ନୂଆଦିଲ୍ଲୀ: ତାଇୱାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କର ପର୍ଦ୍ଦାଫାଶ କରିବା ପାଇଁ ଏକ ରୋବଟ୍ ଭ୍ୟାକ୍ୟୁମ୍ କ୍ଲିନରର ବ୍ୟବହାର କରିଥିଲେ। ସେ ସିଭିଲ୍ କୋର୍ଟରେ ମାମଲା ଜିତି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଥିଲେ ମଧ୍ୟ, ତାଙ୍କୁ ୫ ମାସ ଜେଲ ଯିବାକୁ ପଡ଼ିଛି । ହେଲେ କାହିଁକି ? ଆସନ୍ତୁ ଜାଣିବ । 

୨୦୨୧ରେ ବିବାହ କରିଥିବା ଏହି ଦମ୍ପତି ଛୁଟିଦିନରେ ଘରେ ରହୁଥିଲେ। ୨୦୨୩ ସେପ୍ଟେମ୍ବରରେ ସେହି ଘରୁ ଏକ ବ୍ୟବହୃତ ଟୁଥବ୍ରଶ୍ ମିଳିବା ଏବଂ ଗ୍ୟାରେଜର ସିସିଟିଭି ଫୁଟେଜରେ ଜଣେ ଅଜଣା ପୁରୁଷ ସ୍ତ୍ରୀଙ୍କୁ ଛାଡ଼ିବାକୁ ଆସିବାର ଦେଖି ସ୍ବାମୀଙ୍କର ସନ୍ଦେହ ବଢ଼ିଥିଲା। ସ୍ବାମୀ ଜଣକ ଆପ୍ (App) ମାଧ୍ୟମରେ ଦୂରରେ ଥାଇ ସେହି ଘରର ରୋବଟ୍ ଭ୍ୟାକ୍ୟୁମ୍ କ୍ଲିନର୍‌କୁ ଅନ୍‌ କରିଥିଲେ। ଏହି ଡିଭାଇସ୍‌ରେ ଥିବା କ୍ୟାମେରା ଓ ଅଡିଓ ଫିଚର ସାହାଯ୍ୟରେ ସେ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ସ୍ଥିତିରେ ଦେଖି ତାହାର ରେକର୍ଡିଂ କରିନେଇଥିଲେ। 

କୋର୍ଟ ସ୍ବାମୀଙ୍କ ବୈବାହିକ ଅଧିକାର ଭଙ୍ଗ ହୋଇଥିବା ସ୍ୱୀକାର କରି ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ କୋର୍ଟ କହିଥିଲେ ଯେ, ବୈବାହିକ ସମ୍ପର୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଭଙ୍ଗ କରିପାରିବ ନାହିଁ। ବେଆଇନ ଭିଡିଓ ରେକର୍ଡିଂ ପାଇଁ ସ୍ବାମୀଙ୍କୁ ୫ ମାସର ଜେଲ୍ ଏବଂ ପ୍ରାୟ ୪.୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ତାଇୱାନ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକଳାପ କିମ୍ବା ଗୁପ୍ତ ଫୋଟୋ/ଭିଡିଓ ରେକର୍ଡ କରିବା ଅପରାଧ, ସେଥିପାଇଁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶର ପ୍ରାବଧାନ ରହିଛି।