News7 Logo

ପାଠପଢାଇ ଖାଇବାକୁ ଆସୁଥିଲେ ଗଣିତ ଶିକ୍ଷକ: ଆସିଲା ହୃଦଘାତ, ଚାଲିଗଲା ଜୀବନ

NEWS7
math teacher

କୋରାପୁଟ ୧୩/୦୯: ୩ ମାସ ପାଇଁ ଆସିଥିଲେ ଅତିଥି ଶିକ୍ଷକ ହୋଇ । ହେଲେ ହୃଦ୍‌ଘାତ ନେଇଗଲା ଜୀବନ । ପାଠ ପଢାଇବାବେଳେ ହଠାତ୍ ଟଳିପଡିଲେ ଶିକ୍ଷକ । ମୃତ ଶିକ୍ଷକ ଜଣଙ୍କ ୩୦ ବର୍ଷୀୟ ଅଭିରାମ ମାଣ୍ଡିଙ୍ଗି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ବାଳକ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅତିଥି ଗଣିତ ଶିକ୍ଷକଙ୍କ ଛାତି ଯନ୍ତ୍ରଣାରେ ମୃତ୍ୟୁ ହୋଇଯାଇଛି। 

ସୂଚନା ଥାଉକି, ମଧ୍ୟାହ୍ନ ସମୟରେ ଅଭିରାମ ମାଣ୍ଡିଙ୍ଗି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଖାଇବାକୁ ଆସୁଥିଲେ । ଏତିକି ବେଳେ ବାରଣ୍ଡାରେ ପେଟ ବ୍ୟଥା ସହ ଛାତି ଯନ୍ତ୍ରଣା ହୋଇଥିଲା । ସେହି ସମୟରେ ବିଦ୍ୟାଳୟର କିରାଣୀ ପ୍ରୀତି ରଞ୍ଜନ ଜେନା ପାଖରେ ଉପସ୍ଥିତ ଥିଲେ । ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ପ୍ରିନ୍ସପାଲ ସରୋଜ କୁମାର ତରାଇଙ୍କ କାର୍‌ରେ ନିଲାବାଡି ଗ୍ରାମ ପର୍ଯ୍ୟନ୍ତ ଆସୁ ଥିବା ବେଳେ ବାଟରେ ଆମ୍ବୁଲାନ୍ସକୁ ଦେଖି ଅଭିରାମଙ୍କୁ ଛଡ଼ାଇ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପହଞ୍ଚାଇ ଥିଲେ। ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। 

ମୃତ ଅଭିରାମ ମାଣ୍ଡିଙ୍ଗି ରାୟଗଡ଼ା ଜିଲ୍ଲା ‌କୋଲନରା ବ୍ଲକ ଅଧୀନ ଚାନ୍ଦିଲି ଥାନା ସିନ୍ଦୁବାଈ ଗ୍ରାମର ଅଟନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇ ଥିବାରୁ ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ମେଡିକାଲରେ ରଖିଛି। ମୃତ୍ୟୁ ଖବର ତାଙ୍କ ପରିବାର ଜାଣିବା ପରେ ମେଡିକାଲରେ ପହଞ୍ଚି ଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସାନ ଭାଇ ବାଙ୍ଗା ରାଜୁ ମାଣ୍ଡିଙ୍ଗି ପହଞ୍ଚି ମୃତ ବଡ଼ଭାଇଙ୍କୁ ଆଗରୁ ପେଟ ବ୍ୟଥା ରହି ଥିବା ଜଣାଇଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଥାନାରେ ପରିବାରଙ୍କ ତରଫରୁ ଲିଖିତ ଅଭିଯୋଗ କିଛି କରି ନାହାନ୍ତି।