LIVE TV

ୟୁରୋପର ଅନେକ ବିମାନବନ୍ଦର ଉପରେ ସାଇବର୍ ଆଟାକ୍, ଚେକ୍-ଇନ୍ ସିଷ୍ଟମ ଠପ୍; ଯାତ୍ରୀ ହନ୍ତସନ୍ତ

NEWS7
AIRPORT

​​​​​​​ନୂଆଦିଲ୍ଲୀ: ୟୁରୋପର ଅନେକ ବ୍ୟସ୍ତ ବହୁଳ ଓ ବଡ଼ ବିମାନବନ୍ଦରରେ ସାଇବର୍ ଆଟାକ୍ ହୋଇଛି । ଚେକ୍-ଇନ୍ ଓ ବୋର୍ଡିଂ ସିଷ୍ଟମକୁ ଟାର୍ଗେଟ୍ କରି ଏହି ଆଟାକ୍ କରାଯାଇଛି । ଏହି କାରଣରୁ ଶନିବାର ଶତାଧିକ ଉଡାଣରେ ବିଳମ୍ୱ ହୋଇଛି ଓ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ବୈଷୟିକ ସମସ୍ୟା ଯୋଗୁ ୟୁରୋପର ପ୍ରମୁଖ ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି । ଅନେକ ବିମାନବନ୍ଦରରେ ମାନୁଆଲ୍ ପ୍ରକ୍ରିୟାରେ ଉଡାଣ ପରିଚାଳନା କରାଯାଉଛି ।

ବ୍ରୁସେଲ୍ସ ଏୟରାପୋର୍ଟ ପ୍ରଶାସନ କହିଛି, ଶୁକ୍ରବାର ରାତିଠାରୁ ଚେକ୍-ଇନ୍ ଓ ବୋର୍ଡିଂ ସିଷ୍ଟମ ସେବା ଉପରେ ସାଇବର୍ ଆଟାକ୍ ହୋଇଛି । ଏଥିରେ ବୈଷୟିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ବିମାନବନ୍ଦର ମାନୁଆଲ୍ ଚେକ୍-ଇନ୍ ଏବଂ ବୋର୍ଡିଂ ପ୍ରକ୍ରିୟା ଗ୍ରହଣ କରିଥିଲା, ଯାହା ଫଳରେ ବିମାନ ସମୟସୂଚୀରେ ପରିବର୍ତ୍ତନ କରାଯାଇଛି । ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ଏବଂ ନିୟମିତ ଭାବରେ ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।

ଜର୍ମାନୀର ବ୍ରାଣ୍ଡେନବର୍ଗ ବିମାନବନ୍ଦର ମଧ୍ୟ ସାଇବର୍ ଆଟାକର ଅଭିଯୋଗ କରିଛି । ଏହା ପରେ, ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପ୍ରଶାସନ ଅସ୍ଥାୟୀ ଭାବରେ ଏହାର ନେଟୱାର୍କ ସଂଯୋଗକୁ ବନ୍ଦ କରିଛନ୍ତି । ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ମଧ୍ୟ ଏକ ବୈଷୟିକ ସମସ୍ୟା ଦେଖାଦେଇଛି । ହିଥ୍ରୋ ବିମାନବନ୍ଦର ଅନୁଯାୟୀ, ଅନେକ ଏୟାରଲାଇନ୍ସକୁ ଚେକ୍-ଇନ୍ ଏବଂ ବୋର୍ଡିଂ ସିଷ୍ଟମ ପ୍ରଦାନ କରୁଥିବା କଲିନ୍ସ ଏରୋସ୍ପେସ୍ କମ୍ପାନୀ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି । ଏହି କାରଣରୁ ଉଡ଼ାଣରେ ବିଳମ୍ବ ହେଉଛି ।

ସାଇବର ଆକ୍ରମଣ ଯୋଗୁଁ ପ୍ରଭାବିତ ବିମାନବନ୍ଦରଗୁଡ଼ିକ ସେମାନଙ୍କର ସୁରକ୍ଷା ପ୍ରୋଟୋକଲକୁ କଡ଼ାକଡ଼ି କରିଛନ୍ତି । ବଡ଼ ଧରଣର ସାଇବର୍ ଆଟାକକୁ ଏଡାଇବା ପାଇଁ ଅନେକ ସ୍ଥାନରେ ସିଷ୍ଟମଗୁଡ଼ିକୁ ଅସ୍ଥାୟୀ ଭାବରେ ଅଫ୍‌ଲାଇନ୍ କରାଯାଇଛି | ଘଟଣାର ଗମ୍ଭୀରତା ଯୋଗୁଁ ବିଶେଷଜ୍ଞମାନେ ହାଇ ଆଲର୍ଟରେ ଅଛନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଅତିରିକ୍ତ ପଦକ୍ଷେପ ନେଉଛନ୍ତି