ନୂଆଦିଲ୍ଲୀ: ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଆମେରିକା ସହିତ ସମ୍ପର୍କ ଖରାପ ହୋଇଯାଇଛି। ଟ୍ରମ୍ପ ଓ ମୋଦୀଙ୍କ ବନ୍ଧୁତ୍ୱ ଭିତରେ ଏକ ଫାଟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ଗତ କିଛି ସପ୍ତାହ ହେଲା ଟ୍ରମ୍ପ ମୋଦୀଙ୍କୁ ୪ ଥର କଲ୍ କରିଥିବା ବେଳେ ମୋଦୀ କଥା ହେବାକୁ ମନା କରିଦେଇଛନ୍ତି। ଜର୍ମାନୀର ଖବରକାଗଜ ‘ଫ୍ରାଙ୍କଫର୍ଟର ଅଲଗେମାଇନ’ (ଫେଜ୍) ଏଭଳି ରିପୋର୍ଟ ପ୍ରକାଶ କରିଥିବା ବେଳେ, ଏବାକୁ ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ଖବର ଲେଖିଛି।
ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ସପ୍ତାହ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ କଥା ହେବାକୁ ଅତି କମରେ ଚାରିଥର ଚେଷ୍ଟା କରିଥିଲେ, କିନ୍ତୁ ମୋଦୀ ତାଙ୍କ ସହ କଥା ହେବାକୁ ମନା କରି ଦେଇଥିଲେ। ଏହା ମୋଦୀଙ୍କ ଆମେରିକା ପ୍ରତି କ୍ରୋଧର ଗଭୀରତା, ଓ ତାଙ୍କର ସତର୍କତକୁ ଦର୍ଶାଉଛି ବୋଲି ଖବରକାଗଜ ରିପୋର୍ଟରେ କହିଛି। ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିବା ସମୟରେ ବି ଟ୍ରମ୍ପ ମୋଦୀଙ୍କୁ କଲ୍ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଆମେରିକା ଭାରତକୁ କଥା ମନାଇବାକୁ ସବୁ ପ୍ରକାର ଚେଷ୍ଟା କରିବା ପରେ ଭାରତ ଦେଶର ସ୍ୱାର୍ଥ ସହ ସାଲିସ୍ ନ କରିବାରୁ ଟ୍ରମ୍ପ ଭାରତକୁ ଡରାଇବାକୁ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ପୁଣି ଋଷ ତେଲ କିଣିବା ବାହାନା ଦେଖାଇ ଆଉ ୨୫ ପ୍ରତିଶତ ମୋଟ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଟ୍ରମ୍ପଙ୍କର ଏହି ଶୁଳ୍କ ପରେ ଭାରତ ଆମେରିକାର ୨୫ ବର୍ଷର ସମ୍ପର୍କରେ ପୁଣି ଫାଟ ସୃଷ୍ଟି ହୋଇଥିଲା। ଆମେରିକା କେବେ ବି ବନ୍ଧୁ ହୋଇପାରେନା। ଦରକାର ପଡ଼ିଲେ ପଛରୁ ଛୁରା ମାରିପାରେ ବୋଲି ଭାରତରେ ଧାରଣା ସୃଷ୍ଟି ହୋଇଥିବା ଆମରିକା ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ବର୍ଲିନ୍ସ୍ଥିତ ଗ୍ଲୋବାଲ୍ ପବ୍ଲିକ୍ ପଲିସି ଇନଷ୍ଟିଚ୍ୟୁଟ୍ର ସହ-ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ, ଖବରକାଗଜର ରିପୋର୍ଟରକୁ ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରିଥିଲେ। ଏଥରେ କୁହାଯାଇ ଯେ ଟ୍ରମ୍ପଙ୍କ ଡେଡ୍ ଇକୋନୋମି ବୟାନ ମୋଦୀଙ୍କୁ ଖରାପ ଲାଗିଥିଲା। ଏହାର ଜବାବ ଦେଇ ମୋଦୀ କହିଥିଲେ, ଭାରତ ଏକ ପ୍ରଗତିଶୀଳ ଅର୍ଥନୀତି। ଏହା ବିଶ୍ୱର ତୃତୀୟ ବୃହତ ଅର୍ତନୀତି ଆଡ଼କୁ ଅଗ୍ରସର ହେଉଛି।
ଫେଜ୍ର ରିପୋର୍ଟ ଅନୁସାରେ, ଆମେରିକା ବଜାର ଉପରେ ଅନ୍ୟ ଦେଶଗୁଡ଼ିକର ନିର୍ଭରଶୀଳତାକୁ ଦେଖି ଟ୍ରମ୍ପ ଅନ୍ୟ ଦେଶ ଉପରେ ଚାପ ପକାଉଥିଲେ।। କିନ୍ତୁ ମୋଦି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଏହାକୁ ବିରୋଧ କରିବା ସହ ଭାରତର ଆର୍ଥିକ ସ୍ୱାର୍ଥକୁ କ୍ଷତି ନ ପହଞ୍ଚାଇ ଟ୍ରମ୍ପଙ୍କ ସହିତ ଏକ ସହଯୋଗପୂର୍ଣ୍ଣ ସମ୍ପର୍କ ବଜାୟ ରଖିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଲା ଟ୍ରମ୍ପ ମୋଦୀଙ୍କୁ ବାରମ୍ବାର ହାର ମାନିବାକୁ ଚାପ ପକାଇ ଚାଲିଥିଲେ ବୋଲି ଫେଜ୍ ରିପୋର୍ଟରେ ଲେଖିଛି।
ତେବେ ଭାରତ କଥା ହେବାକୁ ମନା କରି ନିଜର କ୍ରୋଧ ପ୍ରକାଶ କରୁଥିବା ବେଳେ ସତର୍କତା ମଧ୍ୟ ଅବଲମ୍ବନ କରିଛି। ଭାରତ କିଭଳି ସତର୍କତା ଦେଖାଉଛି ସେ ନେଇ ଖବରକାଗଜ କହିଛି ଯେ ଟ୍ରମ୍ପ ପୂର୍ବରୁ ଜେନେରାଲ ସେକ୍ରେଟାରୀ ଟୋ ଲାମଙ୍କ ସହ ଗୋଟିଏ ଫୋନ୍ କଲ୍ କରି ଆମେରିକା ଏବଂ ଭିଏତନାମ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ନେଇ ପୁନଃ ଆଲୋଚନା କରିଥିଲେ। ତେବେ କୌଣସି ଚୁକ୍ତିନାମାରେ ନ ପହଞ୍ଚି ସୁଧା ବାଣିଜ୍ୟ ଚୁକ୍ତି ହୋଇଛି ବୋଲି ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ମୋଦୀ ସମାନ ଫାଶରେ ପଡ଼ିବାକୁ ଚାହାଁନ୍ତି ନାହିଁ ବୋଲି ଫେଜ୍ କହିଛି।
ଏହାକୁ ନେଇ ନ୍ୟୁୟର୍କର ନ୍ୟୁ ସ୍କୁଲରେ ଭାରତ-ଚୀନ୍ ପ୍ରତିଷ୍ଠାନର ସହ-ନିର୍ଦ୍ଦେଶକ ମାର୍କ ଫ୍ରାଜିଅର୍ କହିଛନ୍ତି “ଆମେରିକାର ରଣନୀତି କାମ ଦେଲା ନାହିଁ। ଆମେରିକାର ଚୀନ୍ ପ୍ରତିରୋଧରେ ଭାରତ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବ ବୋଲି 'ଭାରତ-ପ୍ରଶାନ୍ତ ମହାସାଗରୀୟ' ସମନ୍ୱୟରେ ଆମେରିକା ଯେଉଁ ଧାରଣା ରଖିଥିଲା ତାହା ଭୁଶୁଡ଼ି ପଡ଼ିବାକୁ ଯାଉଛି।” ଚୀନ୍ ବିରୁଦ୍ଧରେ ଆମେରିକାର ପକ୍ଷ ନେବାକୁ ଭାରତ କେବେବି ପ୍ରତିବଦ୍ଧ ନଥିଲା ବୋଲି ଫ୍ରାଇଜର କହିଛନ୍ତି। ଖବରକାଗଜ ଫେଜ୍ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଭାରତରେ ଟ୍ରମ୍ପଙ୍କ ନିର୍ମାଣ ପ୍ରକଳ୍ପଗୁଡ଼ିକ ମଧ୍ୟ ବିବାଦ ସୃଷ୍ଟି କରିଛି। ଦିଲ୍ଲୀ ନିକଟରେ, ଟ୍ରମ୍ପ ପାରିବାରିକ କମ୍ପାନୀ ତାଙ୍କ ନାଁରେ ବିଳାସପୂର୍ଣ୍ଣ ଟାୱାର ନିର୍ମାଣ କରିଥିଲା। ବାର ନିୟୁତ ୟୁରୋ ମୂଲ୍ୟର ୩୦୦ ଆପାର୍ଟମେଣ୍ଟ ମେ ମାସର ମଧ୍ୟଭାଗରେ ଗୋଟିଏ ଦିନରେ ବିକ୍ରି ହୋଇଗଲା ବୋଲି ଫ୍ୟାଜ୍ ରିପୋର୍ଟ କରିଛି।
ଅନ୍ୟପଟେ ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ କରାଇବା ନେଇ ଟ୍ରମ୍ପ ଦାବି କରିବା ଭାରତକୁ ଚିଡ଼ାଇ ଦେଇଥିଲା। ଏହାପରେ ଟ୍ରମ୍ପ ପାକିସ୍ତାନ ସହିତ ତୈଳ ଭଣ୍ଡାର ବିକାଶ କରିବେ ବୋଲି ଘୋଷଣା କରିବା, ଓ ଦିନେ ପାକିସ୍ତାନ ଠାରୁ ଭାରତ ତେଲ କିଣିବ ବୋଲି କହିବା ଦୁଇ ଦେଶର ସମ୍ପର୍କକୁ ଆହୁରି ଖରାପ କରିଦେଇଥିଲେ। ଏପରିକି ଟ୍ରମ୍ପ ଓଭାଲ ଅଫିସରେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କାର୍ଯ୍ୟକ୍ଷମ ରାତ୍ରୀଭୋଜନ ପାଇଁ ଆତିଥ୍ୟ ଦେବା ଘଟଣାକୁ ଭାରତରେ ଏକ ଉତ୍ତେଜନା ଭାବରେ ଗ୍ରହଣ କରାଯାଇଥିଲା ବୋଲି ଜର୍ମାନ ଖବରକାଗଜ ରିପୋର୍ଟରେ ଲେଖିଛି।
ତେବେ ଚୀନ ସହିତ ଭାରତର ଉତ୍ତେଜନା କମିବା ସହିତ ସମ୍ପର୍କ ବୃଦ୍ଧି ପାଇଛି। ଗତବର୍ଷ ମୋଦୀ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିବା ପରେ ସମ୍ମାନିତ ଅନୁଭବ କରିଥିଲେ ବୋଲି କହିଥିଲେ। ଆଉ ଆସନ୍ତା ସପ୍ତାହରେ ଚୀନର ସାଙ୍ଘାଇ ସହଯୋଗ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗ ଦେବା ଟ୍ରମ୍ପ ଭାରତକୁ ଚୀନ ଆଡ଼ୁକୁ ଠେଲୁଛନ୍ତି ବୋଲି ଖବରକାଗଜ ରିପୋର୍ଟରେ କହିଛି।
ଏନେଇ ଫ୍ରାଜିଅର କହିଛନ୍ତି ଚୀନର ଭାରତ ଯେତିକି ଆବଶ୍ୟକ ନୁହେଁ, ଭାରତର ଚୀନ ସେତିକି ଆବଶ୍ୟକ। ଭାରତର ପରିବର୍ତ୍ତନ ରଣନୀତି, କେବଳ ଆମେରିକାର ଶୁଳ୍କର ପ୍ରତିକ୍ରିୟା ନୁହେଁ। ଆମେରିକାକୁ ବାଦ ଦେବା ପରେ ଭାରତ ଏବଂ ଚୀନ୍ ବିଶ୍ୱ ପ୍ରଭାବ ଏବଂ ଶିଳ୍ପ ଅଭିବୃଦ୍ଧିରେ ସମାନ ରୁଚି ରଖନ୍ତି। ଅନ୍ୟପଟେ ଚୀନ୍ପାର ଏହାର ବିଶ୍ୱ ଅର୍ଥନୈତିକ ଏବଂ ଭୂରାଜନୈତିକ ସ୍ଥିତିକୁ ବୃଦ୍ଧି କରିବା ଭାରତକୁ ଗୁରୁତ୍ୱପୂର୍ଣ୍ଣ ଭାବୁଛି ବୋଲି ଫ୍ରାଜିଅର କହିଛନ୍ତି।
ଶେଷଥର ପାଇଁ ଟ୍ରମ୍ପଙ୍କ ସହ କେବେ କଥା ହୋଇଥିଲେ ମୋଦୀ ?
ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁରୋଧରେ ମୋଦି ଜୁନ୍ ୧୭ ତାରିଖରେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ଦୁଇ ନେତାଙ୍କ ମଧ୍ୟରେ ୩୫ ମିନିଟ ଧରି କଥାବାର୍ତ୍ତା ହୋଇଥିଲା। କାନାଡାରେ G7 ଶିଖର ସମ୍ମିଳନୀ ଅବସରରେ ଉଭୟଙ୍କ ସାକ୍ଷାତ ହେବାର ଥିଲା, କିନ୍ତୁ ଟ୍ରମ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ଆମେରିକା ଫେରି ଆସିଥିଲେ। ତେବେ ଅପରେସ ସିନ୍ଦୂର ପରେ ଦୁଇ ନେତାଙ୍କ ମଧ୍ୟରେ ତାହା ପ୍ରଥମ ଆଲୋଚନା ଥିବାରୁ ମୋଦୀ ଘଟଣା ବିଷୟରେ ଟ୍ରମ୍ପଙ୍କୁ ଅବଗତ କରାଇଥିଲେ।