ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ବୁଧବାର(ଏପ୍ରିଲ ୧୭) ସନ୍ଧ୍ୟାରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହେବ। ଏଥରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ୮ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେବ।
ପ୍ରଥମ ପର୍ଯ୍ୟାୟ ଭଟୋ ପାଇଁ ବୁଧବାର ସବୁ ଦଳର ଟାଣୁଆ ନେତାମାନେ ସଭା, ରାଲି ଓ ରୋଡ୍ ଶୋ’ର ଆୟୋଜନ କରିଥିଲେ। ଅଖିଳେଶ ଯାଦବଙ୍କ ସହ ମିଶି ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର କରିଥିଲେ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାମର ନଳବାଡ଼ି ପହଞ୍ଚି ପ୍ରଚାର କରିଥିଲେ।
ଦିଲ୍ଲୀକୁ ଲାଗି ଉତ୍ତର ପ୍ରଦେଶ ଗାଜିଆବାଦରେ ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ବିଜେପିକୁ ଟାର୍ଗେଟ୍ କରିବା ସହ ଏକ ଭିଡିଓ ଗୀତ ଲଞ୍ଚ କରିଥିଲେ। ଏଥର ବିଜେପି ମାତ୍ର ୧୫୦ ଆସନ ପାଇବ ବୋଲି ରାହୁଲ କହିଥିଲେ। ସେହିପରି ଅଖିଳେଶ ଯାଦବ ମଧ୍ୟ ପରିବାରବାଦ ନେଇ କହିଥିଲେ ବିଜେପି ଏଥର ପରିବାରରେ ନେତା ଥିବା ଲୋକଙ୍କୁ ବିଜେପି ଟିକେଟ୍ ନ ଦେଉ ବୋଲି କହି ଟାର୍ଗଟେ୍ କରିଥିଲେ।
ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସାହାରନପୁରରେ ରୋଡ୍ ଶୋ’ କରିଥିଲେ। ସେ ପାଖାପାଖି ୨୫ ମିନିଟ୍ରେ ୧.୫ କିମି ଯାତ୍ରା କରିଥିଲେ। ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ମୋଦୀ ସରକାର ବେରୋଜଗାରୀ ଓ ମହଙ୍ଗା ବଜାର କଥା କହୁ ନାହାନ୍ତି। କଥା ଏପଟସେପଟ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। କ୍ଷମତାଧାରୀ ଶକ୍ତି ଓ ସତ୍ୟର ଉପାସକ ନୁହଁନ୍ତି ବର ସତ୍ତା(କ୍ଷମତା)ର ଉପାସକ ବୋଲି ପ୍ରିୟଙ୍କା କହିଥିଲେ।
ପ୍ରଥମ ପର୍ଯ୍ୟାୟରେ କେଉଁଠି ହେବ ଭୋଟିଂ ?
୨୦୨୪ ଲୋକସଭା ନିର୍ବାଚନର ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ୨୧ଟି ସ୍ଥାନରେ ୧୦୨ ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ଅରୁଣାଚଳରୁ ୨ ଆସନ, ଆସାମରୁ ୫, ବିହାରରୁ ୪, ଛତିଶଗଡରୁ ୬, ମଧ୍ୟପ୍ରଦେଶରୁ ୬, ମହାରାଷ୍ଟ୍ରରୁ ୫ ଜଣ, ମଣିପୁରରୁ ୨, ମେଘାଳୟରୁ ୨, ମିଜୋରାମ ୧, ନାଗାଲାଣ୍ଡରୁ ୧, ରାଜସ୍ଥାନରୁ ୧୨, ସିକ୍କିମର ୧, ତାମିଲନାଡୁର ୩୯, ତ୍ରିପୁରାରେ ୧, ୟୁପିରେ ୮ଟି, ଉତ୍ତରପ୍ରଦେଶରେ ୫, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ, ଜାମ୍ମୁ କାଶ୍ମୀର, ଲାକ୍ଷ୍ମାଦ୍ୱୀପ ଓ ପୁଡ଼ୁଚେରୀରେ ଗୋଟିଏ ଲେଖାଏ ଆସନରେ ଭୋଟ୍ ଗ୍ରହଣ ହେବ।
ପଢ଼ନ୍ତୁ-ଟିଏମ୍ସିର ନିର୍ବାଚନ ଇସ୍ତାହାର: ସିଏଏ ପ୍ରତ୍ୟାହାର ସହ ୟୁସିସିକୁ ବନ୍ଦ କରିବାକୁ ଶପଥ ନେଲା ଦଳ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୬ ରେ ପ୍ରେସ ନୋଟ୍ ଜାରି କରାଯାଇଥିଲା। ତା’ପରେ ୨୦ ମାର୍ଚ୍ଚରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ୨୭ ମାର୍ଚ୍ଚରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଥିଲା। ମାର୍ଚ୍ଚ ୨୮,ତାରିଖରେ ଏଗୁଡ଼ିକର ସ୍କ୍ରୁଟିନି(ଯାଞ୍ଚ) କରାଯାଇଥିଲା। ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଶେଷ ତାରିଖ ମାର୍ଚ୍ଚ ୨୦, ହୋଇଥିବା ବେଳେ ମାର୍ଚ୍ଚ ୧୯ରେ ଭୋଟ୍ ଗ୍ରହଣ ହେବ। ସେହିପରି ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଜୁନ ୬ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
୮ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା
ପ୍ରଥମ ପର୍ଯ୍ୟାୟରେ ଆଠ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କିରନ ରିଜିଜୁ, ରମେଶ୍ୱର ତେଲିଙ୍କ ଭଳି ମନ୍ତ୍ରୀଙ୍କ ସମ୍ମାନର କଥା ରହିଛି। ମହାରାଷ୍ଟ୍ରର ନାଗପୁର ଆସନରୁ ପୂର୍ବରୁ ଦୁଇତର ଜିତି ସାରିଥିବା ନୀତିନ ଗଡ଼କରୀ ଏଥର ହ୍ୟାଟ୍ରିକ୍ ଅପକ୍ଷାରେ ଅଛନ୍ତି। ୨୦୧୪ ଓ ୨୦୧୯ରେ ସେ ଦୁଇ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ।
କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଅରୁଣାଚଳ ପ୍ରଦେଶର ଅରୁଣାଚଳ ପଶ୍ଚିମ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ୨୦୦୪ ମସିହାରୁ ସାଂସଦ ଥିବା କିରେନ ରିଜିଜୁ ଏହି ଆସନରୁ ତିନିଥର ଜିତିଛନ୍ତି। ଏଥର ସେ ପୁଣି ଥରେ ନିର୍ବାଚନରେ ଅଛନ୍ତି। ଏବଂ ତାଙ୍କର ପ୍ରତିଯୋଗିତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟ ସଭାପତି ନବାବ ତୁକିଙ୍କ ସହ ହେବ।