କନ୍ଧମାଳର ପ୍ରସିଦ୍ଧ କାନ୍ଦୁଲ ଯାତ୍ରା ବା ଲିଆ ପର୍ବ, ଲାଗିଥାଏ ଲୋକଙ୍କ ଭିଡ

Published By : Prameya-News7 Bureau | March 28, 2024 IST

ଦାରିଙ୍ଗବାଡି ୨୮।୦୩ : କନ୍ଧମାଳ ଜିଲ୍ଲା ବୁଡ଼ାଗୁଡ଼ା ଗାଁରେ ଦୋଳପୂର୍ଣ୍ଣିମା ଦିନ ସମସ୍ତେ ଖେଳନ୍ତି ହୋଲି । ଏହାର ତାପର ଦିନ ଅନୁଷ୍ଠିତ ହୁଏ କାନ୍ଦୁଲ ଯାତ୍ରା ବା ଲିଆ ପର୍ବ । ଏହି ଯାତ୍ରାରେ ନୂଆ କରି ଫଳିଥିବା ଶିମ୍ବ, କାନ୍ଦୁଲ, ମହୁଲ, ଆମ୍ବ, ସିଆଳ ଫଳକୁ  ପୂଜା କରିବା ପାଇଁ ଗ୍ରାମବାସୀମାନେ ଏକ ହୋଇଥାନ୍ତି । 

ତେବେ କିମ୍ବଦନ୍ତୀ ରହିଛି ଯେ, ଯେଉଁ ମନ୍ଦିରରେ ଏହି ପୂଜା ପାଠ ହୁଏ । ସେହି ମନ୍ଦିର ବର୍ଷ ସାରା ବନ୍ଦ ରହିଥାଏ । ଏହି ମନ୍ଦିରରେ ମା ଭୈରବୀ ଦେବୀ ପୂଜା ପାଇଥାନ୍ତ । ବର୍ଷକୁ ଗୋଟିଏ ଥର ଏହି ମନ୍ଦିର ଖୋଲଯାଏ । ଯାହାଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଜାତିଧର୍ମର ମାନସିକଧାରୀମାନେ ମାନସିକ କରିଥାନ୍ତି । ଏହି ଦିନ ମୁଖ୍ୟ ପୂଜାରୀ, ପାତ୍ରବଂଶୀମାନେ ଦିନ ତମାମ ଉପାସ ରହିଥାନ୍ତି । ଏହି ଦିନରେ କାନ୍ଦୁଲକୁ ଭାଜି ପୂଜା କରି ପ୍ରତ୍ୟେକ ଘରେ ନୂଆ ବସ୍ତ୍ର ପିନ୍ଧିବା ସହିତ ଭୋଜି କରିଥାନ୍ତି । 

ଗାଁରେ ବିଶ୍ୱାସ ରହିଛି କାନ୍ଦୁଲକୁ ଭାଜି ପୂଜା କଲା ପରେ ଯାଇ ଘରେ ରୋଷେଇ ହୋଇଥାଏ । ତା ପୂର୍ବରୁ ନୂଆ କରି ଫଳିଥିବା ଫଳକୁ ରୋଷେଇ କରାଯାଇନଥାଏ । ବହୁ ବର୍ଷ ଆଗରୁ ଏହି ପ୍ରଥା ଚାଲିଆସୁଛି। ଏହାକୁ ନୂଆ ଖିଆ ଯାତ୍ରା ବୋଲି କୁହାଯାଏ । ମାନସିକ ଧାରୀ ମାନେ ମା ଭୈରବୀ ପାଖରେ ଦେଶୀ ଅଣ୍ଡା ପୂଜା କରିବା ସହିତ ବଳି ଦେବାପାଇଁ ଛେଳି, କୁକୁଡ଼ା , ଆଦି ଆଣିଥାନ୍ତି ।  ମନ୍ଦିର ପ୍ରାଙ୍ଗଣରେ ବସି ଧ୍ୟାନ କରିବା ସହିତ ନିଜର ମାନସିକ ପୂରଣ ହେବା ପାଇଁ ଧ୍ୟାନରେ ରହିଥାନ୍ତି।

ଏହି ଐତିହାସିକ ପର୍ବରେ ବା କାନ୍ଦୁଲ ଯାତ୍ରା ପର୍ବରେ ପୂଜାର୍ଚ୍ଚନା ପରେ ମାନସିକ ଧାରୀ ମାନେ ଯେଉଁ ଅଭିଳାଷ ସପ୍ନ ଦେଖିଥାନ୍ତି । ତାହା ପୂରଣ ହୋଇଥାଏ ବୋଲି ମାନସିକ ଧାରୀ ବିଶ୍ୱାସ କରିଥାନ୍ତି । ପ୍ରତି ୭ ବର୍ଷରେ ଥରେ ଏଠାରେ ପୋଢ଼ ବଳି ଦେବାର ପରମ୍ପରା ରହିଛି ବୋଲି କହିଛନ୍ତି ଗ୍ରାମର ପୂଜକ। ଏହି ଯାତ୍ରା ଦେଖିବାକୁ ବହୁ ଦୂରରୁ ଭକ୍ତମାନେ ଆସିଥାନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.