LIVE TV

କେଉଁ କେଉଁ ଦେଶରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ମହିଳା ? ଏଥିରେ ସାମିଲ ରହିଛନ୍ତି କେତେ ଏସୀୟ ଦେଶ...

NEWS7
pm

ନୂଆଦିଲ୍ଲୀ ୨୨।୧୦: ଜାପାନରେ ଲେଖା ହୋଇଛି ନୂଆ ଇତିହାସ । ଦେଶକୁ ମିଳିଛନ୍ତି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ସାନାଏ ତାକାଇଚି ହୋଇଛନ୍ତି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ୬୪ ବର୍ଷୀୟ ସାନାଏ ତାକାଇଚି ୪୬୫ ସଦସ୍ୟ ବିଶିଷ୍ଟ ଗୃହରେ ୨୩୭ ଭୋଟର ବହୁମତ ପାଇଥିଲେ । ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ ତାକାଇଚି । ସାନାଏ ଚୀନ୍ ପ୍ରତି ତାଙ୍କର ସମାଲୋଚନା ପାଇଁ ଜଣାଶୁଣା । ତେବେ ଏବେ ପ୍ରଶ୍ନ ଆସୁଛି କେଉଁ ଦେଶରେ ପ୍ରଧାନମନ୍ତ୍ରୀ ଭାବରେ ରାଜ୍‌ କରୁଛନ୍ତି ମହିଳା ? ଏହି ଲିଷ୍ଟରେ କେତେ ଏସୀୟ ଦେଶ ରହିଛନ୍ତି ସାମିଲ ?

ଏସିଆର ୧୪ଟି ଦେଶରେ ପ୍ରଧାନମନ୍ତ୍ରୀ କିମ୍ବା ସରକାର ପ୍ରମୁଖ ପଦବୀରେ ମହିଳା ରହିଛନ୍ତି । ଶ୍ରୀଲଙ୍କା ଏହି ତାଲିକାର ଶୀର୍ଷରେ ରହିଛି । ଶ୍ରୀଲଙ୍କାର ସିରିମାଭୋ ବନ୍ଦରାନାଏକେ କେବଳ ଏସିଆର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ବିଶ୍ୱର ପ୍ରଥମ ମହିଳା ଭାବରେ ସରକାରର ନେତୃତ୍ୱ ନେଇଥିଲେ । ସେ ଶ୍ରୀଲଙ୍କାରେ ୩ଥର ଶାସନ କରିଥିଲେ । ସେ ୧୯୬୦-୧୯୬୫, ୧୯୭୦-୧୯୭୭ ଏବଂ ୧୯୯୪-୨୦୦୦ ପର୍ଯ୍ୟନ୍ତ ଶାସନ କରିଥିଲେ ।

ଏହାବ୍ୟତୀତ ଭାରତରେ ଇନ୍ଦିରା ଗାନ୍ଧୀ ୧୯୬୬ରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୮୮ରେ ପାକିସ୍ତାନରେ ବେନଜୀର ଭୁଟ୍ଟୋ ଏବଂ ୧୯୯୧ରେ ବାଂଲାଦେଶରେ ଖାଲିଦା ଜିଆ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଶେଖ ହସିନା ବାଂଲାଦେଶରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାନସୁ ଚିଲ୍ଲର ୧୯୯୩ରେ ତୁର୍କୀର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୯ରେ ଗୋଲ୍ଡା ମେୟାର ଇସ୍ରାଏଲର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଙ୍ଗ ସାନ ସୁ କି ୨୦୧୬-୨୦୨୧ ପର୍ଯ୍ୟନ୍ତ ମିଆଁମାରର ଷ୍ଟେଟ୍ କାଉନସେଲର ଭାବରେ କାର୍ଯ୍ୟ କରିଥିଲେ । ଯାହା ପ୍ରଧାନମନ୍ତ୍ରୀ ପଦର ସମକକ୍ଷ । ଅବଶିଷ୍ଟ ଦେଶଗୁଡ଼ିକ ମଧ୍ୟରେ ଥାଇଲ୍ୟାଣ୍ଡ, ସିଙ୍ଗାପୁର, ନେପାଳ, କୋସୋଭୋ, କିର୍ଗିଜସ୍ତାନ ଏବଂ ଇଣ୍ଡୋନେସିଆ ସାମିଲ ରହିଛି ।

ଏସିଆ ବାହାରେ ଅନ୍ୟ ଦେଶରେ ମଧ୍ୟ ମହିଳା ପ୍ରଧାନମନ୍ତ୍ରୀ ରହିଛନ୍ତି । ୨୦୨୨ ମସିହାରେ ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ରେ ମେଟ୍ ଫ୍ରେଡେରିକ୍ସ ଡେନମାର୍କର ନେତୃତ୍ୱ ନେଇଥିବା ଦ୍ୱିତୀୟ ମହିଳା ହୋଇଥିଲେ । ୨୦୨୧ରେ କାଜା କାଲାସ୍ ଏଷ୍ଟୋନିଆର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଆଇସଲ୍ୟାଣ୍ଡରେ କାଟ୍ରିନ୍ ଜ୍ୟାକସଡଟିର୍‌ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଜାତିସଂଘ ମହିଳା ବିଶ୍ୱ ନେତା ପରିଷଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

୨୦୨୧ରେ ରବିନା ନାବାଞ୍ଜା ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ଏବଂ ୨୦୧୭-୨୦୨୫ ପର୍ଯ୍ୟନ୍ତ ଏଭଲିନ୍ ୱେଭର କ୍ରୋଜ୍ ଅରୁବାର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସମୋଆରେ ଫିୟାମେ ନାଓମି ମାତାଫା ୨୦୨୧ ମସିହାରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।