ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କ ପ୍ରସଙ୍ଗରେ ୫୦ରୁ ଅଧିକ ପୂର୍ବତନ ଜଜ୍ ଖୋଲା ଚିଠି ଲେଖିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଉପରେ କିଛି ପୂର୍ବତନ ଜଜଙ୍କ ଟିପ୍ପଣୀକୁ ନେଇ ଏଥିରେ କଡ଼ା ଆପତ୍ତି ଉଠାଯାଇଛି । ଚିଠିରେ କୁହାଯାଇଛି ଯେ ରାଜନୈତିକ ବୟାନରୁ ନ୍ୟାୟପାଳିକର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି ।
ଓପନ୍ ଲେଟର୍କୁ ଦେଶର ୫୬ ପୂର୍ବତନ ଜଜ୍ଙ୍କ ହସ୍ତାକ୍ଷରରେ ଜାରି କରାଯାଇଛି । ଏଥିରେ ପୂର୍ବରୁ ପ୍ରଧାନ ବିଚାରପତି ପି.ସଦାଶିବମ, ରଞ୍ଜନ ଗୋଗୋଇଙ୍କ ଓ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅନେକ ପୂର୍ବତନ ବିଚାରପତି ସାମିଲ ଅଛନ୍ତି । ଏହି ରିଟାୟର୍ ଜଜ୍ଙ୍କ କହିବା କଥା ଯେ କିଛି ପୂର୍ବତନ ବିଚାରପିତଙ୍କ ଦ୍ୱାରା ବାରମ୍ୱାର ରାଜନୈତିକ ବୟାନ ଦେବା ଓ ନ୍ୟାୟିକ ସ୍ୱାଧୀନତା ନାଁରେ ପକ୍ଷପାତ ଅଭିମୁଖ୍ୟ ଗ୍ରହଣ କରିବା ନ୍ୟାୟପାଳିକାର ସମ୍ମାନ ଓ ନିରପେକ୍ଷତାକୁ କ୍ଷତି ପହଞ୍ଚାଉଛି । ଉଲ୍ଲେଖଯୋଗ୍ୟ ଯେ ଗୃହ ମନ୍ତ୍ରୀ ଅମିତ୍ ଶାହ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କ ରାୟ ଉପରେ ଟିପ୍ପଣୀ କରିଥିଲେ । ସୁପ୍ରିମକୋର୍ଟ ଜଜ୍ ଥିବା ସମୟରେ ସଲୱା ଜୁଡୁମ ଉପରେ ଦେଇଥିବା ତାଙ୍କ ରାୟକୁ ନେଇ ଟାର୍ଗେଟ୍ କରିଥିଲେ । ଶାହ କହିଥିଲେ ଯେ ପୂର୍ବତନ ଜଜ୍ ସୁଦର୍ଶନ ରେଡ୍ଡୀ ସେହି ବ୍ୟକ୍ତି, ଯିଏ ନକ୍ସଲବାଦକୁ ସାହାଯ୍ୟ କରିଥିଲେ । ସେ ସଲୱା ଜୁଡୁମ ଉପରେ ରୋକ୍ ଲଗାଇ ନଥିଲେ, ନକ୍ସଲବାଦ ୨୦୨୦ ସୁଦ୍ଧା ଶେଷ ହୋଇସାରନ୍ତା ।
ଅମିତ୍ ଶାହଙ୍କ ଏହି ବୟାନ ଉପରେ ସୁଦର୍ଶନ ରେଡ୍ଡୀ କହିଥିଲେ ଯେ ସେ ନକ୍ସଲଙ୍କ ସମର୍ଥକ ନଥିଲେ । ଭାରତର ସମ୍ୱିଧାନ ହିଁ ତାଙ୍କର ବିଚାରଧାର । ସେ କହିଥିଲେ ଯେ ସଲୱା ଜୁଡୁମ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଥିଲା ଓ ସେ ମାଓବାଦୀଙ୍କ ସପକ୍ଷରେ ନଥିଲେ । ସୁଦର୍ଶନ ରେଡ୍ଡୀଙ୍କ ସମର୍ଥନରେ ବାହାରି ୧୮ ଜଣ ପୂର୍ବତନ ବିଚାରପତି ଅମିତ୍ ଶାହଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ । ଏମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ କୁରିୟନ ଜୋସେଫ୍, ମଦନ ବି. ଲୋକୁର ଓ ଜେ.ଚେଲମେଶ୍ୱରଙ୍କ ପରି ବଡ଼ ନାଁ ଥିଲା ।
ପୂର୍ବତନ ବିଚାରପତିମାନେ ଖୋଲା ଚିଠିରେ କହିଛନ୍ତି, ଆମର ଜଣେ ଅବସରପ୍ରାପ୍ତ ବିଚାରପତି ନିଜ ଇଚ୍ଛାରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା କରି ସେ ବିରୋଧୀଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀ ଭାବରେ ସିଧାସଳଖ ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଯେତେବେଳେ ନିଜେ ଏହି ରାସ୍ତା ବାଛିଛନ୍ତି, ସେତେବେଳେ ଅନ୍ୟ ପ୍ରାର୍ଥୀଙ୍କ ପରି ନିଜେ ନିଜ ପ୍ରାର୍ଥୀତ୍ୱକୁ ରକ୍ଷା କରିବାକୁ ପଡିବ ।
ଚିଠିରେ ଆହୁରି କୁହାଯାଇଛି, ଜଣେ ରାଜନୈତିକ ପ୍ରାର୍ଥୀଙ୍କ ସମାଲୋଚନା ନ୍ୟାୟିକ ସ୍ୱାଧୀନତା ପାଇଁ ବିପଦ ନୁହେଁ । ଯେତେବେଳେ ପୂର୍ବତନ ବିଚାରପତିମାନେ ବାରମ୍ବାର ପକ୍ଷପାତପୂର୍ଣ୍ଣ ବୟାନ ଦିଅନ୍ତି ଏବଂ ଏହି ଅନୁଷ୍ଠାନ ରାଜନୈତିକ ଦ୍ୱନ୍ଦ୍ୱରେ ଜଡିତ ବୋଲି ମତ ଦିଅନ୍ତି, ସେତେବେଳେ ନ୍ୟାୟପାଳିକାର ଖ୍ୟାତି କ୍ଷୁର୍ଣ୍ଣ ହୁଏ । ଏହି କାରଣରୁ ବିଚାରପତି ସମୁଦାୟକୁ ଏକ ପକ୍ଷପାତ ଗୋଷ୍ଠୀ ଭାବରେ ଦେଖାଯାଏ । ଏହା ନ୍ୟାୟପାଳିକା ପାଇଁ କିମ୍ବା ଭାରତର ଗଣତନ୍ତ୍ର ପାଇଁ ନ୍ୟାୟପୂର୍ଣ୍ଣ ନୁହେଁ । ଏହାସହ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନ ସହିତ ସେମାନଙ୍କ ନାଁ ନଯୋଡ଼ିବା ପାଇଁ ପୂର୍ବତନ ବିଚାରପତଙ୍କୁ ନିବେଦନ କରାଯାଇଛି ।