LIVE TV

ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ମୋଦି, କୋଳାଗ୍ରତ କଲେନି

NEWS7

ନୂଆଦିଲ୍ଲୀ ୩୧।୮: ତିୟାନଜିନ ସହର ରବିବାର ଭାରତ ଓ ଚୀନ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ମୁହୂର୍ତ୍ତର ସାକ୍ଷ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏଠାରେ ଦ୍ୱିପାକ୍ଷୀୟ ବାର୍ତ୍ତା କରିଛନ୍ତି। ଏହି ସାକ୍ଷାତ ଆଲୋଚନାକୁ ଦୁଇ ଦେଶଙ୍କ ସମ୍ପର୍କରେ ନୂଆ ପ୍ରାରମ୍ଭ ଓ ବିଶ୍ୱାସ ସୃଷ୍ଟି ପାଇଁ ଏକ ଉଦ୍ୟମ ରୂପେ ଦେଖା ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୀନ୍‌ ର ନିମନ୍ତ୍ରଣ ଓ ସ୍ୱାଗତ ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ-ଚୀନ ସମ୍ପର୍କ ପାରସ୍ପାରିକ ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତା ଉପରେ ନିର୍ଭର କରେ, ଏହି ଆଧାରରେ ଦୁଇ ଦେଶ ଭବିଷ୍ୟତ ଆଡକୁ ପାଦ ବଢାଇ ପାରନ୍ତି। ସେହିପରି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ପରିବର୍ତ୍ତିତ ବିଶ୍ୱରେ ଭାରତ ଓ ଚୀନକୁ ବନ୍ଧୁ ଓ ଭଲ ପଡୋଶୀ ହେବା ଜୋରୁରି ବୋଲି କହିଛନ୍ତି। ସେ କହିଛନ୍ତି ଯେ ‘ଡ୍ରାଗନ ଓ ହାତୀ’   ଏକ ସଙ୍ଗରେ ଆସିବା ବର୍ତ୍ତମାନ ସମୟର ଚାହିଦା। 

ତେବେ ଏହି ସାକ୍ଷାତ ଆଲୋଚନାରେ ସବୁଠୁ ମଜାଦାର କଥା ହେଉଛି ଦୁଇ ନେତା ପରସ୍ପରକୁ କରମର୍ଦ୍ଦନ କରି ସ୍ୱାଗତ କରିଛନ୍ତି। ହେଲେ କେହି କାହାକୁ କୋଳାଗ୍ରତ କରି ନାହାନ୍ତି। ଏଣୁ ଏହା ଉପରେ ଏବେ ପ୍ରଶ୍ନ ଉଠୁଛି ଭାରତ-ଚୀନ୍ ସମ୍ପର୍କରେ ଏବେ ଆଉ ସେପରି ଉତ୍ସାହ ନାହିଁକି ? ଏଥିରେ ବିଶ୍ଲେଷକଙ୍କ କହିବା କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଜାଣିଶୁଣି ଔପଚାରିକତା ନିର୍ବାହ କରିଛନ୍ତି। ସୀମା ବିବାଦ ଓ ଚୀନ-ପାକିସ୍ତାନ ନିକଟତା ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ଦୂରତା ଅବଲମ୍ବନ କରିଛନ୍ତି। 

ଏ କଥା ସେ ଦିନକୁ ମନେ ପକାଇ ଦେଇଛି ଭାରତ-ପାକିସ୍ତାନ ଉତ୍ତେଜନା କାଳରେ ଚୀନ୍ ପାକିସ୍ତାନର ସମର୍ଥନ କରିଥିଲା। ଏଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସତର୍କତା ସମ୍ପର୍କକୁ ସନ୍ତୁଳନରେ ରଖିବାର ଏକ ଉଦ୍ୟମ ରୂପେ ଦେଖାଯାଉଛି। ଭାରତ-ଚୀନ୍ ସମ୍ପର୍କ ଗତ କିଛି ବର୍ଷ ହେଲା ପଡଉଠ ହେଉଛି। ୨୦୨୦ରେ ଗଲୱାନ ଘାଟିରେ ସୈନିକଙ୍କ ମାରପିଟ ଯୋଗୁ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିଲା। ଏହା ପରେ ସିଧା ଉଡାଣ ଉପରେ ରୋକ ସହିତ ଅନ୍ୟ ପଦକ୍ଷେପ ମଧ୍ୟ ନିଆଯାଇଥିଲା।