ଆଗ୍ରା ବସ୍ତ୍ର ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୧୨ରୁ ଅଧିକ ଦୋକାନ

Published By : Prameya-News7 Bureau | May 22, 2024 IST

ଆଗ୍ରା ୨୨।୫: ଆଗ୍ରାର ବ୍ୟସ୍ତତମ ସିନ୍ଧି ମାର୍କେଟ୍‌ ର କପଡା ବଜାରରେ ବୁଧବାର ଅଗ୍ନିକାଣ୍ଡ ହୋଇଛି। ଲୁଗା ଦୋକାନରେ ନିଆଁ ଲାଗି ଶିଖା ବେଶ୍ ଉପରକୁ ଉଠୁଥିବା ବେଳେ ଦୂରକୁ ବି ଦିଶୁଛି। ବଜାରରେ ନିଆଁ ଲାଗିବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ନିଆଁ ଦୋକାନରୁ ଦୋକାନ ଡେଇଁ ପାଖାପାଖି ୧୨ଟି ଲୁଗା ଦୋକାନ ଜଳି ଯାଇଛି। ଅଗ୍ନିକାଣ୍ଡରେ କେବଳ ବଜାରର ଦୋକାନ ନୁହେଁ ଏଠାରେ ଠେଲାରେ ଫେରି କରୁଥିବା ବ୍ୟବସାୟୀଙ୍କ ଠେଲା ମଧ୍ୟ ଜଳି ଯାଇଛି। 

ବଜାରରେ ନିଆଁ ଲାଗିବା ବେଳେ କିଣାବିକା ଚାଲିଥିଲା, ବେଶ୍ ଗହଳି ବି ଥିଲା। ହେଲେ ନିଆଁ ଲାଗିବା ମାତ୍ରେ ଜୀବନ ବଞ୍ଚାଇବା ପାଇଁ ଯିଏ ଜୁଆଡେ ପାରିଲେ ପଳାଇଥିଲେ। ତେବେ ବଜାରରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣା ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଛି। ଗୋଟିଏ ଦୋକାନରୁ ନିଆଁ ବାହାରି ଆଖପାଖରେ ଥିବା ଦୋକାନକୁ ବ୍ୟାପିଯାଇଥିଲା। ବ୍ୟବସାୟୀ ନିଜ ଦୋକାନରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ବେଳେ ଏହା ଆଖାପାଖ ଦୋକାନକୁ ବି ବ୍ୟାପିବାକୁ ଲାଗିଥିଲା। 

ସେହିପରି ଅପରାହ୍ନରେ ଦିଲ୍ଲୀ ଦ୍ୱାରକା ସେକ୍ଟର ୧୨ରେ ଥିବା ସିଟି ସେଣ୍ଟର ମଲରେ ନିଆଁ ଲାଗିଯାଇଥିବାର ଜଣାପଡିଛି। ନିଆଁ ବିଲ୍ଡିଂର ଦ୍ୱିତୀୟ ମହଲାରେ ଲାଗିଥିବା ବେଳେ ଏହା ଉପରକୁ ଉଠୁଥିବାର ଦେଖାଯାଇଛି। ନିଆଁ ଲାଗିବା ମାତ୍ରେ ଦମକଳ ବିଭାଗକୁ ସୂଚିତ କରିଦିଆଯାଇଥିଲା। ତେବେ ସେତେବେଳକୁ ନିଆଁ ଦ୍ୱିତୀୟ ମହଲାରେ ବ୍ୟାପିସାରିଥିଲା। ମଲରେ ନିଆଁ ଲାଗିବା ବେଳେ ଲୋକେ ମହଜୁଦ ଥିଲେ। ଅନେକ ନିଆଁ ଲାଗିଥିବା ସୂଚନା ପାଇଁ ସେଠାରୁ ଚାଲିଆସିଥିବା ବେଳେ କେତେକ ମଲରେ ଥିବାର ମଧ୍ୟ ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.