ନୂଆଦିଲ୍ଲୀ: ରୁଷ ସେନାରେ ଯୋଗଦେବାର ପ୍ରସ୍ତାବ ଗ୍ରହଣ କରନି। ଭାରତୀୟ ନାଗରିକମାନଙ୍କୁ ଚେତାବନୀ ଦେଇଛି ବୈଦେଶିକ ମନ୍ତ୍ରଣାଳୟ। MEA ମୁଖପାତ୍ର ରଣଧୀର ଜୟସୱାଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଦିଲ୍ଲୀ-ମସ୍କୋ ସହ ଏଭଳି ଚୁକ୍ତି ହଟାଇ ଦିଆଯାଇଛି। ରୁଷ କର୍ତ୍ତୃପକ୍ଷଙ୍କୁ ଏହି ଅଭ୍ୟାସକୁ ତୁରନ୍ତ ବନ୍ଦ କରିବାକୁ ଏବଂ ସେମାନଙ୍କୁ ଫସାଇ ନିଯୁକ୍ତି ଦିଆଯାଇଥିବା ଭାରତୀୟମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛି ଭାରତ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୈଠକରେ ଫେକ୍‌ ନିଯୁକ୍ତି ପ୍ରସଙ୍ଗ ଉଠିସାରିଛି। ଭାରତ ସରକାର ଏହି ପ୍ରସଙ୍ଗରେ ରୁଷ ଉପରେ ନିରନ୍ତର ଚାପ ପକାଇ ଆସୁଛି, ଯାହା ଦ୍ୱାରା କୌଣସି ଭାରତୀୟଙ୍କୁ ଯୁଦ୍ଧ ଭଳି ବିପଦପୂର୍ଣ୍ଣ ପରିସ୍ଥିତିକୁ ବାଧ୍ୟତାମୂଳକ ଭାବରେ ଠେଲି ଦିଆଯିବ ନାହିଁ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସରକାର ଏହି ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇଥିବା ଭାରତୀୟ ନାଗରିକମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ଅନେକ ଲୋକ ସେମାନଙ୍କର ଅସୁବିଧା କଥା କହିଛନ୍ତି। ଭାରତ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ଆମେ ପୁଣି ଥରେ ସମସ୍ତ ଭାରତୀୟ ନାଗରିକଙ୍କୁ ରୁଷୀୟ ସେନାରେ ଯୋଗଦେବାର କୌଣସି ପ୍ରସ୍ତାବରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ। କାରଣ ଏହା ଏକ ଅତ୍ୟନ୍ତ ବିପଜ୍ଜନକ ପଦକ୍ଷେପ। ଅନେକ ଏଜେନ୍ସି କିମ୍ବା ଦଲାଲ ଯୁବକମାନଙ୍କୁ ରୁଷରେ ଚାକିରି ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଛନ୍ତି। କିନ୍ତୁ ବାସ୍ତବରେ ସେମାନଙ୍କୁ ସିଧାସଳଖ ସେନାରେ ଭର୍ତ୍ତି କରାଯାଉଛି। ସରକାର ଲୋକଙ୍କୁ ଏପରି ପ୍ରଲୋଭନର ଶିକାର ନ ହେବାକୁ ଏବଂ ଯେକୌଣସି ସନ୍ଦିଗ୍ଧ ପ୍ରସ୍ତାବ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିବେଦନ କରିଛନ୍ତି।