ଭାରତ ହେବ ରକେଟ୍‌ର ସୁପରପାୱାର, RD-191M ଇଞ୍ଜିନର ପ୍ରଯୁକ୍ତି ଦେବ ରୁଷ; ଜାଣନ୍ତୁ କେମିତି ପହଞ୍ଚିବ ଲାଭ

NEWS7
mother-and-child-rescue-on-road-side-child-helpline-come-to-help-the-woman

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ସହ ନିଜ ସମ୍ପର୍କକୁ ମଜଭୁତ କରିବା ପାଇଁ ରୁଷ ଏକ ବଡ଼ ନିଷ୍ପତ୍ତି ନେଇଛି । ରୁଷ ନିଜର ସେମି-କ୍ରାୟୋଜେନିକ୍ ରକେଟ୍ ଇଞ୍ଜିନ ଆରଡି-୧୯୧ଏମର ଯୋଗାଣ ଓ ଏହା ନିର୍ମାଣର ବୈଷୟିକ ଜ୍ଞାନ ଭାରତକୁ ଦେବା ପାଇଁ ପ୍ରସ୍ତୁତ ଅଛି । ଏହି ପଦକ୍ଷେପ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ରୁଷ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଭାରତ ଗସ୍ତରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଉପରେ ଘୋଷଣା ହୋଇପାରେ ।

ରୁଷ ମହାକାଶ ଏଜେନ୍ସି ରୋସ୍କୋସ୍କୋସ ମହାନିର୍ଦ୍ଦେଶକ ଡିମିତ୍ରି ୱାକନୋଭ ଏକ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ଭାରତ ସହ ରକେଟ୍ ଇଞ୍ଜିନର ବୁଝାମଣା ହେବାକୁ ଯାଉଛି । ସେ ମନୁଷ୍ୟର ମହାକାଶ ଯାତ୍ରା ଓ ସ୍ପେସ୍ ଷ୍ଟେସନର ବିକାଶରେ ବି ସହଯୋଗର ସମ୍ଭାବନା କଥା ଉଲ୍ଲେଖ କରିଛନ୍ତି । ତେବେ ସେ ଇଞ୍ଜିନର ପ୍ରକାରକୁ ନେଇ କୌଣସି ଉଲ୍ଲେଖ କରିନାହାନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ରକେଟ୍ ଇଞ୍ଜିନ ବୁଝାମଣା ଉପରେ ଗତ କିଛି ବର୍ଷ ଧରି ଆଲୋଚନା ଚାଲିଛି । ଏହା ଭାରତ ଓ ରୁଷ ମଧ୍ୟରେ ଦ୍ୱିତୀୟ ପ୍ରମୁଖ ବୁଝାମଣା ହେବ, ଏହା ପୂର୍ବରୁ ବ୍ରହ୍ମୋସ ମିସାଇଲର ଏକ ମିଳିତ ଉଦ୍ୟୋଗ ସଫଳତାର ସହ ଆଗେଇ ଚାଲିଛି । ଯଦି ଏପରି ହୁଏ, ତେବେ ଦ୍ୱିତୀୟ ଥର ପାଇଁ ଭାରତ ରଷଠାରୁ ରକେଟ୍ ଇଞ୍ଜିନ କିଣିବ । ଇସ୍ରୋର ଜିଏସ୍‌ଏଲ୍‌ଭି ରକେଟ୍‌ର ପ୍ରଥମ ପର୍ଯ୍ୟାୟରେ ସାତ କ୍ରୟୋଜେନିକ ଇଞ୍ଜିନ କିଣିଥିଲା, କିନ୍ତୁ ଆମେରିକାର ଭୂ-ରାଜନୀତିକ ଚାପ ଯୋଗୁଁ ପରେ ରୁଷ ଯୋଗାଣ ବନ୍ଦ କରିଦେଇଥିଲା ।

ଭାରତ ନିଜର ଭାରୀ-ଲିଫ୍ଟ ରକେଟ୍ ଏଲଭିଏମ୍୩ (ଲଞ୍ଚ୍ ଭେଇକଲ୍ ମାର୍କ-୩)ରେ ଆରଡି-୧୯୧ ସେମି-କ୍ରାୟୋଜେନିକ ଇଞ୍ଜିନକୁ ବ୍ୟବହାର କରିବାକୁ ଚାହୁଁଛି । ବର୍ତ୍ତମାନରେ ଏଲଭିଏମ୍୩ର ପେଲୋଡ୍ କ୍ଷମତା ଭୂସ୍ଥିର କକ୍ଷ ପାଇଁ କେବଳ ଚାରି ଟନ୍ ଅଟେ । ଇସ୍ରୋ ଏହି କ୍ଷମତାକୁ ପାଞ୍ଚ ଟନ୍ ଯାଏ ବଢାଇବା ଉପରେ କାମ କରୁଛି । ଏଥିପାଇଁ ଶକ୍ତିଶାଳୀ କ୍ରାୟୋଜେନିକ୍ ଇଞ୍ଜିନର ସହ ଏଲଭିଏମ୍‌୩ର ଦ୍ୱିତୀୟ ପର୍ଯ୍ୟାୟରେ ତରଳ ଇଞ୍ଜିନକୁ ସେମି-କ୍ରାୟୋଜେନିକ ଇଞ୍ଜିନରେ ରୂପାନ୍ତରିତ କରାଯିବ । ଏହା ପେଲୋଡ୍ କ୍ଷମତାକୁ ବଢାଇବ ଓ ନ୍ୟୁସ୍ପେସ୍ ଇଣ୍ଡିଆ ମାଧ୍ୟମରେ ବାଣିଜ୍ୟିକ ପ୍ରସ୍ତାବ ପାଇଁ ଏକ ରକେଟ୍ ନିର୍ମାଣ କରିବ ।

ଇସ୍ରୋ ଗତ କିଛି ବର୍ଷ ଧରି ତରଳ ଅକ୍ସିଜେନ ଓ କିରୋସିନ ପରିଚାଳିତ ନିଜର ଏସଇ/ଏସସିଇ ୨୦୦୦ ସେମି-କ୍ରାୟୋଜେନିକ ଇଞ୍ଜିନ ବିକଶିତ କରିବା ପାଇଁ କାମ କରୁଛି, କିନ୍ତୁ ଏହାର ପ୍ରଗତି ମନ୍ଥର ରହିଛି । ଭାରତକୁ ଚାରି ଟନ୍‌ରୁ ଅଧିକ ଓଜନର ଦୂରସଂଚାର ଉପଗ୍ରହକୁ କକ୍ଷରେ ସ୍ଥାପନ କରିବା ପାଇଁ ବିଦେଶୀ ଏଜେନ୍ସି ମୋଟା ଅର୍ଥରାଶି ଦେବାକୁ ପଡ଼ୁଛି । ଏହାସହ ଭାରତ ନିଜ ଏଲଭିଏମ୍‌୩ ସହ ଭାରୀ ସାଟେଲାଇଟ୍ ଲଞ୍ଚ୍ କରି ଆୟର ସୁଯୋଗ ସୃଷ୍ଟି କରିପାରିବ ।