ପାଟନା : ବିହାର ବିଧାନସଭା ନିର୍ବାଚନ ନେଇ ନିର୍ବାଚନ କମିଶନ ପୂରା ତତ୍ପର। ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି , ରାଜନୀତି ସେତିକି ସରଗରମ ହେଉଛି। ବିହାର ବିଧାନସଭା ନିର୍ବାଚନ ବେଳେ, ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା (ଏଆଇ)ର ବ୍ୟବହାର ଉପରେ କଡ଼ା ନଜର ରଖିବ ନିର୍ବାଚନ କମିଶନ। ନିର୍ବାଚନ ବେଳେ ଏଆଇର ଅପବ୍ୟବହାର ଉପରେ ଦୃଢ ପଦକ୍ଷେପ ନେବ। ଯଦି କୌଣସି ଦଳ ବା ପ୍ରାର୍ଥୀ ଏଆଇର ଅପବ୍ୟବହାର କରୁଥିବା ଜଣାପଡ଼େ ତ, ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ।
କମିଶନର ଅଫିସିଆଲି ସୂତ୍ରାନୁସାରେ, ଅଭିଯୁକ୍ତ ବ୍ୟକ୍ତି ବା ଦଳ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଏବଂ ଜନ ପ୍ରତିନିଧିତ୍ୱ ଆଇନ, ୧୯୫୦ର ବିଭିନ୍ନ ଧାରା ଅନୁସାରେ ପଦକ୍ଷେପ ନିଆଯାଇ ପାରେ। ଜେଲ ଓ ଜୋରିମନା କିମ୍ୱା ଉଭୟ ହୋଇ ପାରେ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଉପରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପ୍ରଚାର ସାମଗ୍ରୀର ଅନୁମୋଦନ , ଅନୁଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମିଡ଼ିଆ ସାର୍ଟିଫିକେସନ ଏବଂ ମନିଟରିଂ କମିଟି ( ଏମସିଏମସି)ର ଗଠନ କରାଯିବ। ଏହି କମିଟିରେ ସଂପୃକ୍ତ ଥିବା ଅଧିକାରୀଙ୍କ ଦ୍ୱାରା ପ୍ରିଣ୍ଟ , ଇଲେକ୍ଟ୍ରୋନିକ ଏବଂ ସୋସିଆଲ ମିଡ଼ିଆର ଦୃଢ ଭାବେ ତଦାରଖ କରାଯିବ। ଏହା ଏକ ଅଲଗା ଟିମ୍ ଭାବେ କାର୍ଯ୍ୟ କରିବ। ଏହି କମିଟି ଦ୍ୱାରା ତାଙ୍କର ରିପୋର୍ଟ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ନିର୍ବାଚନ କମିଶନଙ୍କୁ ନିୟମିତ ଦିଆଯିବ।
କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଏମସିଏମସିର ଗଠନର ପ୍ରକ୍ରିୟା ଆରମ୍ଭ କରିଦିଆ ଯାଇଛି। ଖୁବ୍ ଶୀଘ୍ର ଏହି ସଂପର୍କିତ ନିର୍ଦ୍ଦେଶ ଜାରି କରାଯିବ।
ସୂତ୍ରାନୁସାରେ , ପ୍ରଚାର ସାମଗ୍ରୀକୁ ନେଇ ଯଦି କମିଶନକୁ କିଛି ବି ସନ୍ଦେହ ହୁଏ ତ, ଏଥିରେ ଏଆଇର ଅପବ୍ୟବହାର କରାଯାଇଛି ତ ଏହାର ଅନୁମୋଦନ ଦିଆଯିବ ନାହିଁ । ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ମଧ୍ୟ କୌଣସି ପ୍ରକାରରେ ଏଆଇର ଭୁଲ୍ ବ୍ୟବହାର ନକରିବାକୁ ସଚେତନ କରଯିବ। ସାରା ବିଶ୍ୱରେ ନିର୍ବାଚନରେ ଏଆଇର ବ୍ୟବହାର ବୃଦ୍ଧିକୁ ନେଇ ନିର୍ବାଚନ କମିଶନ ପୂର୍ବରୁ ହିଁ ସତର୍କ ରହିଛି।