News7 Logo

ନେପାଳ ସଂସଦ ଭଙ୍ଗ, ସୁଶୀଳା କାର୍କି ହେବେ ଅନ୍ତରୀଣ ସରକାରର ମୁଖ୍ୟ

NEWS7
sushila karki

ନୂଆଦିଲ୍ଲୀ: ଜେନ୍-ଜିଙ୍କ ହିଂସାତ୍ମକ ଆନ୍ଦୋଳନ ପରେ ଶେଷରେ ନେପାଳ ସଂସଦ ଭଙ୍ଗ ହୋଇଛି । ନେପାଳର ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାଁ ସ୍ଥିର କରାଯାଇଛି । ଦେଶର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ସୁଶୀଳା ଆଗାମୀ ନିର୍ବାଚନ ପାଇଁ ଦେଶର ମାର୍ଗଦର୍ଶନ କରିବେ । ଦେଶରେ ପରବର୍ତ୍ତୀ ନିର୍ବାଚନ ଆଗାମୀ ଛଅ ମାସ କିମ୍ୱା ବର୍ଷେ ଭିତରେ ହୋଇପାରେ ।

ଯୁବପିଢିଙ୍କ ହିଂସାତ୍ମକ ପ୍ରତିବାଦ ପରେ ନେପାଳରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ, ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ସଂସଦକୁ ଭଙ୍ଗ କରିଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତିଙ୍କ ସହିତ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ଉପସ୍ଥିତିରେ ଜେନ-ଜି ଗୋଷ୍ଠୀଗୁଡ଼ିକ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ କରିବାକୁ ସହମତ ହୋଇଛନ୍ତି । ଏହା ପରେ, ରାଷ୍ଟ୍ରପତି ପୌଡେଲ ମଧ୍ୟ କାର୍କିଙ୍କୁ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସ୍ୱୀକାର କରିଛନ୍ତି ।

ସୁଶୀଳା କାର୍କି ୧୯୭୯ ମସିହାରେ ବିରାଟନଗରରେ ଜଣେ ଓକିଲ ଭାବରେ ତାଙ୍କର ଆଇନଗତ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୯ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ସେ ୨୦୧୬ରେ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିଲେ । ଦୁର୍ନୀତି ବିରୁଦ୍ଧରେ ତାଙ୍କର ଅଭିମୁଖ୍ୟ ପାଇଁ ସେ ଯୁବପିଢିଙ୍କ ଭରସା ଜିତିଛନ୍ତି । ଦୁର୍ନୀତି ଅଭିଯୋଗରେ ବର୍ତ୍ତମାନର ମନ୍ତ୍ରୀ ଜୟ ପ୍ରକାଶ ଗୁପ୍ତାଙ୍କ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ପାଇଁ ଅନୁମତି ଦେଇଥିଲେ ।