ନୂଆଦିଲ୍ଲୀ ୧୫।୧୧: ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ ମହୂଆ ମୋଇତ୍ରଙ୍କ ବିରୋଧରେ କ୍ୟାସ ଫର କ୍ୱରୀ କେସ୍ ରେ ଲୋକପାଳ ଶନିବାର ସିବିଆଇକୁ ୪ ସପ୍ତାହ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ସିବିଆଇ ଆସନ୍ତା ୪ସପ୍ତାହ ମଧ୍ୟରେ ସମ୍ବଦ୍ଧିତ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ। ଏହାର ଏକ ନକଲ ସିବିଆଇ ଲୋକପାଳ କୋର୍ଟରେ ମଧ୍ୟ ଦାଖଲ କରିବ। ଏହି ମାମଲାରେ ମହୂଆ ମୋଇତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଦିଆଯାଇଥିଲା। ତେବେ ମହୂଆ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ସାଂସଦ ନିର୍ବାଚିତ ହୋଇ ଲୋକସଭା ପହଞ୍ଚିଛନ୍ତି।

ତେବେ ଏପରି ନୁହେଁ ଯେ ସିବିଆଇ ଚାର୍ଜସିଟ୍ ଦାଖଲ କରିବା ତୁରନ୍ତ ବାଦେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଯିବ। ନିର୍ଦ୍ଦେଶରେ ଲୋକପାଳ କହିଛନ୍ତି ଯେ ଚାର୍ଜସିଟ୍ ଦାଖଲ ହେବା ପରେ ଯାଇ ସିବିଆଇର ଅନ୍ୟ ଆବେଦନ ଉପରେ ବିଚାର କରାଯିବ। ଗତବର୍ଷ ଲୋକପାଳଙ୍କ ଆଦେଶରେ ସିବିଆଇ ମହୂଆଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ସିବିଆଇକୁ ୬ ମାସ ମଧ୍ୟରେ ଯାଞ୍ଚର ବିସ୍ତୃତ ରିପୋର୍ଟ ଦାଖଲ କରିବାର ଥିଲା। ପରେ ଏହି ରିପୋର୍ଟ ଆଧାରରେ ସିବିଆଇ ତଦନ୍ତ କର୍ତ୍ତା ଲୋକପାଳଙ୍କ ନିକଟରେ ମହୂଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ଓ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅନୁମତି ମାଗିଥିଲା। ଏଥର ଲୋକପାଳଙ୍କ ପୂର୍ଣ୍ଣ ପୀଠ ଏହି ଅନୁମତି ଦେଇଛନ୍ତି।

ନିକଟରେ କୃଷ୍ଣନଗର ସାଂସଦ ମହୂଆ ମୋଇତ୍ର ଲୋକପାଳ ପୀଠଙ୍କ ଶୁଣାଣି ଉପରେ ଆରୋପ ଲଗାଇଥିଲେ। କହିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମାମଲାର ସମ୍ବେଦନଶୀଳ କାଗଜପତ୍ର ମିଡିଆରେ ପ୍ରସାରଣ କରିଛନ୍ତି। ଏହି ଅଭିଯୋଗ ଆଧାରରେ ମହୂଆ ଲୋକପାଳ ଶୁଣାଣି ଉପରେ ରୋକ ଲଗାଇବାକୁ ଦାବି କରି ଦିଲ୍ଲୀ ଉଚ୍ଚନ୍ୟାୟାଳଙ୍କ ଶରଣାପନ୍ନ ହୋଇଥିଲେ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅନିଲ କ୍ଷେତ୍ରପାଲ ଓ ଜଷ୍ଟିସ୍ ହରିସ ବୈଦ୍ୟନାଥ ଶଙ୍କରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ତେବେ ଉଚ୍ଚନ୍ୟାୟାଳୟ କହିଛନ୍ତି ଯେ ଲାଞ୍ଚ ମାମଲାରେ ଏହି ପର୍ଯ୍ୟାୟର କୌଣସି ପ୍ରକାର ରହିତାଦେଶ ଦିଆଯାଇ ପାରିବନି। ଏଣୁ ଟିଏମସି ସାଂସଦଙ୍କ ଆବେଦନ ଖାରଜ ହୋଇଯାଇଛି।