ଅନୁଗୁଳ ୨୬।୧୧ : ପୋଲିସକୁ ସଫଳ । ଭୁବନେଶ୍ୱରରୁ ଆସି ଅନୁଗୁଳରେ ଡକାୟତି ଯୋଜନା କରିଥିବା ବେଳେ ଏକ ଗ୍ୟାଙ୍ଗକୁ ଧରିଛି ପୋଲିସ । ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ହରିପୁରପାଟଣା ଗାଁର ସଲିମୁଦ୍ଦିନ ଖାନ୍, ଖୋର୍ଦ୍ଧା ସଦର ଥାନା କାଇପଦର ଗାଁର ହରିପ୍ରସାଦ ଦାସ, ଭୁବନେଶ୍ୱରର ଶିବବ୍ରତ ସ୍ୱାଇଁ । ଅଭିଯୁକ୍ତଙ୍କ ଠାରୁ ୩୧ ଗ୍ରାମରୁ ଅଧିକ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ସେହିପରି ଗୋଟିଏ ପିସ୍ତଲ, ୩ଟି ଗୁଳି, ଗୋଟିଏ ଦାମୀ କାର୍, ୨ଟି ବାଇକ୍, ଗୋଟିଏ ଚାପଡ଼, ୪ଟି ମୋବାଇଲ୍ ଫୋନ୍, ଲଙ୍କାଗୁଣ୍ଡ ପ୍ୟାକେଟ୍, ମଦ ବୋତଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଏକାଧିକ ଚୋରି, ଡକାୟତି, ନିଶା କାରବାର, ହତ୍ୟା ମାମଲାରେ ସଂପୃକ୍ତ ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାହୁଲ ଜୈନ୍ ।

ଏସ୍ପିଙ୍କ କହିବା ଅନୁସାରେ, ଭୁବନେଶ୍ୱରରେ ଏକାଧିକ ଅପରାଧରେ ସାମିଲ ଥିବା ଅଭିଯୁକ୍ତମାନେ ଅନୁଗୁଳକୁ ଟାର୍ଗେଟ କରିଥିଲେ । ଶିଳ୍ପ ଭର୍ତ୍ତି ଜିଲ୍ଲାରେ ଅପରାଧ ଘଟାଇବା ପାଇଁ କରୁଥିଲେ ପ୍ଲାନ । ହେଲେ ପୋଲିସ ସବୁ ପ୍ଲାନ୍କୁ ଫେଲ୍ କରିଛି । ବିଳମ୍ବିତ ରାତିରେ ୫ ଜଣ ଯୁବକ ତୁରଙ୍ଗ ଖେଳ ପଡ଼ିଆରେ ବସି ଡକାୟତି ଯୋଜନା କରୁଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଟାଉନ୍ ଥାନା ପୋଲିସ ଚଢାଉ କରିଥିଲା । ଯୁବକଙ୍କ ପାଖରେ ଏକ ଦାମୀ କାର୍ ଥିଲା । ଯେଉଁଥିରେ ସେମାନେ ମଦ ପିଉଥିଲେ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ଦୁର୍ବୃତ୍ତ । ହେଲେ ତିନି ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ୨ ଜଣ ଫେରାର ମାରିଥିଲେ । ମଙ୍ଗଳବାର ପୋଲିସ ଅଭିଯୁକ୍ତଙ୍କ ଦ୍ୱାରା ସିନ୍ ରିକ୍ରିଏସନ୍ କରାଇବା ସହିତ ଗିରଫ ପରେ କୋର୍ଟ ଚାଲାଣ କରିଛି ।