କ୍ୟାଚ୍ ଧରିବା ପରେ ବଡ଼ ଭୁଲ୍ କରି ଦେଲେ ସିରାଜ, ଭାରତ ହାତରୁ ଖସିଯିବ ମ୍ୟାଚ୍ !

Published By : Prameya-News7 Bureau | August 03, 2025 IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଣ୍ଡନର କେନିଙ୍ଗଟନ ଓଭାଲରେ ଖେଳାଯାଉଛି ସିରିଜ୍‌ର ଅନ୍ତିମ ତଥା ପଞ୍ଚମ ଟେଷ୍ଟ। ଏହି ମ୍ୟାଚ୍ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି ଏବଂ ଆଜି ମ୍ୟାଚ୍‌ର ଫଳାଫଳ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରତିଟି ରନ ପାଇଁ କଡ଼ା ସଂଘର୍ଷ କରୁଛନ୍ତି ଦୁଇ ଦଳ। ଏହା ମଧ୍ୟରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଏମିତି ଏକ ବଡ଼ ଭୁଲ୍ କରିଛନ୍ତି, ଯାହା ଭାରତକୁ ମହଙ୍ଗା ପଡ଼ିପାରେ। ସିରାଜ ଇଂଲଣ୍ଡର ତାରକା ବ୍ୟାଟର ହ୍ୟାରି ବ୍ରୁକଙ୍କ କ୍ୟାଚ୍‌କୁ ଠିକ୍ ଢଙ୍ଗରେ ଧରି ପାରିଲେ ନାହିଁ। ବ୍ରୁକଙ୍କୁ କେବଳ ଜୀବନଦାନ ମିଳିନି ବରଂ ତାଙ୍କ ଖାତାରେ ଏକ ଛକା ମଧ୍ୟ ଯୋଡ଼ି ହୋଇ ଯାଇଛି। ଇଂଲଣ୍ଡ ଦଳ ଅନ୍ତିମ ଟେଷ୍ଟରେ ୩୭୪ ରନର ବିଜୟ ଲକ୍ଷ୍ୟ ପିଛା କରୁଛି। ଭାରତ ବର୍ତ୍ତମାନ ସିରିଜ୍‌ରେ ୨-୧ରେ ପଛରେ ରହିଛି। ସିରିଜ୍ ବରାବର କରିବାକୁ ହେଲେ ଭାରତକୁ ଓଭାଲ ଟେଷ୍ଟ  ଜିତିବା ଜରୁରୀ।

Also read: ସିରିଜ୍‌ରେ ଭାରତୀୟ ବ୍ୟାଟ୍‌ରୁ ବାହାରିଲା ମୋଟ୍ ୩୮୦୯ ରନ, ଗିଲ୍ ସର୍ବାଧକ; ଦେଖନ୍ତୁ ପୂରା ତାଲିକା

ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ପକାଇଥିବା ୩୫ତମ ଓଭରର ପ୍ରଥମ ବଲ୍‌ରେ ବ୍ରୁକ ଲଙ୍ଗ ଲେଗ୍ ଦିଗରେ ବଡ଼ ପୁଲ୍ ସଟ୍ ମାରିଥିଲେ। ସିରାଜ ସେଠାରେ ଉପସ୍ଥିତ ଥିଲେ। ସେ ବ୍ରୁକଙ୍କ କ୍ୟାଚ୍ ଧରିଥିଲେ ହେଁ ସୀମା ରେଖାକୁ ଛୁଇଁ ଦେଇଥିଲେ। ସିରାଜ କ୍ୟାଚ୍ ନେବା ପରେ ପ୍ରସିଦ୍ଧ ଖୁସିରେ ଝୁମି ଉଠିଥିଲେ। ସେ ଉତ୍ସବ ପାଳିବା ମଧ୍ୟ ଆରମ୍ଭ କରି ଦେଇଥିଲେ। ହେଲେ ସିରାଜଙ୍କ ଚେହେରାରେ ଅବଶୋଷ ଦେଖିବା ପରେ ପୂରା ଭାରତୀୟ ଦଳର ଓ୍ଵିକେଟ୍ ନେବାର ଖୁସି ପାଣି ଫୁଟୁକା ପରି ମିଳେଇ ଯାଇଥିଲା। ସିରାଜ୍‌ ମଧ୍ୟ ବୁଝି ଯାଇଛନ୍ତି ଯେ, ସେ ବଡ଼ ଭୁଲ୍ କରିଛନ୍ତି। ଅଧିନାୟକ ଗିଲ୍ ନିରାଶ ନଜର ଆସିଥିଲେ।




ସିରାଜଙ୍କ ଏମିତି ଭୁଲ୍ ଉପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଖୁବ୍ ଆସିବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି, ଏହା ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିବାର ମୁହୂର୍ତ୍ତ। ସିରାଜ ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍‌ରେ ହ୍ୟାରି ବ୍ରୁକଙ୍କ କ୍ୟାଚ୍ ଛାଡ଼ିଛନ୍ତି। ଶୁଭମନ ଗିଲ୍, କେଏଲ ରାହୁଲ ଓ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ବହୁତ କିଛି ବର୍ଣ୍ଣନା କରୁଥିଲା। ତେବେ ଆଗକୁ ଜଣା ପଡ଼ିବ ବ୍ରୁକଙ୍କ କ୍ୟାଚ୍ ଛାଡ଼ିବା ଭାରତୀୟ ଦଳ ପାଇଁ କେତେ ମହଙ୍ଗା ପଡ଼ୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.