କଟକ ୧୮/୧୧: ସରିଛି ବାଲିଯାତ୍ରା, ସରିନି ବିବାଦ । ଜିଲ୍ଲା ପ୍ରଶାସନ ଆୟୋଜନକୁ ଚାଲିଛି ଆରୋପ ପ୍ରତ୍ୟାରୋପ । ଏଇ କିଛି ଦିନ ବାଲିଯାତ୍ରା ଅବବ୍ୟସ୍ଥାକୁ ନେଇ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଥିଲେ କଟକ ମେୟର । ଏବେ ପୁଣି ଥିରେ ବାଲିଯାତ୍ରା ବିବାଦକୁ ନେଇ ପୁଣି ବର୍ଷିଛନ୍ତି ସେ । ଖାସ୍ କରି ଜିଲ୍ଲାପାଳ ଓ ଶ୍ରୀତମ ଦାସଙ୍କୁ ଟାର୍ଗେଟ କରିଛନ୍ତି ମେୟର ସୁବାଷ ସିଂହ ।

ସେ କହିଛନ୍ତି ଜିଲ୍ଲାପାଳ ଜାଣିଶୁଣି ତାଙ୍କ ପସନ୍ଦର କମ୍ପାନୀକୁ ବାଲିଯାତ୍ରା ଆୟୋଜନ ଟେଣ୍ଡର ଦେଇଛନ୍ତି । ଆଉ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ଜିଲ୍ଲାପାଳଙ୍କ ପାଇଁ ଓକିଲାତି ନକରନ୍ତୁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା କଥା ଶ୍ରୀତମ ଦାସ ଜିଲ୍ଲାପାଳଙ୍କ ଏଜେଣ୍ଟ ସାଜି ମିଛ କହୁଛନ୍ତି । ଵାଲିଯାତ୍ରା ଖର୍ଚ୍ଚର ହିସାବ ଦିଅନ୍ତୁ ଜିଲ୍ଲାପାଳ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି । ଆହୁରି ବି କହିଛନ୍ତି ଜିଲ୍ଲାପାଳଙ୍କ ସତ୍ ସାହସ ଅଛି ତ ସାମ୍ନା କରନ୍ତୁ ।

 

ଶ୍ରୀତମ ଦାସ କଅଣ ପାଇଁ ଜିଲ୍ଲାପାଳଙ୍କ ତରଫରୁ ମତେ ଫୋନ୍ କରୁଛନ୍ତି? 'ସେ କଅଣ ଜିଲ୍ଲାପାଳଙ୍କ ପିଏ? କହି ଖୁବ୍ ବର୍ଷିଛନ୍ତି । କାରଣ 'ଗତ ଦୁଇ ବର୍ଷ ବାଲିଯାତ୍ରାରେ ମହାଘୋଟାଲା ହୋଇଛି । ଘୋଟାଲାରେ ଶ୍ରୀତମ ଜିଲ୍ଲାପାଳଙ୍କ ପାର୍ଟନର ସାଜିଛନ୍ତି । କେବଳ ମେୟର ନୁହେଁ ଵିଜେପି ନେତା ନୟନ ମହାନ୍ତି ଓ କଂଗ୍ରେସର ମହମ୍ମଦ ମୋକିମ ମଧ୍ୟ ବାଲିଯାତ୍ରା ଆୟୋଜନକୁ ନେଇ ମୁହଁ ଖୋଲିଛନ୍ତି । ସେମାନେ ବି ଉଭୟ ନେତା ଉପର ପଡ଼ିଆରେ ଅଧାପନ୍ତରିଆ ଆୟୋଜନ ନେଇ ପ୍ରଶ୍ନ ଉଠାଇଲେ । ପ୍ରଶାସନ କଟକର ସଂସ୍କୃତି, ଐତିହ୍ୟ ଆଧାରରେ କାମ କରିବା ଆବଶ୍ୟକ ବୋଲି ସେ ଶୁଣାଇଛନ୍ତି ।

ସୂଚନା ଥାଉକି, କିଛିଦିନ ତଳେ ବାଲିଯାତ୍ରାରେ ଶେଷ ଦିନରେ ପ୍ରବଳ ଭିଡ ହୋଇଥିଲା । ଶ୍ରେୟା ଘୋଷାଲ ନାଇଟ୍ ଦିନ ଭିଡ ଅସମ୍ଭାଳ ହେବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଥିଲେ ମେୟର । ସେ କହିଥିଲେ ଏଥିପାଇଁ ଜିଲ୍ଲାପାଳ ଦାୟୀ । ସେପଟେ ଜିଲ୍ଲାପାଳଙ୍କ ସପକ୍ଷରେ ବାହାରିଥିଲେ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ । ସେ ଓଲଟା ମେୟର ଯୁକ୍ତି ଅଯୌକ୍ତିକ କହିବା ସହ ପ୍ରଶାସନ ଦୋଷ ନଥିବା ସ୍ପଷ୍ଟ କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି ।