ତିରୁଅନନ୍ତପୁରମ ୨୫।୮: ଯୌନ ଦୂରାଚାର ଅଭିଯୋଗର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ତଥା ପଲ୍ଲକଡ଼ ବିଧାୟକ ରାହୁଲ ମମକୁଟିଥଲଙ୍କୁ ସୋମବାର ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି। କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ସନି ଜୋସେଫ ଏହି ସୂଚନା ଦେଇଛନ୍ତି। ତେବେ ବିଧାୟକ ପଦରୁ ମମକୁଟିଥଲଙ୍କ ଇସ୍ତଫା ପାଇଁ ରାଜନୈତିକ ବିରୋଧୀଙ୍କ ଦାବିକୁ ଜୋସେଫ ଅଗ୍ରାହ୍ୟ କରିଦେଇଛନ୍ତି।
ଜୋସେଫ କହିଛନ୍ତି ଯେ ବିଧାୟକ ଔପଚାରିକ ଅଭିଯୋଗ ବା ମାମଲା ରୁଜୁକୁ ଅପେକ୍ଷା ନକରି କେରଳ ଯୁବକଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଏକ ଉାଦହରଣ ସ୍ଥାପନା କରିଛନ୍ତି। ଇରିଟି ସ୍ଥିତ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜୋସେଫ କହିଛନ୍ତି ଯେ ମମକୁଟିଥଲଙ୍କ ବିରୋଧରେ ଅଭିଯୋଗକୁ କଂଗ୍ରେସ ଗୁରୁତର ମନେ କରୁଛି। ଏଣୁ କେରଳ କଂଗ୍ରେସ କମିଟି ଏ ନେଇ ବିରୋଧୀ ଦଳ ନେତା ଭି.ଡି.ସତୀସନ, କେପିସିସିର ପୂର୍ବତନ ମୁଖ୍ୟ ତଥା ରାଜ୍ୟ ଏଆଇସିସି କାର୍ଯ୍ୟକମିଟିର ସଦସ୍ୟଙ୍କ ସମେତ ବିଭିନ୍ନ ନେତାଙ୍କ ସହ ପରାମର୍ଶ କରି ଏହି ମାମାଲାରେ ସର୍ବସମ୍ମତ ନିଷ୍ପତ୍ତି ନେଇଛି।
ଜୋସେଫ କହିଛନ୍ତି ଯେ ଏ ନେଇ ପାର୍ଟିକୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ମିଳି ନାହିଁ। ମାମଲାରେ ଆଇନଗତ ଅଭିଯୋଗ ମଧ୍ୟ ହୋଇନି। କେଉଁଠାରେ ବି କୌଣସି ପ୍ରକାରର ମାମଲା ରୁଜୁ ହୋଇ ନାହିଁ। ଏଣୁ ରାଜନୈତିକ ବିରୋଧୀଙ୍କ ଦ୍ୱାରା ମମକୁଟିଥଲଙ୍କ ଇସ୍ତଫା ଦାବିର କୌଣସି ଔଚିତ୍ୟ ନାହିଁ। ମାଲାୟଲମ ଅଭିନେତ୍ରୀ ରିନୀ ଏନ.ଜର୍ଜ ଏକ ରାଜନୈତିକ ଦଳର ଯୁବ ନେତାଙ୍କ ଉପରେ ଦୁର୍ବ୍ୟବହାର ଅଭିଯୋଗ କରିବା ପରେ ବିଜେପି, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ଓ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିୱାଇଏଫଆଇ) ବିରୋଧ ପ୍ରଦର୍ଶନ କରିବା ପରେ ମମକୁଟିଥଲ ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।