ନୂଆଦିଲ୍ଲୀ: ସ୍ୱର୍ଗତ ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ନେଇ ତାଙ୍କ ପିଲାମାନଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଏକ ନୂଆ ମୋଡ଼ ନେଇଛି କରିସ୍ମା କପୁରଙ୍କ ପିଲାମାନେ ସେମାନଙ୍କ ପିତାଙ୍କ ସମ୍ପତ୍ତିରୁ ସେମାନଙ୍କର ଭାଗ ପାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ ସଞ୍ଜୟଙ୍କ ପତ୍ନୀ ପ୍ରିୟା ସଚଦେବ ସମସ୍ତ ସମ୍ପତ୍ତି ଦେଖାରେଖା କରୁଥିବା ବେଳେ କରିଶ୍ମାଙ୍କ ପିଲାମାନେ କୋର୍ଟର ଦ୍ୱାରସ୍ଥ ହେବା ପ୍ରିୟାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଛିଡ଼ା କରିଛି।

ଆଇନଗତ ଉତ୍ତରାଧିକାରୀ ହେଉଥିବା ସଞ୍ଜୟ କପୁରଙ୍କ ପିଲାମାନେ ସମ୍ପତ୍ତିର ବିଭାଜନ, ହିସାବ ପ୍ରଦାନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ମାମଲାରେ ଦାବି କରାଯାଇଛି ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ପ୍ରିୟା ସଚଦେବ ତାଙ୍କ ସମ୍ପତ୍ତି ସମ୍ବନ୍ଧୀୟ କୌଣସି ଡକ୍ୟୁମେଣ୍ଟ କିମ୍ବା ସୂଚନା ଶେୟାର କରିବାକୁ ମନା କରି କରିଛନ୍ତି। ଏବଂ ସେଗୁଡ଼ିକୁ ସବୁ ଖର୍ଚ୍ଚ କରିଦେଉଛନ୍ତି ବୋଲି କରିସ୍ମାଙ୍କ ପିଲାମାନେ ଅଭିଯୋଗ କରିଛନ୍ତି। ମୃତ୍ୟୁ ତାରିଖ ପର୍ଯ୍ୟନ୍ତ ସଞ୍ଜୟ କପୁରଙ୍କ ସମ୍ପତ୍ତିର ସ୍ଥିତି କଣ ଥିଲା ଏବଂ ତାପରେ କେତେ ଟଙ୍କା କେଉଁ ସବୁ ଦିଗରେ ଖର୍ଚ୍ଚ କରାଯାଇଛି ଶପଥପାଠ ମାଧ୍ୟମରେ ପ୍ରକାଶ କରିବାକୁ କୋର୍ଟ ପ୍ରିୟାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି।

ସଞ୍ଜୟଙ୍କ ୱିଲ୍‌କୁ ନେଇ ମଧ୍ୟ ପିଲାମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଏହାର ମଧ୍ୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏଥିରେ ଆହୁରି କୁହାଯାଇଛି ଯେ ସେମାନଙ୍କ ପିତାଙ୍କ ମୃତ୍ୟୁ ସମୟରେ, ସେମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆରକେ ପରିବାର ଟ୍ରଷ୍ଟ ସଞ୍ଜୟ କପୁରଙ୍କ ସମସ୍ତ ସମ୍ପତ୍ତି ନିଜ ହାତରେ ରଖିଛି। ୨୫ ଜୁଲାଇ ୨୦୨୫ରେ ହେବାକୁ ଥିବା ବାର୍ଷିକ ସାଧାରଣ ସଭା (AGM) ସମୟରେ ଟ୍ରଷ୍ଟ ସମ୍ବନ୍ଧୀୟ ଫର୍ମଗୁଡ଼ିକରେ ଦାୟଦମାନଙ୍କୁ ସାଇନ୍ କରିବାକୁ ପଡ଼ିବ। ହେଲେ ପରେ ସେମାନଙ୍କୁ ଏକ ଫୋନ୍ ଆସିଥିଲା ​​, କୌଣସି କାରଣ ନ ଦର୍ଶାଇ ପିଲାମାନଙ୍କର ଉପସ୍ଥିତି ଆଉ ଆବଶ୍ୟକ ନାହିଁ ବୋଲି କୁହାଯାଇଥିଲା।  ପିଲାମାନେ ଏବଂ ସେମାନଙ୍କ ମାଆଙ୍କୁ କେବେବି ପରିବାର ଟ୍ରଷ୍ଟ କିମ୍ବା ଟ୍ରଷ୍ଟର ସମ୍ପତ୍ତି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇ ନଥିଲା। କୋର୍ଟ ବର୍ତ୍ତମନ ଏସବୁକୁ ଯାଞ୍ଚ କରିବେ।