ଅଲିନଗର ୬।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏଥି ମଧ୍ୟରେ ମିଥିଳାର ଲୋକଗାୟିକା ତଥା ବିଜେପି ପ୍ରାର୍ଥୀ ମୈଥିଲୀ ଠାକୁରଙ୍କ ନାମରେ ଏକ ଅଭିଯୋଗ ଆସିଛି। ଅଲିନଗର ବିଧାନସଭା ନିର୍ବାଚନମଣ୍ଡଳିରୁ ଲଢୁଥିବା ମୈଥିଲୀ ଭୋଟ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକଙ୍କୁ ସିଧାସଳଖ ବିଜେପିକୁ ଭୋଟ ଦେବାକୁ ଅପିଲ କରିଛନ୍ତି।

ମୈଥିଲୀଙ୍କ ପୋଷ୍ଟକୁ ନେଇ ବିବାଦ
ମୈଥିଲୀ ଠାକୁର ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି ‘ବିହାର ହୈ  ତୈୟାର ଫିର ଏନଡିଏ ସରକାର’। ତାଙ୍କର ଏହି ପୋଷ୍ଟରେ ‘ଅଲିନଗରର ଜନଜନ ୬ ନଭେମ୍ବର ଇଭିଏମ କ୍ରମାଙ୍କ ୧ରେ କମଲ ନିଶାନ ଦବାଇ ସୁଶାସନ, ପ୍ରଗତି ଓ ସ୍ଥିରତାର ସରକାର ବାଛିବା ପାଇଁ ପଣ କରିଛନ୍ତି’ ବୋଲି ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟ ସହିତ ସେ ସେୟାର କରିଥିବା ଭିଡିଓରେ ସମର୍ଥକଙ୍କୁ ସିଧା ବିଜେପିକୁ ଭୋଟ କରିବାକୁ ନିବେଦନ କରିଛନ୍ତି। ତେବେ ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟ ତାଙ୍କ ପାଇଁ ଏବେ ବୁମେରାଂ ହୋଇପାରେ ବୋଲି କୁହାଯାଉଛି। 

ଆଇନ କହୁଛି କ’ଣ?
ଭାରତର ଜନପ୍ରତିନିଧି ଅଧିନିୟମ ୧୯୫୧ର ନିର୍ବାଚନ ଆଚାର ସଂହିତ ସମ୍ପର୍କିତ ନିୟମକୁ ସ୍ପଷ୍ଟ ପରିଭାଷିତ କରୁଛି। ଏହି ଅଧିନିୟମର ଧାରା ୧୨୬(୧)(ବି) ଅନୁସାରେ ଭୋଟ ଗ୍ରହଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଓ ଭୋଟ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କୌଣସି ପ୍ରକାରର  ପ୍ରଚାର, ବୟାନ ଅଥବା ଇଲେକ୍ସନ ମ୍ୟାଟରକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ବର୍ଜିତ।‘ଇଲେକ୍ସନ ମ୍ୟାଟର’ର ଅର୍ଥ ହେଉଛି ଏପରି କୌଣସି ବାର୍ତ୍ତା ଅଥବା ସାମଗ୍ରୀ ଯାହା ଭୋଟରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରେ, ହୁଏତ ଏହା କୌଣସି ପାର୍ଟି ଅଥବା ପ୍ରାର୍ଥୀଙ୍କ ସପକ୍ଷରେ ହେଉ ବା ବିରୋଧରେ ତାହା ପ୍ରସାରିତ କରାଯିବା ଉଚିତ ନୁହେଁ। ଏହି ନିୟମର ଉଲ୍ଲଂଘନ ହେଲେ ୨ ବର୍ଷ ଜେଲ ଅଥବା ଜରିମନା କିମ୍ବା ଉଭୟ ଦଣ୍ଡବିଧାନ ହୋଇପାରେ।

ମୈଥିଲୀ ଠାକୁରଙ୍କ ଉପରେ ପଡିବ କିପରି ପ୍ରଭାବ?
ଯଦି ମୈଥିଲୀ ଏହି ନିର୍ବାଚନ ଜିତି ବି ଯାଆନ୍ତି ତଥାପି ଏହି ବିବାଦ ତାଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ। ଯଦି ନିର୍ବାଚନ ଫଳାଫଳ ଘୋଷଣା ପରେ କୌଣସି ବ୍ୟକ୍ତି ଅଥବା ସଙ୍ଗଠନ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗ ଅଥବା କୋର୍ଟରେ ଅଭିଯୋଗ କରନ୍ତି ତେବେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇପାରେ। ଆଇନ ଅନୁସାରେ ଯଦି କେହି ନିର୍ବାଚିତ ପ୍ରତିନିଧିଙ୍କୁ ୨ ବର୍ଷ ବା ଏହାଠୁ ଅଧିକ ସମୟ ଜେଲ ହୁଏ ତେବେ ସେ ସ୍ୱଚାଳିତ ରୂପେ ନିଜର ସଦସ୍ୟତା ହରାଇ ପାରନ୍ତି।

ଲୋକଙ୍କ ପ୍ରତିକ୍ରିୟା ଓ ଆୟୋଗଙ୍କ ନିରବତା
ମୈଥିଲୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର ଏହାକୁ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ବୋଲି ପ୍ରତିକ୍ରିୟା ଦେଉଛନ୍ତି। ଏ ନେଇ ଲୋକେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରୁଛନ୍ତି। ଏଥିରେ ରାଜନୈତିକ ବିଶ୍ଲେଷକଙ୍କ କହିବା କଥା ହେଉଛି ଏତେ ଲୋକପ୍ରିୟତା ସତ୍ତ୍ୱେ ମୈଥିଲୀଙ୍କ ଏପରି କାର୍ଯ୍ୟ ତାଙ୍କର ଅନୁଭବହୀନତାକୁ ଦର୍ଶାଉଛି।

ମୈଥିଲୀ ଠାକୁର ଯିଏ ଲୋକ ସଂଗୀତ ଦ୍ୱାରା ଲୋକଙ୍କ ମନରେ ଘର କରିସାରିଛନ୍ତି ସେ ଏବେ ରାଜନୈତିକ ମୈଦାନରେ ମଧ୍ୟ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି। ହେଲେ ତାଙ୍କର ଏହି ଭିଡିଓ ତାଙ୍କ କ୍ୟାରିୟର ଲାଗି ଏକ ବଡ ଠୋକର ହୋଇପାରେ। ଗୋଟିଏ ପଟେ ସେ ନିଜ ଗୀତ ପାଇଁ ବିହାରରେ ସ୍ୱର ପାଲଟିଥିବା ବେଳେ ଅନ୍ୟପଟେ ତାଙ୍କର ଏହି ସାମାନ୍ୟ ଭୁଲ ରାଜନୀତିରେ ତାଙ୍କୁ ସବୁଦିନ ପାଇଁ ନିରବ କରିଦେଇ ପାରେ ବୋଲି କୁହାଯାଉଛି।