ବର୍ଦ୍ଧିତ ଦରମା ନେବେନି ନବୀନ ପଟ୍ଟନାୟକ, କହିଲେ...

NEWS7
lilavati-hospital-trust--filed-a-complaint-in-ed-against-its-former-trustees

ଭୁବନେଶ୍ଵର: ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ସଂପ୍ରତି ରାଜ୍ୟରେ ସବୁଠୁ ବଡ଼ ବିତର୍କର ବିଷୟ ପାଲଟିଛି। ରାଜ୍ୟବାସୀ ବିଧାୟକଙ୍କ ଦରମା ଅହେତୁକ ବୃଦ୍ଧିକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହା ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ବର୍ଦ୍ଧିତ ଦରମା ନେବେନି ବୋଲି କହିଛନ୍ତି ନବୀନ। ବର୍ଦ୍ଧିତ ଦରମାକୁ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉ ବୋଲି ସେ କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ।​​​​​​​

ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଗତ ୨୫ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ଲୋକଙ୍କ ପ୍ରେମ, ସ୍ନେହ ଏବଂ ସମର୍ଥନରେ ମୁଁ ଆଶୀର୍ବାଦ ପାଇଛି। ମୁଁ ଓଡ଼ିଶାବାସୀଙ୍କ ପ୍ରତି ଏବଂ ମୋ ପ୍ରତି ଏବଂ ମୋର ସ୍ଵର୍ଗତପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣି।

ପୂର୍ବରୁ ଆମର ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି 'ଆନନ୍ଦ ଭବନ' ଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ସମାନ ଭାବନାରେ ମୁଁ ବିରୋଧୀ ଦଳ ନେତାଙ୍କ ପାଇଁ ବୃଦ୍ଧି କରାଯାଇଥିବା ଦରମା ଏବଂ ଭତ୍ତା ତ୍ୟାଗ କରିବାକୁ ଚାହୁଁଛି ଯାହାକୁ ଓଡ଼ିଶା ବିଧାନସଭା ନିକଟରେ ପାରିତ କରିଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେ ଏହାକୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତୁ।

ବିଧାୟକଙ୍କ ଦରମା ପାଖାପାଖି ସାଢେ ତିନି ଲକ୍ଷକୁ ବୃଦ୍ଧି ସେହି ସମୟରେ କରାଯାଇଛି, ଯେଉଁ ସମୟରେ ଶିକ୍ଷକଙ୍କଠୁ ନେଇ ପାଚିକା ସଂଘ ସହ ଅନେକ ସଂଗଠନ ନିଜର ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଏହା ପୂର୍ବରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଭୁବନେଶ୍ବରର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ବର୍ଦ୍ଧିତ ଦରମା ନେବାକୁ ମନା କରିଥିଲେ । ବାବୁ ସିଂ କହିଥିଲେ ତାଙ୍କର ବର୍ଦ୍ଧିତ ଦରମା ଗରିବ କଲ୍ୟାଣ ପାଇଁ ସେ ଖର୍ଚ୍ଚ କରିବେ ।

ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପାଇବା ପରେ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଣିକି ଲକ୍ଷାଧିକ ଟଙ୍କା ଦରମା ପାଇବେ । ମୁଖ୍ୟମନ୍ତ୍ରୀ ଦରମା ସହ ଅନ୍ୟାନ୍ୟ ଭତ୍ତା ମିଶାଇ ପାଇବେ ୩ ଲକ୍ଷ ୭୪ ହଜାର ଟଙ୍କା, ବିଧାୟକମାନେ ୩ ଲକ୍ଷ ୪୫ ହଜାର, ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୬୮ ହଜାର, ଉପ ବାଚସ୍ପତି ଓ ଉପ ରାଷ୍ଟ୍ରମନ୍ତ୍ରୀ ୩ ଲକ୍ଷ ୫୬ ହଜାର ଟଙ୍କା । ସେହିଭଳି କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଉପ ମୁଖ୍ୟ ସଚେତକ ୩ ଲକ୍ଷ ୬୨ ହଜାର ଦରମା ପାଇବେ । ଉପ ମୁଖ୍ୟ ସଚେତକ ୩ ଲକ୍ଷ ୫୦ ହଜାର ଟଙ୍କା ଦରମା ପାଇବେ ।