ଶ୍ୱାତୀ ମାଲିୱାଲ ମାମଲାରେ ଆସିଲା କେଜରିୱାଲଙ୍କ ପ୍ରଥମ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ପ୍ରଥମ ଥର  ଶ୍ୱାତୀ ମାଲିୱାଲଙ୍କ ସହିତ ତାଙ୍କ ବାସଭବନରେ ହୋଇଥିବା ମାରପିଟ ମାମଲାରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମାମଲାର ନିରପେକ୍ଷ ଯାଞ୍ଚ ହେବା ଜରୁରି। କେଜରିୱାଲଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ୱାତୀ ମାଲିୱାଲ। କହିଛନ୍ତି ଯାହାଙ୍କ ଡ୍ରଇଁ ରୁମରେ ତାଙ୍କୁ ମାଡ଼ ମରାଗଲା ସେ ପୁଣି ନିରପେକ୍ଷ ଯାଞ୍ଚ ଚାହୁଁଛନ୍ତି। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମେ ୧୩ ତାରିଖ ଦିନ ତାଙ୍କ ବାସଭବନରେ ହୋଇଥିବା କଥିତ ମାରପିଟ ଘଟଣାକୁ ନେଇ ଏକ ସାକ୍ଷାତକାରରେ ତାଙ୍କ ପକ୍ଷ ରଖିଛନ୍ତି ଓ କହିଛନ୍ତି ଯେ ଘଟଣା କାଳରେ ସେ ତାଙ୍କ ଘରେ ହିଁ ଥିଲେ ତେବେ ଘଟଣାସ୍ଥଳରେ ନଥିଲେ। ସେ କହିଛନ୍ତି ଯେ ମାମଲାରେ ଦୁଇଟି ପକ୍ଷ ଏବେ ସାମ୍ନାକୁ ଆସୁଛି। ଏଣୁ ସେ ମାମଲାର ନିରପେକ୍ଷ ତଦନ୍ତ ଚାହୁଁଥିବା କହିଛନ୍ତି। ଏହି ବୟାନକୁ ନେଇ ଶ୍ୱାତୀ ମାଲିୱାଲ ସିଧା କେଜରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି। 

ମାଲିୱାଲ କହିଛନ୍ତି ଯେ ତାଙ୍କୁ ବଦନାମ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି। ଏହାଠରୁ ଅଧିକ ବିଡମ୍ବନା ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି। ସେ କେଜରିୱାଲଙ୍କ ବୟାନକୁ ମାନିବେ ନାହିଁ ଓ କହିବା ଏବଂ କରିବା ଏକ ସମାନ ହେବା ଦରକାର ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା କରୁନଥିବା ମାଲିୱାଲ ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.