ଶତକ ସହ ବଡ଼ ରେକର୍ଡ କଲେ ଜୋ ରୁଟ୍, ସାଙ୍ଗାକାରାଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | August 03, 2025 IST

ଲଣ୍ଡନ: ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ରବିବାର ଭାରତ ବିପକ୍ଷ ପଞ୍ଚମ ଟେଷ୍ଟର ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି। ସେ ଲଣ୍ଡନର କେନିଙ୍ଗଟନ ଓଭାଲ ଷ୍ଟାଡିୟମରେ ଭାରତ ଦ୍ଵାରା ଧାର୍ଯ୍ୟ ୩୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ସମୟରେ ଶତକ ହାସଲ କରିଛନ୍ତି। ସେ ୧୫୨ ବଲ୍‌ରୁ ୧୦୫ ରନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୩୯ତମ ଶତକ। ଏହା ସହ ସେ ନିଜ ନାଁରେ ଏକ ବଡ଼ ରେକର୍ଡ କରିଛନ୍ତି।

ରୁଟ୍ ଘରୋଇ ମାଟିରେ ସବୁଠୁ ଅଧିକ ଶତକ ହାସଲ କରିବାରେ କ୍ରିକେଟ୍‌ ପାଲଟିଛନ୍ତି। ସେ ଇଂଲଣ୍ଡରେ ୨୪ତମ ଶତକ ହାସଲ କରି ଏକ ନମ୍ବର ସ୍ଥାନକୁ ଉଠିଛି। ରୁଟ୍ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟର ମହେଲା ଜୟବର୍ଦ୍ଧନେ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇଛନ୍ତି। ଏହି ତିନି ବ୍ୟାଟର ନିଜ ଘରୋଇ ମାଟିରେ ଟେଷ୍ଟ କ୍ରିକେଟ୍‌ରେ ୨୩-୨୩ ଶତକ ହାସଲ କରିଥିଲେ।  

Also read: କ୍ୟାଚ୍ ଧରିବା ପରେ ବଡ଼ ଭୁଲ୍ କରି ଦେଲେ ସିରାଜ, ଭାରତ ହାତରୁ ଖସିଯିବ ମ୍ୟାଚ୍ !

ଅନ୍ୟପଟେ ୩୪ ବର୍ଷୀୟ ରୁଟ୍ ଶ୍ରୀଲଙ୍କାର ପୂର୍ବତନ କିମ୍ବଦନ୍ତୀ କ୍ରିକେଟ୍‌ର କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି। ସେ ଏବେ ଟେଷ୍ଟ ଇତିହାସରେ ସବୁଠୁ ଅଧିକ ଶତକ ହାସଲ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଆଉ ସାଙ୍ଗାକାରା ପଞ୍ଚମ ସ୍ଥାନକୁ ଖସିଛନ୍ତି। ସାଙ୍ଗାକାରା ଟେଷ୍ଟରେ ୩୮ ଟେଷ୍ଟ ଶତକ ହାସଲ କରିଥିଲେ। ଟେଷ୍ଟରେ ସର୍ବାଧିକ ଶତକର ରେକର୍ଡ ମହାନ ବ୍ୟାଟର ସଚିନ ତେନ୍ଦୁଲକର(୫୧)ଙ୍କ ନାଁରେ ରହିଛି। ଏହା ପରେ କାଲିସ(୪୫) ଓ ପଣ୍ଟିଂ(୪୧) ରହିଛନ୍ତି।

ଏହା ବ୍ୟତୀତ ରୁଟ୍ ଭାରତ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ସମକକ୍ଷ ହୋଇଛନ୍ତି। ରୁଟ୍ ଓ ସ୍ମିଥ ଭାରତ ବିପକ୍ଷରେ ୧୬୧-୧୬ ଶତକ ଅର୍ଜନ କରିଛନ୍ତି। ରୁଟ୍ ଭାରତ ବିପକ୍ଷରେ ଟେଷ୍ଟରେ ୧୩ ଶତକ ହାସଲ କରିଛନ୍ତି। ସେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଟେଷ୍ଟ ହାସଲ କରିବାରେ ଯୁଗ୍ମ ଭାବେ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟର ସୁନୀଲ ଗାଭାସ୍କର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୩ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ମହାନ ବ୍ୟାଟର ଡନ ବ୍ରାଡମ୍ୟାନ ୧୯ ଶତକ ସହ ଶୀର୍ଷରେ ଅଛନ୍ତି। 

ଗୋଟିଏ ଟିମ୍ ବିପକ୍ଷରେ ସର୍ବାଧିକ ଟେଷ୍ଟ ଶତକ

୧୯- ଡନ ବ୍ରାଡମ୍ୟାନ(ଅଷ୍ଟ୍ରେଲିଆ) ବନାମ ଇଂଲଣ୍ଡ

୧୩- ସୁନୀଲ ଗାଭାସ୍କର(ଭାରତ) ବନାମ ଓ୍ଵେଷ୍ଟଇଣ୍ଡିଜ

୧୩- ଜୋ ରୁଟ୍(ଇଂଲଣ୍ଡ) ବନାମ ଭାରତ

୧୨- ଜ୍ୟାକ ହବ୍ସ(ଇଂଲଣ୍ଡ) ବନାମ ଅଷ୍ଟ୍ରେଲିଆ

୧୨- ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ) ବନାମ ଇଂଲଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.