News7 Logo

ପୁରୀରେ ଦୁର୍ବୃତ୍ତ ବୁଲାଇଲେ ଖଣ୍ଡା, ଭୟରେ ଥରହର ସ୍ଥାନୀୟ ଲୋକେ Share Tweet

NEWS7

ପୁରୀ ୩୧।୮: ପୁଣି ପୁରୀରେ ବୁଲିଲା ଖଣ୍ଡା । ଦିନ ଦ୍ବିପହରରେ ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲା ଦୁର୍ବୃତ୍ତ । ସମୁଦ୍ର କୂଳ ଥାନା ଅନ୍ତର୍ଗତ ବାଲିନୋଳିଆ ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଦୁର୍ବୃତ୍ତ ଜଣଙ୍କର ଖଣ୍ଡା ବୁଲା ଦେଖି ଭୟରେ ଥରହର ହେଲେ ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକ । କେବଳ ସେତିକି ନୁହେଁ ସମ୍ପୃକ୍ତ ଦୁର୍ବୃତ୍ତ ଜଣକ ଦୁଇ ଜଣ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି । ସମ୍ପୃକ୍ତ ଦୁର୍ବୃତ୍ତକୁ କିଛି ବ୍ୟକ୍ତି ବୁଝାସୁଝା କରୁଥିବା ବେଳେ କୌଶଳ କ୍ରମେ ତା ହାତରୁ ଖଣ୍ଡା ଛଡାଇବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । 

ଖବର ପାଇ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଦୁର୍ବୃତ୍ତ ଜଣକ ସେଠାରୁ ଚମ୍ପଟ ମାରିଛି । ଦୁର୍ବୃତ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି । ସେପଟେ ସମୁଦ୍ର କୂଳ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଦୁର୍ବୃତ୍ତ ଜଣକ ବାଲି ନୋଳିଆ ସାହି କ୍ଲବ ଘରେ ନିଶା ସେବନ କରି ଶୋଇଥିଲା । ତେବେ କ୍ଲବ ଘର ପାଖରେ ଥିବା ଏକ ମନ୍ଦିରରୁ ଦୁର୍ବୃତ୍ତ ଜଣକ ହଠାତ୍ ହାତରେ ଖଣ୍ଡା ଧରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା ସହ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିଲା । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସମୁଦ୍ର କୂଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ଭୁଲ୍ ଇଞ୍ଜେକ୍ସନ ଦେଇ ଦୁଇ ବର୍ଷର ଶିଶୁକୁ ମାରିଦେଇଥିବା ଅଭିଯୋଗ, ମୃତଦେହ ରଖି ରାସ୍ତା ଅବରୋଧ