଣାରେ ଜୀବନ ଯାଇଛି ବୋଲି ସ୍ପଷ୍ଟ କରିଛି ଆଡଭେଞ୍ଚର କମ୍ପାନୀ 'ଏଲିଟ୍ ଏକ୍ସପେଡ୍' । ପାକିସ୍ତାନ ଅଧିକୃତ କାଶ୍ମୀର (PoK) ର ଗିଲଗିଟ୍-ବାଲଟିସ୍ତାନ ଏବଂ ଚୀନର ସିଞ୍ଜିଆଙ୍ଗ ସୀମାରେ ଥିବା କାରାକୋରମ୍ ପର୍ବତମାଳାର 'ବ୍ରୋଡ୍ ପିକ୍' ବିଶ୍ୱର ୧୨ତମ ଉଚ୍ଚତମ ଶୃଙ୍ଗ।

ବ୍ରୋଡ୍ ପିକ୍‌ର 'ୱେଷ୍ଟ ରିଜ୍' ରୁଟରେ ପ୍ରାୟ ୨୧,୬୦୦ ରୁ ୨୧,୮୫୦ ଫୁଟ୍ ଉଚ୍ଚତାରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁବାର ବରଫ ଧସିବା କାରଣରୁ ନିର୍ମଳ ପୁର୍ଜାଙ୍କ ସମେତ ୬ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ। ବ୍ୟାପକ ସନ୍ଧାନ ପରେ ସେମାନଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ନିର୍ମଳ ପୁର୍ଜାଙ୍କ ପ୍ରତିଷ୍ଠିତ ଆଡଭେଞ୍ଚର ସଂସ୍ଥା 'Elite Exped' ପକ୍ଷରୁ କୁହାଯାଇଛି, ‘ଅତ୍ୟନ୍ତ ଦୁଃଖର ସହ ଆମେ ସ୍ପଷ୍ଟ କରୁଛୁ ଯେ, ବ୍ରୋଡ୍ ପିକ୍‌ରେ ହୋଇଥିବା ଆଭାଲାଞ୍ଚେରେ ନିର୍ମଳ 'ନିମ୍ସଦାଇ' ପୁର୍ଜା ନିଜର ଜୀବନ ହରାଇଛନ୍ତି। ଏହି ଅଭିଯାନରେ ଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ଆଉ ଜୀବିତ ନାହାନ୍ତି। ଆମେ କେବଳ ନିମ୍ସଙ୍କୁ ନୁହେଁ, ବରଂ ତାଙ୍କର ବିଶ୍ୱସ୍ତ ସହଯୋଗୀ ଗାଇଡ୍ ପୂର୍ଣ୍ଣ ବାହାଦୁର ଗୁରୁଙ୍ଗ ଏବଂ ନିମା ଶେର୍ପାଙ୍କ ସମେତ ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।’

ନିର୍ମଳ 'ନିମ୍ସ' ପୁର୍ଜା ପର୍ବତାରୋହଣ ଜଗତରେ ଏକ ଜଣାଶୁଣା ନାମ ଥିଲେ ।  ସେ ବିଶ୍ୱର ସମସ୍ତ ୧୪ଟି ୮,୦୦୦ ମିଟରରୁ ଅଧିକ ଉଚ୍ଚତାବିଶିଷ୍ଟ ଶୃଙ୍ଗକୁ ମାତ୍ର ୬ ମାସ ୬ ଦିନରେ ଆରୋହଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏହି ସଫଳତା ଉପରେ ନେଟଫ୍ଲିକ୍ସରେ '14 Peaks: Nothing Is Impossible' ନାମକ ଡକ୍ୟୁମେଣ୍ଟରୀ ମଧ୍ୟ ପ୍ରସାରିତ ହୋଇଛି। ପ୍ରଥମ ଥର ପାଇଁ ଶୀତଦିନେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ K2 ଆରୋହଣ କରିବାରେ ସେ ଇତିହାସ ରଚିଥିଲେ। ସେ ପୂର୍ବରୁ ବ୍ରିଟିଶ ସେନାର ସ୍ପେଶାଲ ବୋଟ୍ ସର୍ଭିସରେ ଜଣେ କମାଣ୍ଡୋ ଭାବରେ ସେବା ଯୋଗାଇଥିଲେ। ତାଙ୍କର ଏହି ଆକସ୍ମିକ ବିୟୋଗ ବିଶ୍ୱ ପର୍ବତାରୋହଣ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।