News7 Logo

ଆମେରିକାକୁ ଚକମା ଦେବାକୁ ତିଆନଜିନରୁ ଋଣନୀତି ! ୩ ମହାଶକ୍ତି ଏକାଠି ହେଲେ ଟ୍ରମ୍ପଙ୍କ ପାଇଁ ଟେନସନ

NEWS7

ନୂଆଦିଲ୍ଲୀ: ମହାଶକ୍ତିଙ୍କ ମହାମିଳନ। ମୋଦି-ପୁଟିନ-ଜିନପିଙ୍ଗ। ଗୋଟିଏ ମଞ୍ଚରେ ୩ ଶକ୍ତିଶାଳୀ ନେତା। ଭାରତ ସହ ହାତ ମିଳାଇଲା ଚୀନ। ସାଥୀରେ ରହିଲା ଋଷ। ତିଆନଜିନରୁ ଆମେରିକାକୁ ଚକମା। ହାତୀ-ଡ୍ରାଗନକୁ ଦେଖି ଟ୍ରମ୍ପ ଟେନସନ। SCOରୁ ପୁଟିନ ବାର୍ତ୍ତା, ଧମକକୁ ଖାତିର କରିବୁନି, ଶକ୍ତିଶାଳୀ ହେବ ବ୍ରିକ୍ସ। ନାଁ ନନେଇ ଆମେରିକାକୁ ଦେଲେ ଚେକ୍‌। ମନେ ହେଉଛି ଯେପରି ଟ୍ରମ୍ପ ଟାରିଫ୍‌ ମାଡ଼କୁ ନେଇ ବିଶାଳ ଋଣନୀତି ପ୍ରସ୍ତୁତ କରୁଛନ୍ତି ୩ ଦେଶ। ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭେଟ। ପ୍ରାୟ ୧ ଘଣ୍ଟା ଧରି ଦ୍ୱିପାକ୍ଷିକ ଆଲୋଚନା। ଆମେରିକାର ଟାରିଫ୍‌ ମଧ୍ୟରେ ଦୁଇ ନେତାଙ୍କ ଏହି ସାକ୍ଷାତ ଉପରେ ସାରା ବିଶ୍ୱର ନଜର। ଭୂରାଜନୈତିକ ଗବେଷକଙ୍କ ମତ ୩ ମହାଶକ୍ତି ଏକାଠି ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଟେନସନ। 

ଚୀନର ତିଆନଜିନରେ ଆୟୋଜିତ SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଏବେ ଶେଷ ହୋଇଛି।  ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି ପିଏମ ମୋଦୀ। କହିଛନ୍ତି- ଭାରତ ଏବଂ ଚୀନ ପରସ୍ପର ପାଇଁ ବିପଦ ନୁହେଁ ବରଂ ବିକାଶର ଅବସର। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ବିଶ୍ୱ ପରିବର୍ତ୍ତନ ଆଡକୁ ଗତି କରୁଛି। ଚୀନ୍ ଏବଂ ଭାରତ ଦୁଇଟି ଅତି ପ୍ରାଚୀନ ସଭ୍ୟତା। ଆମେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦୁଇଟି ଦେଶ ଏବଂ ଗ୍ଲୋବାଲ୍ ସାଉଥ୍‌ର ଏକ ଅଂଶ ମଧ୍ୟ। ଏପରି ପରିସ୍ଥିତିରେ ଡ୍ରାଗନ୍ ଏବଂ ହାତୀ ଏକାଠି ହେବା ବହୁତ ଗୁରୁତ୍ୱପୂର୍ଣ୍ଣ। ସେହିପରି ଦୁଇ  ନେତା ଦ୍ବିପାକ୍ଷିକ, କ୍ଷେତ୍ରୀୟ ଏବଂ ବୈଶ୍ବିକ ପ୍ରସଙ୍ଗ ଯେପରିକି ଆତଙ୍କବାଦ ଏବଂ ନିରପେକ୍ଷ ବାଣିଜ୍ୟ ଉପରେ ସହଯୋଗ ବଢ଼ାଇବାର ଆବଶ୍ୟକତା ଉପରେ ଫୋକସ କରିଛନ୍ତି। 

ରାଷ୍ଟ୍ରପତି ଭ୍ଲାଦିମିର ବୟାନକୁ ନେଇ ଆମେରିକାରେ ହଲଚଲ। ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ SCOରେ ପ୍ରସ୍ତୁତ ରଣନୀତି। ପୁଟିନ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକର ସାମାଜିକ ଏବଂ ଆର୍ଥିକ ବିକାଶରେ ବାଧା ସୃଷ୍ଟି ଓ ପକ୍ଷପାତ କରାଯାଇ ପ୍ରତିବନ୍ଧକ ଲଗାଯାଉଛି। BRICS ସଂଗଠନର ଶକ୍ତି ବୃଦ୍ଧି କରିବା ପାଇଁ ଏକାଠି କାର୍ଯ୍ୟ କରୁଛନ୍ତି ରୁଷ ଏବଂ ଚୀନ ଯାହା ଦ୍ଵାରା ଏହା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା କରିପାରିବ। 

ରୁଷ ଏବଂ ଚୀନ ମିଳିତ ଭାବରେ BRICS ଦେଶ ଏବଂ ସମଗ୍ର ବିଶ୍ୱର ବିକାଶରେ ବାଧା ସୃଷ୍ଟି କରୁଥିବା ପ୍ରତିବନ୍ଧକକୁ ବିରୋଧ କରୁଛନ୍ତି। SCO ସମ୍ମିଳନୀ ସଂଗଠନକୁ ଅଧିକ ଶକ୍ତି ଦେବ। ଏହା ୟୁରେସିଆ ଅଞ୍ଚଳରେ ଏକାଠି ଚ୍ୟାଲେଞ୍ଜର ମୁକାବିଲା ଏବଂ ଏକତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ। ଏହା ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସନ୍ତୁଳିତ ବିଶ୍ୱ ବ୍ୟବସ୍ଥା ସୃଷ୍ଟି କରିବାରେ ସାହାଯ୍ୟ କରିବ। ପୁଟିନ ଏହା ମଧ୍ୟ କହିଛନ୍ତି ଯେ ରୁଷ ଏବଂ ଚୀନ୍ IMF ଏବଂ ବିଶ୍ୱ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ପରିବର୍ତ୍ତନକୁ ସମର୍ଥନ କରନ୍ତି।

ପୁଟିନଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶଗୁଡ଼ିକ ଉପରେ ୧୦% ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। BRICS ଦେଶର ମୁଦ୍ରାର ମଧ୍ୟ ବିରୋଧୀ ଟ୍ରମ୍ପ। ତଥାପି BRICS ଏପର୍ଯ୍ୟନ୍ତ କୌଣସି ମୁଦ୍ରା ଉପରେ ନିଷ୍ପତ୍ତି ନେଇନାହିଁ।  

କ୍ଷମତାରେ ଅନ୍ଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟାର୍ଗେଟରେ ରହିଛି ଭାରତ। ସର୍ତ୍ତରେ ରାଜି ନହେବାରୁ ଭାରତ ଉପରେ ଟାରିଫ୍‌ ଚୋଟ ମାରିଛନ୍ତି ଟ୍ରମ୍ପ। କିନ୍ତୁ ଫେଲ ମାରୁଛି ଆମେରିକାର କୂଟନୀତି। SCO ସମ୍ମିଳନୀରେ ଋଷ-ଚୀନ-ଭାରତ ଏକାଠି ହେବା ପରେ ଏବେ କ୍ରୋଧରେ ଜର୍ଜରିତ ଟ୍ରମ୍ପ। ଟ୍ରମ୍ପକୁ କଟାକ୍ଷ କରିବା ସହ ଭାରତକୁ ଶକ୍ତିଶାଳୀ କହିଛନ୍ତି ଆମେରିକୀୟ ବୈଦେଶିକ ସମୀକ୍ଷକ ରିକ୍‌ ସାଞ୍ଚେଜ୍‌। ଭାରତ ସ୍କୁଲ ଛୁଆ ନୁହେଁ ବରଂ ବଡ଼ ପିଲା ବୋଲି ସେ କହିଛନ୍ତି। SCO ସମ୍ମଳନୀରେ ୩ ଦେଶ ଏକାଠି ହେବା ଆମେରିକା ପାଇଁ ସମସ୍ୟା ଆଣିପାରେ ବୋଲି ଟ୍ରମ୍ପଙ୍କୁ ଟେତାଇଛନ୍ତି ସାଞ୍ଚେଜ୍‌।  

Read more in App