ନୂଆଦିଲ୍ଲୀ: ଭାରତୀୟ ନୌସେନା ୨୦୩୦ ସୁଦ୍ଧା ନିଜର ସମସ୍ତ ଯୁଦ୍ଧଜାହାଜରେ ବ୍ରୋହ୍ମସ ସୁପରସୋନିକ୍ ମିସାଇଲ ନିୟୋଜିତ କରିବା ଲକ୍ଷ୍ୟରେ ଆଗକୁ ବଢୁଛି । ଏହି ଲକ୍ଷ୍ୟ ହାସଲ ପରେ ସମୁଦ୍ରରେ ଭାରତର ଆକ୍ରମଣ ଶକ୍ତି ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବ । ଯେକୌଣସି ମୁହୂର୍ତ୍ତରେ ଭାରତୀୟ ନୌସେନା ଏକାସଙ୍ଗରେ ୩୦୦ରୁ ଅଧିକ ବ୍ରୋହ୍ମସ ମିସାଇଲ୍ ମାଡ଼ କରି ଶତ୍ରୁର ଠିକଣାକୁ ଧ୍ୱଂସ କରିବାରେ ସକ୍ଷମ ହେବ । ଅପରେସନ ସିନ୍ଦୂରରେ ବ୍ରହ୍ମୋସ ନିଜର କ୍ଷମତା ଓ ଶକ୍ତିର ପରିଚୟ ଦେଇଥିଲା । ଭାରତୀୟ ସଶସ୍ତ୍ର ସେନା ପାଇଁ ଏହା ସବୁଠୁ ଘାତକ ହତିଆର ଭାବେ ସାମନାକୁ ଆସିଛି ।
ଭାରତୀୟ ନୌସେନା ଏହାର ନୂତନ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନ୍ଏସ୍ ଉଦୟଗିରି ଏବଂ ଆଇଏନ୍ଏସ୍ ହିମଗିରିକୁ ସ୍ୱଦେଶୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରରେ ସଜ୍ଜିତ କରିଛି । ଏହି ଦୁଇଟି ନୂତନ ଷ୍ଟିଲ୍ଥ ଫ୍ରିଗେଟର କମିଶନ ସହ ଭାରତୀୟ ନୌସେନା ପାଖରେ ଏବେ ଗାଇଡେଡ୍ ମିସାଇଲ୍ ଷ୍ଟିଲ୍ଥ ଫ୍ରିଗେଟ୍ ସଂଖ୍ୟା ୧୪ ହୋଇଛି । ପ୍ରତ୍ୟେକରେ ୮ଟି ଭର୍ଟିକାଲ୍ ଲଞ୍ଚ୍ ବ୍ରହ୍ମୋସ୍ ଆଣ୍ଟି-ଶିପ୍ ମିସାଇଲ୍ ନିୟୋଜିତ କରାଯାଇଛି ।
ଏହାଛଡ଼ା, ନୌସେନା ପାଖରେ ବର୍ତ୍ତମାନ ୬ଟି ତଲୱାର ଶ୍ରେଣୀର ଯୁଦ୍ଧଜାହାଜ ଅଛି । ୪ଟିରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିୟୋଜିତ ହୋଇସାରିଛି ଏବଂ ବାକି ଦୁଇଟିକୁ ବିକଶିତ କରାଯାଉଛି । ରୁଷ ଭାରତକୁ ଆଇଏନ୍ଏସ୍ ତୁଷିଲ ଏବଂ ଆଇଏନ୍ଏସ୍ ତମାଲ ହସ୍ତାନ୍ତର କରିଛି । ବାକି ଦୁଇଟି ମଧ୍ୟ ଶୀଘ୍ର ନୌବାହିନୀରେ ସାମିଲ ହେବାକୁ ଯାଉଛି । ୨୦୩୦ ଶେଷ ସୁଦ୍ଧା, ଭାରତୀୟ ନୌସେନା ପାଖରେ ବ୍ରହ୍ମୋସ କ୍ଷେପଣାସ୍ତ୍ରରେ ସଜ୍ଜିତ ୨୦ଟି ଷ୍ଟିଲଥ୍ ଫ୍ରିଗେଟ୍ ରହିବ । ଏହା ବ୍ୟତୀତ, ୭ଟି ନୀଳଗିରି ଶ୍ରେଣୀ, ୩ଟି ଶିୱାଲିକ୍ ଶ୍ରେଣୀ ଏବଂ ୧୦ଟି ତଲୱାର ଶ୍ରେଣୀର ଯୁଦ୍ଧଜାହାଜ ରହିବ, ଏବଂ ସେଗୁଡ଼ିକ ବ୍ରହ୍ମୋସ ସୁପରସୋନିକ୍ କ୍ଷେପଣାସ୍ତ୍ର ସହିତ ମଧ୍ୟ ସଜ୍ଜିତ ହେବ ।
ଭାରତୀୟ ନୌସେନାରେ ମଧ୍ୟ ୧୩ଟି ବିଧ୍ୱଂସକ ନିୟୋଜିତ ଅଛି। ନୂତନ ବିଧ୍ୱଂସକ ଏକକାଳୀନ ୧୬ଟି ବ୍ରହ୍ମୋସକୁ ଭର୍ଟିକଲ୍ ଲଞ୍ଚ ପାଇଁ ପ୍ରସ୍ତୁତ କରାଯାଇପାରିବ । ପୁରୁଣା ବିଧ୍ୱଂସକଗୁଡ଼ିକର କ୍ଷମତା ୮ ଥିଲା । ଏହି ୧୩ଟି ମଧ୍ୟରୁ ୪ଟି ବିଶାଖାପାଟନମ ଶ୍ରେଣୀ, ୩ଟି କୋଲକାତା ଶ୍ରେଣୀ, ୩ଟି ଦିଲ୍ଲୀ ଶ୍ରେଣୀ ଏବଂ ୩ଟି ରାଜପୁତ ଶ୍ରେଣୀ ବିଧ୍ୱଂସକ । ଯଦି ଏସବୁର ଶକ୍ତିକୁ ଏକାଠି କରାଯାଏ, ତେବେ ୨୦୩୦ ସୁଦ୍ଧା ଭାରତୀୟ ନୌସେନା ଏକକାଳୀନ ୩୦୦ଟି ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରି ଶତ୍ରୁ ଟାର୍ଗେଟକୁ ଧ୍ୱଂସ କରିପାରିବ।