କୁଚିଣ୍ଡା: ଗତ ୧୨ ତାରିଖରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ତହସିଲଦାର ଅଶ୍ୱନୀ କୁମାର ପଣ୍ଡା ଗିରଫ ହୋଇଥିଲେ। ଏହାକୁ ନେଇ ଜାରି ଚର୍ଚ୍ଚା ନ ଥମୁଣୁ ବେଳେ ଆଜି ଏକ ଦାଖଲ ଖାରଜ (ମ୍ୟୁଟେସନ ) କେରେ ଚଞ୍ଚକତା କରି ଜଣେ ପରିବାରକୁ ବାଦ୍ ଦେଇଥିବା ଅଭିଯୋଗରେ ନିଲମ୍ବନ ହୋଇଛନ୍ତି କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳାଇ।

କୁଚିଣ୍ଡା ତହସିଲର ଏକ ମ୍ୟୁଟେସନ କେରେ ରାଜେଶ ଅଗ୍ରୱାଲଙ୍କ ପରିବାରକୁ ବାଦ ଦେଇ ତହସିଲଦାର ପ୍ରତିପକ୍ଷଙ୍କୁ ପଟ୍ଟା ପ୍ରଦାନ କରିବାର ଚଞ୍ଚକତା କରୁଥିବା ଜାଣି ରାଜେଶ ମୁଖମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ତଥା ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ନେଇ ତଦନ୍ତ କରାଯାଇଥିବା ବେଳେ ଆଜି ତହସିଲଦାର ମିତାଲି ମଧୁସ୍ମିତା ଦଳାଇଙ୍କୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ଏହା ସହ ଗୋଟିଏ ସପ୍ତାହ ଭିତରେ ରାଜ୍ୟରେ ଦୁଇ ତହସିଲଦାର ଚାକିରିରୁ ନିଲମ୍ବିତ ହୋଇଛନ୍ତି। 

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ଓ ତାଙ୍କ ଡ୍ରାଇଭର ପ୍ରବୀଣ କୁମାର ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି l ଅଶ୍ଵିନୀ କୁମାର ହେଉଛନ୍ତି ୨୦୧୯ ବ୍ୟାଚ୍‌ର ଓଏଏସ୍ ଟପ୍ପର।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ୍ ସ୍ଥିତ ଗୋବିନ୍ଦପୁର ଗାଁର ଭିକି ନାଏକ ନାମକ ଜଣେ ବ୍ୟକ୍ତି ଜମି ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ l ଏହି କାମ କରିବାକୁ ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ୧୫ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଘଟଣାରେ ପୂର୍ବ ପ୍ରସ୍ତୁତି ମୁତାବକ ଶୁକ୍ରବାର ଦିନ ୧୧ ଟାରେ ଡ୍ରାଇଭର ପ୍ରବୀଣ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ବାବଦରେ  ୧୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା l ପଚରାଉଚରା ପାଇଁ ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ଓ ତାଙ୍କ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ସମ୍ବଲପୁର ଆଣିବା ପରେ ଗିରଫ କରିଥିଲା ଭିଜିଲାନ୍ସl