କମଲ ହାସନଙ୍କୁ ଗୋଟିଏ ଦିନର ଅଲ୍ଟିମେଟମ, କ୍ଷମା ନମାଗିଲେ ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ଚେତାବନୀ

Published By : Prameya-News7 Bureau | May 29, 2025 IST

ନୂଆଦିଲ୍ଲୀ: କନ୍ନଡ଼ ଭାଷାକୁ ନେଇ କମଲ ହାସନ ଦେଇଥିବା ବିବାଦୀୟ ବୟାନ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ସୁପରଷ୍ଟାର କମଲ ହାସନ କହିଥିଲେ ‘କନ୍ନଡ଼ ଭାଷାର ଜନ୍ମ ତାମିଲ ଭାଷାରୁ ହୋଇଛି’। ଯାହା ତାକୁ ପୁଣି ବିବାଦ ଭିତରକୁ ଟାଣିନେଇଛି। ଏମିତିକି କମଲଙ୍କ ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ସେ କମଲଙ୍କୁ ପାଗଳ କହିବା ସହ ‘‘ଏଭଳି ବୟାନ କେବଳ ଭାଷା ବିବାଦକୁ ବଢ଼ାଉନି ବରଂ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତାକୁ ଅଧିକ ତ୍ରୀବ କରୁଛି ବୋଲି କହି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।’’

ଏହାରି ମଧ୍ୟରେ କମଲଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି। ଯାହା ଆସନ୍ତା ଜୁନ ୫ରେ ରିଲିଜ ହେବାକୁ ଥିବା ତାଙ୍କ ଫିଲ୍ମ ଉପରେ ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ଏହି ବୟାନ ପାଇଁ କମଲଙ୍କ ଅପକମିଂ ଫିଲ୍ମ ‘ଠଗ ଲାଇଫ୍’ ବ୍ୟାନ ହୋଇପାରେ। ପ୍ରକୃତରେ କର୍ଣ୍ଣାଟକ ଚାମ୍ବର ଅଫ୍‌ କମର୍ସ (KFCC)ର ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଷ୍ପତ୍ତି ହୋଇଛି ଯଦି କମଲ ହାସନ ଗୋଟିଏ ଦିନ ଅର୍ଥାତ ମେ ୩୦ ଭିତରେ କ୍ଷମା ନମାଗନ୍ତି ତେବେ କର୍ଣ୍ଣାଟକରେ ତାଙ୍କ ଫିଲ୍ମ ରିଲିଜ ହେବନାହିଁ। 

KFCC ଅଧ୍ୟକ୍ଷ ଏମ ନରସିମ୍ହାଲୁ କହିଛନ୍ତି ‘କନ୍ନଡ଼ ଗ୍ରୁପ ତାଙ୍କ ଫିଲ୍ମ ଉପରେ ବ୍ୟାନ ପାଇଁ ଦାବି କରିଛି। ଏଥିପାଇଁ ଆମେ ଆଜି ବୈଠକ କରିଛୁ ଆଉ ନିଷ୍ପତ୍ତି ନେଇଛୁ ଯେ, ତାଙ୍କୁ କ୍ଷମା ମାଗିବା ଦରକାର। ସେ ଯାହା କିଛିବି କହିଛନ୍ତି ତାହା ଭୁଲ। ତଥାପି ଆମେ ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଛୁ।’’

ସେହିଭଳି ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କର୍ଣ୍ଣାଟକ ଚାମ୍ବର ଅଫ୍‌ କମର୍ସର ନେତୃତ୍ବ କରିଥିବା ଅଭିନେତ୍ରୀ ଜୟମାଲା କହିଛନ୍ତି ‘‘ ଭାଷାକୁ ନେଇ ବିବାଦ ହେଲେ କନ୍ନଡ଼ ଲୋକଙ୍କୁ ଏକାଠି ହେବା ଦରକାର। ଏହା ଆମର ଦାୟିତ୍ବ। ଜାଣତରେ ହେଉ କି’ ଅଜାଣତରେ କମଲ ହାସନ ଦେଇଥିବା ବୟାନ ଭୁଲ୍।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.