ଭୁବନେଶ୍ୱର ୨୩।୧୧: ଓଡ଼ିଶା ଖଣି ନିଗମ (ଓଏମସି) ର ପରିଚାଳନା ନିର୍ଦ୍ଦେଶକ (ଏମଡି) ଶ୍ରୀ ସୁଧାଂଶୁ ମୋହନ ସାମଲ, ଆଇଏଏସ୍, କୁର୍ମିତାର ଲୁହାପଥର ଖଣି ପରିଦର୍ଶନ କରିଛନ୍ତି। ବିଭିନ୍ନ ଖଣି ଅଞ୍ଚଳକୁ ନିୟମିତ ଗସ୍ତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, ସେ କୁର୍ମିତାର ଖଣିରେ ପହଞ୍ଚି କାର୍ଯ୍ୟକ୍ଷମତା, ଉତ୍ପାଦନ ବୃଦ୍ଧି ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଏହି ଗସ୍ତ ସମୟରେ ତାଙ୍କ ସହ ଓଏମସିର ନିର୍ଦ୍ଦେଶକ ଅପରେସନ୍ସ ଶ୍ରୀ ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ ମାନବ ସମ୍ବଳ ଶ୍ରୀ ଆଲୋକ କୁମାର ପାଲ ଏବଂ ନିର୍ଦ୍ଦେଶକ ଅର୍ଥ ଶ୍ରୀ ବନ ବିହାରୀ ପାଣି ପ୍ରମୁଖ ଉପସ୍ଥିତ ରହିବା ସହ ମୁଖ୍ୟ କାର୍ଯ୍ୟାଳୟର ବିଭାଗୀୟ ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ଏମଡି ଶ୍ରୀ ସାମଲ ଉତ୍ପାଦନ ବୃଦ୍ଧି, ବିକ୍ରୟ ଓ ଯୋଗାଣ ବୃଦ୍ଧି ସହ ଖଣି ଅଞ୍ଚଳରେ ସୁରକ୍ଷା ଉପରେ ଗୁରୁତ୍ୱ ଦେବାସହ କ୍ଷମତା ଅନୁଯାୟୀ ସର୍ବାଧିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ଏମଡି ଶ୍ରୀ ସାମଲ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାବ୍ୟତୀତ, ଖଣିଜ ପଦାର୍ଥର ଅପଚୟ ରୋକିବା ପାଇଁ ସେ କଡ଼ା ଚେତାବନୀ ଦେବା ସହ ଖଣି ପରିଚାଳନାରେ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖିବାକୁ ଖଣି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟଯେ କୁର୍ମିତାର ଖଣି ଅଞ୍ଚଳ ପରିଦର୍ଶନ ସମୟରେ ପରିଚାଳନା ନିର୍ଦ୍ଦେଶକ, ଏମ.ଡି.ଓ ପ୍ରକଳ୍ପ ଅଞ୍ଚଳ ମଧ୍ୟ ବୁଲି ସମୀକ୍ଷା କରିଥିଲେ। ଏମଡି ଏବଂ ନିଗମର ବରିଷ୍ଠ ଅଧିକାରୀମାନେ, ୧୨୦୦ ଟିପିଏଚ୍ କ୍ଷମତା ବିଶିଷ୍ଟ ମେକାନାଇଜଡ ପ୍ରାଇମେରୀ ସ୍କ୍ରିନିଙ୍ଗ ଏବଂ କ୍ରସିଂ ପ୍ଲାଣ୍ଟ ପରିଦର୍ଶନ କରି ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଡେସପାଚ୍ ଏରିଆ-୧ ପରିଦର୍ଶନ କରି ଲୋଡିଂ ବ୍ୟବସ୍ଥାର ନିରୀକ୍ଷଣ ମଧ୍ୟ କରିଛନ୍ତି। ଡେସପାଚ୍ ଏରିଆ-୨ରେ ଚାଲିଥିବା ୱାଗନ୍ ଏବଂ ଟ୍ରକ୍ ଲୋଡିଂ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ, ଭବିଷ୍ୟତର ବିକ୍ରୟ ଲକ୍ଷ୍ୟ ପୂରଣ ପାଇଁ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଏମଡି ଗୁରୁତ୍ୱାରୋପ କରିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ପାରସ୍ପରିକ ସମନ୍ୱୟ ରକ୍ଷା କରିବା ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି କାର୍ଯ୍ୟ କରିବାକୁ ଶ୍ରୀ ସାମଲ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।