LIVE TV

କର୍ଣ୍ଣାଟକ କଂଗ୍ରେସରେ ବିଦ୍ରୋହ : ଡିକେଙ୍କ ସମର୍ଥନରେ ପୁଣି ଦିଲ୍ଲୀ ଗଲେ ୮ ବିଧାୟକ

NEWS7
mamta-banarjee-said-will-celibrate-khela-hobe-diwas

ବେଙ୍ଗାଲୁରୁ, ୨୪/୧୧: କର୍ଣ୍ଣାଟକ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ ଶିବିରରୁ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ କିଛି ବିଧାୟକ ଦିଲ୍ଲୀ ଯାଇଥିଲେ । ସେଠାରେ ସେମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ । ଏବେ ପୁଣି ଆଉ କିଛି ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ୮ ଜଣ କଂଗ୍ରେସ ବିଧାୟକ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ଦଳର ହାଇକମାଣ୍ଡଙ୍କୁ ଭେଟିବେ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ଡିକେ ଶିବକୁମାରଙ୍କ କିଛି ଖାସ୍ ଅନୁଗତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଚାହୁଁଛନ୍ତି । ତେଣୁ ସେମାନେ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି । ବରିଷ୍ଠ ନେତାଙ୍କୁ ଭେଟି ଦାବି ଜଣାଉଛନ୍ତି । ଗତ ସପ୍ତାହକ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକଙ୍କ ଦିଲ୍ଲୀ ଯିବା ଘଟଣା ଦେଖିବାକୁ ମିଳିଛି ।

ସେପଟେ ଡିକେଙ୍କ ଅନୁଗତ ବିଧାୟକ ଦିଲ୍ଲୀରେ ଥିବା ବେଳେ କଂଗ୍ରେସ ସଭାପତି ଏବେ ବେଙ୍ଗାଲୁରୁରେ ଅଛନ୍ତି । ସେ ଖୁବ୍ ଶୀଘ୍ର ଦିଲ୍ଲୀ ଗସ୍ତ କରିଥାନ୍ତେ । କିନ୍ତୁ ରାଜ୍ୟରେ ବଢୁଥିବା ରାଜନୈତିକ ତାତିକୁ ନଜରରେ ରଖି ସେ ଗସ୍ତ ବାତିଲ କରିଛନ୍ତି । କାରଣ କଂଗ୍ରେସ ସରକାରରେ କିଛି ଠିକ୍ ଚାଲିନି । ଦଳର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ତେଣୁ ସେ ରିସ୍କ ନେବାକୁ ଚାହୁଁନଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ତିନି ଦିନ ତଳେ ୧୦ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରି ଖଡଗେଙ୍କୁ ଭେଟିଥିଲେ । ରାଜ୍ୟରେ ଡିକେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସେମାନେ ଦାବି କରିଥିଲେ । କଂଗ୍ରେସ ସରକାର ଗଠନକୁ ଅଢେଇ ବର୍ଷ ବିତିଥିବା ବେଳେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍ ଧରୁଛି । ଏନେଇ ଡିକେଙ୍କୁ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା । ସେ ଅସୁସ୍ଥ ଥିବା ଏବଂ ବିଜ ସମର୍ଥିତ ବିଧାୟକଙ୍କ ଦିଲ୍ଲୀ ଗସ୍ତ ବାବଦରେ କିଛି ଜାଣିନଥିବା ସଫେଇ ଦେଇଥିଲେ ।