ଚାନ୍ଦବାଲୀ : ଆଖି ସାମ୍ନାରେ ସର୍ବନାଶ। କିଛି ଭାବିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳି ଯାଇଥିଲା ଘର। ବର୍ଷ ବର୍ଷ ଧରି ସାଇତି ରଖିଥିବା ଜିନିଷ ପତ୍ର ଚାହୁଁ ଚାହୁଁ ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା। ଏମିତି କି ନିଜେ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ଆଉ କିଛି ପାଖରେ ନାହିଁ । ଭାତହାଣ୍ଡିରୁ ଚାଉଳ ଯାଏଁ ସବୁ କିଛି ପୋଡ଼ି ପାଉଁଶ । ଖାଲି ଘର ଜଳିନି ତ କେତେ ଯେ ସ୍ୱପ୍ନ ଜଳିଛି ସେ କଥା ନ କହିବା ଭଲ। ଆଉ ସେହି ପାଉଁଶ ଭିତରୁ ନିଜ ସ୍ୱପ୍ନକୁ ପୁଣି ସାଉଁଟିବାରେ ବ୍ୟସ୍ତ ପୂରା ପରିବାର।
ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ୨ବଖରା ସହ ରୋଷେଇ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଉତୁକୁଡା ପଞ୍ଚାୟତ ବହୂ ଗାଁରେ। ସବୁ ହରାଇ ସର୍ବସ୍ୱାନ୍ତ ପୂରା ପରିବାର। ବଡ଼ର ଦୁଃଖର କଥା କଣ କହିଲେ ବାପା ସୁରେନ୍ଦ୍ର ମଲ୍ଲିକ ଗୋଟି ଗୋଟି ସଞ୍ଚୟ କରି ଝିଅ ବାହାଘର ପାଇଁ ସାଇତି ରଖି ଥିଲେ ସୁନା ଗହଣା ସାଙ୍ଗକୁ ବହୁ ଆସବାବପତ୍ର। ହେଲେ ଝିଅ ବାହାଘର ସ୍ବପ୍ନ ତାଙ୍କର ଉଜୁଡି ଯାଇଛି। ବାହାଘର ପାଇଁ ସଞ୍ଚୟ ରଖି ଥିବା ସବୁ କିଛି ଆଖି ଆଗରେ ପୋଡ଼ି ପାଉଁଶ ହୋଇ ଯାଇଛି। ଏହି ଦୃଶ୍ୟ ଦେଖି ଭାଙ୍ଗି ପଡିଛନ୍ତି ପରିବାର। ଏହି ଅଗ୍ନିକାଣ୍ଡରେ ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଜୀବନ ବଞ୍ଚାଇ ବାହାରକୁ ବାହାରି ଆସିଛନ୍ତି ସମସ୍ତ ପରିବାର। ଦୁଃଖ କଷ୍ଟ କରି ସୁରେନ୍ଦ୍ର ମଲ୍ଲିକ ଚଳୁଥିବା ବେଳେ ପୁଅ ସଞ୍ଜୟ ମଲ୍ଲିକ ବାହାରେ ଦାଦନ ଖଟି ଯାହା ଘରକୁ ପଠାନ୍ତି ସେଥିରେ ଚଳି ଥାଆନ୍ତି। ପକ୍କା ଘର ଖଣ୍ଡେ ତିଆରି କରିବାକୁ ଅକ୍ଷମ ନ ଥିବା ବେଳେ ତିନି ଝିଅ ମଧ୍ୟରୁ ଦୁଇ ଝିଅଙ୍କ ବିବାହ ବହୁ କଷ୍ଟରେ କରିଥିଲେ। ସାନ ଝିଅର ବିବାହ ପାଇଁ ବିଭିନ୍ନ ଜିନିଷ ପତ୍ର ସାଇତି କରି କିଛି ଦିନମଧ୍ୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ସବୁ କିଛି ଜଳି ଯାଇଛି। ଏବେ ବାହାଘର ତ ଦୂରର କଥା ବଞ୍ଚିବେ କେମିତି ସେହି ଚିନ୍ତାରେ ଅଗ୍ନି ବିପନ୍ନ ପରିବାର।
ନିଆଁ ଲାଗିବାର କାରଣ ଇଲେକ୍ଟ୍ରି ସର୍ଟ ସର୍କିଟ ବୋଲି କୁହାଯାଉଛି। ଅଗ୍ନିଶମବାହିନୀ ଗାଡି ଆସି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଅଗ୍ନିକାଣ୍ଡରେ ସବୁ ପୋଡ଼ି ପାଉଁଶ ହୋଇ ଯାଇ ଥିଲା। ଅନ୍ୟପଟେ ଗ୍ୟାସ୍ ସିଲିଣ୍ଡର ଫାଟିବା ଭୟରେ କେହି ଘର ଭିତରକୁ ଯାଇ କିଛି ଆୟତ କରି ପାରିବା ସମ୍ଭବ ହୋଇ ପାରି ନ ଥିଲା। ତଥାପି ସେହି ଗାଁର ଭକ୍ତ ହରି ମଲ୍ଲିକ ନାମକ ଜଣେ ଯୁବକ ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ଅଗ୍ନିକାଣ୍ଡରେ ମୁହଁ ଏବଂ ହାତ ପୋଡ଼ି ଆହତ ହୋଇଥିଲେ। ଭଦ୍ରକ ମେଡିକାଲରେ ସେ ଚିକିତ୍ସିତ ହେଉଛନ୍ତି। ଏଥିରେ ଅଗ୍ନିଶମ ବାହିନୀ ନିଆଁକୁ ଆୟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ଥିଲେ। ତେବେ ସୁରେନ୍ଦ୍ର ମଲ୍ଲିକ ଜଣେ ଅତି ଗରିବ ଶ୍ରେଣୀର ହୋଇ ଥିବାରୁ ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଉତୁକୁଡା ପଞ୍ଚାୟତର ସରପଞ୍ଚ ବିପନ୍ନ ପରିବାରଙ୍କୁ ନୂତନ ପକ୍କାଘର ଘର ବାବଦରେ ପ୍ରଶାସନକୁ ଜଣାଇ ସାହାଯ୍ୟରେ ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଘର, ସମ୍ପତ୍ତି ସବୁ ହରାଇ ସର୍ବସ୍ୱାନ୍ତ ପରିବାର। ଦୁଃଖୀ ପରିବାର ଉପରେ ପୁଣି ଲଦି ହୋଇ ଯାଇଛି ଆଉ ଏକ ଦୁଃଖର ପାହାଡ଼। ଏବେ ସତରେ ସରକାରୀ ସହାୟତା ହିଁ ତାଙ୍କର ଏକ ମାତ୍ର ଭରସା। ନହେଲେ କଣ କରିବେ, କେମିତି ରହିବେ ସେକଥା ଭାବି ଆଖିରୁ ଲୁହ ଶୁଖୁନି।