ଫିଲ୍ମ "ଦ କେରଳ ଷ୍ଟୋରି'କୁ ମିଳିଲା ନ୍ୟାସନାଲ ଆୱାର୍ଡ, ରାଗିଗଲେ କେରଳ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 03, 2025 IST

ନୂଆଦିଲ୍ଲୀ ୦୩।୦୮; ବଲିଉଡର ଚର୍ଚ୍ଚିତ ଫିଲ୍ମ ଦ କେରଳ ଷ୍ଟୋରୀ। ଏହି ଫିଲ୍ମ ରିଲିଜ ହେବା ମାତ୍ରେ ପ୍ରବଳ ବିରୋଧ କରାଯାଇଥିଲା । ଏପରିକି ରିଲିଜ ଉପରେ ରୋକ୍‌ ଲଗାଇବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେରଳ ସରକାର । ଏବେ ପୁଣି ଥରେ ସମାନ କଥାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ପି.ବିଜୟନ । ଦ କେରଳ ଷ୍ଟୋରୀର କାହାଣୀକୁ ପ୍ରବଳ ବିରୋଧ କରିବା ସହ ଏହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି । ସିନେମାର କାହାଣୀ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି । କେରଳ ଛବି ଖରାପ କରୁଛି । ମିଥ୍ୟା ତଥ୍ୟ ଆଧାରିତ ସିନେମାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ  ସମ୍ମାନିତ କରିବା ଅତ୍ୟନ୍ତ ଚିନ୍ତାର ବିଷୟ । 

ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଜୁରି ସଂଘ ବିଭାଜନକାରୀ ବିଚାରଧାରାରେ ଆଧାରିତ ଏକ କାହାଣୀକୁ ସ୍ୱୀକୃତି ଦେଇଛନ୍ତି । କେରଳ ଏପରି ଏକ ରାଜ୍ୟ ଯାହା ସର୍ବଦା ସଦଭାବନା, ଶାନ୍ତି ଏବଂ ଭାଇଚାରା ପାଇଁ ଜଣାଶୁଣା । ଏହି ନିଷ୍ପତ୍ତି କେରଳରେ ରହୁଥିବା ଲୋକମାନଙ୍କୁ ଅପମାନିତ କରିଛି । ଏହା କେବଳ ମାଲାୟଲୀମାନଙ୍କର ଚିନ୍ତା ନୁହେଁ, ବରଂ ଗଣତନ୍ତ୍ର ଏବଂ ସମ୍ବିଧାନର ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଚିନ୍ତା। ଆମକୁ ଏକାଠି ଏହା ବିରୁଦ୍ଧରେ ସ୍ୱର ଉଠାଇବା ଉଚିତ ।' ଜୁରୀ ସଦସ୍ୟଙ୍କୁ ସମାଲୋଚନା କରିବା ସହ ପୁନର୍ବାର ବିଚାର କରିବାକୁ ବିଜୟନ ପରାମର୍ଶ ଦେଇଛନ୍ତି ।  ଶୁକ୍ରବାର ଘୋଷଣା କରାଯାଇଥିବା ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଦ କେରଳ ଷ୍ଟୋରି ଦୁଇଟି ଶ୍ରେଣୀରେ ସମ୍ମାନ ହାତେଇଛି

ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଓ ସର୍ବଶ୍ରେଷ୍ଠ ସିନେମାଅଟୋଗ୍ରାଫି ସମ୍ମାନ ପାଇବା ପରେ ଚିହିଁକି ଉଠିଛନ୍ତି କେରଳ ସରକାର । ୨୦୦୩ ମେ ୫ରେ ରିଲିଜ ହୋଇଥିଲା ଦ କେରଳ ଷ୍ଟୋରି । ସୁଦୀପ୍ତୋ ସେନଙ୍କ ଦ୍ବାରା ନିର୍ଦ୍ଦେଶିତ ସିନେମାରେ ଲଭ ଜିହାଦ ମାଧ୍ୟମରେ ଝିଅଟିକୁ ଇସଲାମିକ୍ ଷ୍ଟେଟରେ ସାମିଲ କଥାକୁ ଉପସ୍ଥାପନ କରାଯାଇଥିଲା ।  ମୁକ୍ତିଲାଭ ପରଠୁ ବିବାଦରେ ରହିଥିଲା ଦ କେରଳ ଷ୍ଟୋରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.