ବମାକୋ ୩୧।୧୦: ଆଫ୍ରିକା ମହାଦ୍ୱୀପ ଦେଶ ମାଲି ଏବେ  ଆତଙ୍କବାଦୀ ଅଲ-କାଏଦାଙ୍କ ହାତକୁ ଚାଲିଯିବାର ଆଶଙ୍କା କରାଗଲାଣି। ଦୀର୍ଘ ସମୟରୁ ଏହି ଦେଶରେ ଆତଙ୍କବାଦୀ ଗତିବିଦ୍ଧି ବଢି ଚାଲିଥିଲା। ଏଠାରେ ନିର୍ବାଚିତ ସରକାରଙ୍କ ପତନ ପରେ ବିଦ୍ରୋହୀ  ଋଷିଆ ଓ ଚୀନ ସହଯୋଗରେ ଦେଶ ଚଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ବିଫଳ ହୋଇଛନ୍ତି। ଏଥି ମଧ୍ୟରେ ଅଲକାଏଦା ଆତଙ୍କବାଦୀ ସୁଯୋଗ ଦେଖି ରାଜଧାନୀ ବମାକୋକୁ ଘେରି ଯାଇଛନ୍ତି। ସେମାନେ ରାଜଧାନୀକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛନ୍ତି। କୁହାଯାଉଛି ଖୁବ୍ ଶୀଘ୍ର ବମାକୋକୁ ଅଲ-କାଏଦା ହାତେଇ ନେବ।

ମାଲିର ପରିସ୍ଥିତି ଏବେ ବିଗିଡିବାରେ ଲାଗିଥିବା ବେଳେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ସେଠାକୁ ଯିବାକୁ ବାରଣ କରୁଛନ୍ତି। ସେହିପରି ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଅଷ୍ଟ୍ରେଲିୟା ଆଦି ଦେଶ ନିଜନିଜ ନାଗରିକଙ୍କୁ ଯଥାଶୀଘ୍ର ମାଲି ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଶ୍ଚିମ ଆଫ୍ରିକୀୟ ଦେଶ ଏକ ସ୍ଥଳ ରୁଦ୍ଧ ଦେଶ। ଏହାର ଚାରି ପାଖରେ ଅଲଜେରିଆ, ନାଇଜର, ବୁର୍କିନାଫାସୋ, କୋଟ ଡି ଆଇବର, ଗିନି, ସେନେଗଲ ଓ ମରିଟାନିଆ ଆଦି ଦେଶ ଅଛନ୍ତି।

ଅଲ-କାଏଦା ସମ୍ପର୍କିତ ଏକ ଆତଙ୍କବାଦୀ ସମୂହ ଜମାତ ନୁସରତ ଅଲ-ଇସ୍ଲାମ ଭାଲ-ମୁସ୍ଲିମିନ୍ (ଜେଏନଆଇଏମ) ଗତ ସେପ୍ଟେମ୍ବରରେ ରାଜଧାନୀକୁ ଇନ୍ଧନ ଯୋଗାଣ ବନ୍ଦ କରିଥିଲା। ସେବେଠାରୁ ମାଲି ଏକ ଅଭୂତପୂର୍ବ ସଂକଟରେ ଘେରି ଯାଇଛି। ଅନେକ ଗ୍ରାମାଞ୍ଚଳକୁ ନିଜ ଅଧିନକୁ ନେଇ ସାରିଥିବା ଜେଏନଆଇଏମ ସେପ୍ଟେମ୍ବର ୩ ତାରିଖରୁ ସାମରିକ ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳମାନଙ୍କରେ ଇନ୍ଧନ ବିକ୍ରି ବନ୍ଦ କରାଇଥିଲା।

ଆଫ୍ରିକା ସିକ୍ୟୁରିଟି ଆନାଲିସିସ୍ ଅନୁସାରେ ଜେଏନଆଇଏମ ଇନ୍ଧନ କଟକଣା ଲାଗୁ କରି ସୀମାକୁ ଯାତାୟାତ ନିୟନ୍ତ୍ରଣ କରିଛି। ଅନଲାଇନରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜେଏନଆଇଏମ ନେତା ଅବୁ ହୌଜିଫା ଅଲ ବାମ୍ବାରୀ  କହିଛି ଯେ ସେ ବୁନ୍ଦାଏ ଇନ୍ଧନ ଦେଶ ଭିତରକୁ ଯିବାକୁ ଦେବ ନାହିଁ। ଏହା ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖରେ ସେନେଗାଲରୁ ଦେଶ ଭିତରକୁ ପ୍ରବେଶ କରୁଥିବା ଇନ୍ଧନ ଟ୍ୟାଙ୍କରଙ୍କୁ ଟାର୍ଗେଟ କରିବା ଯୋଗୁ ସାରା ଦେଶରେ ଇନ୍ଧନ ଅଭାବ ଉପୁଜିଛି।