ନୂଆଦିଲ୍ଲୀ ୬।୯: ଭାଦ୍ରପଦ ଶୁକ୍ଳପକ୍ଷ ପୂର୍ଣ୍ଣିମା ୭ ସେପ୍ଟେମ୍ବର ରବିବାର ସମ୍ପୂର୍ଣ୍ଣ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହି ଗ୍ରହଣ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଓ ଗ୍ରହଣ କାଳରେ ଚନ୍ଦ୍ରମାଙ୍କୁ ପୃଥିବୀର ଛାୟା ଘୋଡାଇ ଦେବ । ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ପୃଥିବୀ ଛାଇରେ ଢାଙ୍କି ହୋଇଯିବ ସେତେବେଳେ ଏହାର ରଙ୍ଗ ହାଲୁକା ଲାଲ ବା ଇସତ ନାରଙ୍ଗୀ ରଙ୍ଗ ହୋଇଯିବ। ଏଣୁ ଏହାକୁ ବ୍ଲଡମୁନ ମଧ୍ୟ କୁହାଯିବ।

ଏହି ଗ୍ରହଣ ସାରା ଭାରତରେ ଦୃଷ୍ୟମାନ ହେବ। ଭାରତ ସହିତ ଏସିୟା, ଅଷ୍ଟ୍ରେଲିୟା, ଆଫ୍ରିକା, ୟୁରୋପ, ଆଣ୍ଟାର୍କଟିକା, ପେସିଫିକ୍ ଓ ଇଣ୍ଡିଆନ ଓସନରେ ମଧ୍ୟ ଦେଖାଯିବ। ଏଣୁ ସୂତକ କାଳ ମଧ୍ୟ ମାନ୍ୟ ହେବ। ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ସୂତକ ଲାଗିବ। ସୂତକ କାଳରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ ହେବ ନାହିଁ। ଏହି କାଳରେ ମନ୍ଦିରମାନଙ୍କ କବାଟ ମଧ୍ୟ ପଡିଯାଏ। ଚନ୍ଦ୍ରଗ୍ରହଣ ରାତି ୯ଟା ୫୮ ମିନିଟ୍ ରେ ଆରମ୍ଭ ହେବ, ଯାହା ରାତି ଗୋଟାଏ ୨୬ ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ। ଏଣୁ ସ୍ଥାନୀୟ ଗ୍ରହଣ ଅବଧି ୩ ଘଣ୍ଟା ୨୮ ମିନିଟ୍ ୨ ସେକେଣ୍ଡ ରହିବ।

ଚନ୍ଦ୍ରଗ୍ରହଣର ଉପଛାୟା ପ୍ରଥମ ସ୍ପର୍ଶ ରାତି ୮ଟା ୫୯ ମିନିଟରେ ହେବ। ସେହିପରି ପ୍ରଛାୟ ପ୍ରଥମ ସ୍ପର୍ଶ ରାତି ୯ଟା ୫୮ମିନିଟରେ ହେବ। ଖ, ଗ୍ରାସ ଗ୍ରହଣ ପ୍ରାରମ୍ଭ ରାତି ୧୧ଟା ୪୨ ମିନିଟରେ ଆରମ୍ଭ ହେବାକୁ ଥିବା ବେଳେ ଖ, ଗ୍ରାସ ସମାପ୍ତି ରାତି ୧୨ଟା ୨୨ମିନିଟରେ ହେବ। ଅନ୍ତିମ ପ୍ରଛାୟା ସ୍ପର୍ଶ ରାତି ଗୋଟାଏ ୨୬ ମିନିଟରେ ହେବାକୁ ଥିବା ବେଳେ ଉପଛାୟା ଅନ୍ତିମ ସ୍ପର୍ଶ ଭୋର ୨ଟା ୨୪ ମିନିଟରେ ହେବ।

ଖ, ଗ୍ରାସ ଅବଧି ୧ ଘଣ୍ଟା ୨୧ ମିନିଟ୍ ୨୭ ସେକେଣ୍ଡ ପର୍ଯ୍ୟନ୍ତ ରହୁଥିବା ବେଳେ ଖଣ୍ଡଗ୍ରାସ ଅବଧି ୩ ଘଣ୍ଟା ୨୮ ମିନି୍ଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ଉପଛାୟା ଅବଧି ୫ ଘଣ୍ଟା ୨୪ ମିନିଟ୍ ୩୭ ସେକେଣ୍ଡ ରହିବ। ଏଥି ପାଇଁ ସୂତକ ରବିବାର ମଧ୍ୟାହ୍ନ ୧୨ଟା ୧୯ ମିନିଟରୁ ଆରମ୍ଭ ହେଉଥିବା ବେଳେ ସୂତକ ସମାପ୍ତି ରାତି ଗୋଟାଏ ୨୬ ମିନିଟରେ ହେବ। ବାଳୁତ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କ ପାଇଁ ସୂତକ ପ୍ରାରମ୍ଭ ସନ୍ଧ୍ୟା ୬ଟା ୩୬ ମିନିଟରୁ ଆରମ୍ଭ ହେଉଥିବା ବେଳେ ସୂତକ ସମାପ୍ତି ଭୋର ୧ଟା ୨୬ ମିନିଟରେ ହେବ।